Unknown

 

 

 

 

 

 

 

 

 

ଶିଶୁପାଳ-ବଧ

ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

 

କୁନ୍ଦେନ୍ଦୁ-ନୀହାର-ହୀର-ଗୋକ୍ଷୀର ଧବଳା

ଜଗଜ୍ଜାଡ଼୍ୟାପହା ଦେବୀ ମହାଭାବମୟୀ

ଭାରତୀ ! ଆରତି ୧ ଘେନି ଦିଅ ପଦଚ୍ଛାୟା,

(ଯେ ପଦ ପ୍ରସାଦେ ମୂଢ଼ ହୁଏ ମହାଜ୍ଞାନୀ)

ଗାଇବାକୁ ଇଚ୍ଛା ମୋର-ଶିଶୁପାଳ-ବଧ,

କଲି ତେଣୁ ତବ ପଦେ ଅଳି କରେ, ଯଥା

ମାତାର ପଣତ ଧରି ଶିଶୁ ଜଞ୍ଜାଳିୟା,

ମାଗି ସ୍ୱୀୟ ଅଭୀପ୍ସିତ ଦ୍ରବ୍ୟେ, ଦୟାମୟି !

ଦୟା ବହି ଖୋଲିଦିଅ ଭାବ- ପ୍ରସ୍ରବଣ,

ସେ ସଲିଳେ ଫୁଟିଉଠୁ କବିତା-କମଳ,

ଶତ ଶତ, ସଂଗ୍ରହ ତା, ଗୁନ୍ଥି ତହିଁ ହାର,

ଅର୍ପିବି ଉତ୍କଳମାତା ଚାରୁ-ଦର-ଗଳେ

ଧନ୍ୟ ଦେବି ତୋ ମହିମା ! ଅଚିନ୍ତ୍ୟ, ମହାନ,

ଅବ୍ୟକ୍ତ, ଅଶ୍ରୁତ ପୁଣି ଅଧ୍ୟେୟ, ଅଜ୍ଞେୟ,

କରିବାକୁ ଉପ୍ଲବ୍ଧି ଯାଇ ସେ ମହିମା

ଆଶା-ଦାଣ୍ଡେ ଶିଶୁ ପରି କରେଁ ଧାଁ ଦଉଡ଼ି

 

ଚଢ଼ି ଶୂନ୍ୟ-ବିମାନରେ ଆଶା ମାୟାବିନୀ

ଆସି, ଧରି ହାତ ମୋର, କେତେ କେତେ ଥର

ଘେନିଯାଏ ସାଥେ,- ଗୁରୁ ଗୌରବ ପ୍ରକାଶି,

ମୂହୂର୍ତ୍ତେ ଦେଖାଏ ସ୍ୱର୍ଗ, ମର୍ତ୍ତ୍ୟ, ରସାତଳ ।

 

ମାତି ମୁହିଁ ଆଶା-ମଦେ, ଉଠାଏଁ ଉର୍ଦ୍ଧ୍ୱକୁ

ମନଃ କାଣ୍ଡେ, ବାଜିଣ ସେ ହତାଶା-ଚକ୍ରରେ,

ଖଣ୍ଡ ଖଣ୍ଡ ହୋଇ ପଡ଼େ ଚାଣ୍ଡେ ପୂର୍ବସ୍ଥାନେ,

ଅନନ୍ତ ଅନନ୍ତେ ପୁଣି ଯାଏ ସେ ମିଳାଇ

 

ଦୁସ୍ତର ସାଗରେ ସାହା ସିନା ମୋର ଦେବି !

ତୋ କୃପା-ତରଣୀ, ତେଣୁ ବାନ୍ଧିଅଛି ଆଶା-

ତୋହୋଦତ୍ତ ଜ୍ଞାନ-ଫୁଲେ ପୂଜିବି ମା ତୋତେ,

ଗଙ୍ଗାକୁ ପୂଜନ୍ତି ଯଥା ସେହି ଗଙ୍ଗାଜଳେ

 

ରାଜସୂୟ ଯଜ୍ଞ ଅନ୍ତେ ପୌରବ-ଗୌରବ,

ରାଜେନ୍ଦ୍ର-ମୁକୁଟଭାଷା-କୋହିନୂର-ହୀର

ଯୁଧିଷ୍ଠିର ବିଜେ କଲେ ଅମାତ୍ୟ ଗହଣେ

ମୟବିରଚିତ ୩ ଚାରୁ ଭାସ୍କର୍ଯ୍ୟ-ଭାସ୍ୱର

 

ଦିବ୍ୟ ସଭାମଧ୍ୟେ, ଆହା ସେ ସଭାର ଶୋଭା

ଭବେ ଅପ୍ରତିମ, ଯଥା କଳ୍ପନା-କଳ୍ପିତ

କମନୀୟକାନ୍ତ କାନ୍ଥ ଗଠିତ କାଞ୍ଚନେ,

ଲେଖା ତହିଁ ନାନା ଚିତ୍ର-ଅମର, କିନ୍ନର,

 

ଯକ୍ଷ, ରକ୍ଷଃ, ନାଗ, ନର, ପଶୁ, ବୃକ୍ଷ, ଲତା,

ବିହଙ୍ଗ, ପତଙ୍ଗ, ଯଥା ଜୀବନ୍ତ ପ୍ରତିମା;

ଗବାକ୍ଷେ, ଅଳିନ୍ଦେ ଦ୍ୱାରେ ଝଟରେ ଝାଲର,

ନୀଳ, ପୀତ, ହରିତାଦି ନାନା ଆଭାମୟ-

 

ବସନେ ଗଠିତ, ଆହା ! ସେ ଶୋଭା ନିକଟେ

କେଉଁ ଛାର କ୍ଷଣସ୍ଥାୟୀ ଇନ୍ଦ୍ରଧନୁ ଶୋଭା

ଶୋଭେ ଊର୍ଦ୍ଧ୍ୱେ ମନ୍ଦାନିଳେ ସଘନେ ଆନ୍ଦୋଳି

ଅତସୀ-ନୀଳିମା-ନିନ୍ଦୀ-ନୀଳଚନ୍ଦ୍ରାତପ,

 

ଝୁଲେ ତହିଁ ହୀରା, ନୀଳା, ବୈଦୁର୍ଯ୍ୟ, ମାଣିକ,

ପ୍ରବାଳମୁ କୁତାଆଦି ରତ୍ନ ଥୋପା ଥୋପା,

ରାଜେ ତାରାରାଜି ଯଥା ନୀଳ-ନଭସ୍ତଳେ;

କିମ୍ବା ବିକଶିତ ଯଥା ସରେ ନାନାଫୁଲ

 

ବିରାଜଇ ଠାବେ ଠାବେ ସ୍ଫୁଟିକ ବେଦିକା,

ଅପୂର୍ବ କୌଶଳ ତାହା ହୋଇ ସୁଗଠିତ

ଉପୁଜାଏ ସରଃପୂର୍ଣ୍ଣ ସରୋବର ଭ୍ରମ,

କାହି ବା ସଜଳ-ଜଳୀ ଦିଶେ ବେଦି ପରି

 

ମୟବିରଚିତ ସେହି ମନୋରମା ସଭା

ରତ୍ନ ପ୍ରାଚୀର-ବେଷ୍ଟିତ, ମେଖଳା ତାହାର

ପଞ୍ଚସହସ୍ରବ ହସ୍ତ, ଉଚ୍ଚେ ଆଡ଼େ ତଥା ।

ରବି-ରଶ୍ଜି-ଜିଣା ଦୀପ୍ତି ପ୍ରକାଶି ଅତୁଳ

 

ତୋଳିଛି ଉତ୍ତଙ୍ଗ-ଶୃଙ୍ଗ ନଭେ ଘନପଥେ,

ସୁଚାରୁ-ସୁଷମାମୟୀ ପ୍ରକୃତରେ ସୀମା

କଳିବାକୁ, ଟେକିଛି କି ଉନ୍ନତ ମସ୍ତକ ?

ବହୁ ତଳଯୁକ୍ତ ଦିବ୍ୟ ପ୍ରକୋଷ୍ଠ ସଭାରେ

 

ସ୍ଥିତ, ଯଥା ମାୟାପୁରୀ ! ସର୍ବୋପରି ତାର

ଶୋହେ ଚନ୍ଦ୍ର ଶାଳାପୁରୀ ହିରଣ୍ମୟପ୍ରଭ,

ଚୁଡ଼େ ଉଡ଼େ ଚାରୁ-ଚିତ୍ରପତାକା-ନିଚୟ

ସୁବାସିତ ତୈଳପୂର୍ଣ୍ଣ ରତ୍ନଦୀପାବଳୀ

 

ଜ୍ୱଳଇ ଉଜ୍ୱଳେ ପ୍ରତିଗୃହେ, ଉଠି ତହୁଁ

ଧୂପ, ପୁଷ୍ପଗନ୍ଧ, କରେ ଦିଗ ଆମୋଦିତ ।

ନୃତ୍ୟଶାଳେ ନାଚୁଛନ୍ତି କାହିଁ ନଟ ନଟୀ

ହୋଇ ହାତ ଧରାଧରି ଭାବାବେଶ, ଆହା !

 

ବୀଣାଜିଣା କଣ୍ଠ-ତନ୍ତ୍ରୀ କମ୍ପାଇ ସଘନେ,

ଚନ୍ଦ୍ରଲୋକୁ ଅବତରି କୁମୁଦବାନ୍ଧବ

ନାଚନ୍ତି କି ନଟରୂପେ, ରୋହିଣୀ ସହିତେ

ସେ ସଭାରେ, ଅବା ନାଚେ କାମ ସଙ୍ଗେ ରତି ।

 

କଳାଦକ୍ଷ ଶିଳ୍ପିଗୁରୁ ଦେବଶିଳ୍ପିବର

ବିଶ୍ୱକର୍ମୀଙ୍କର ହସ୍ତ-ସୁକୌଶଳ ଯହିଁ

ହେବ ପରାଜିତ, ତାର କି ଅଛି ତୁଳନା ?

ନୁହଇ ସୁଧର୍ମୀ * ତିଳେ ସେ ସଭାକୁ ସରି

 

ଏସନ ସଭାରେ ବିଜେ କୁରୁ-ଧୁରନ୍ଧର

ଧର୍ମରୂପୀ ଧର୍ମସୂତ, ଭ୍ରାତୃ ମିତ୍ର ସହ;

ଚାମର, ଆଇଟ, ଛତ୍ର, ଆଢ଼େଣୀ, ତରାସ,

ଖଦିଆଦି ଉପଚାର ଧରି ପରିଚରେ,

 

ଉଭା ଯଥାଯୋଗ୍ୟ ସ୍ଥାନେ, ଯଥାକର୍ମେ ରତ ।

ଯଜ୍ଞ-ଆମନ୍ତ୍ରିତ ଶତ-ସହସ୍ର ଭୂପାଳ,

(ସର୍ବେ କ୍ଷାତ୍ରଶକ୍ତିରୂପି, କ୍ଷତ୍ରିୟଗୌରବ)

କେୟୁର, କିରୀଟ, ହାର କୁଣ୍ଡଳାଦି ସର୍ବ

 

ରାଜ-ଆଭରଣୋ ମଣ୍ଡି, କୁରୁକୁଳର୍ଷଭେ

ବେଢ଼ି, ଉପବିଷ୍ଟ ସର୍ବେ ଯୋଗ୍ୟ ସିଂହାସନେ,

ସୁନାସାରୀ ପାଶେ ଯଥା ଅମରମଣ୍ଡଳୀ

ଯଜ୍ଞଯାଜୀ ଜଗନ୍ନାଥ ହୋଇ ଆମନ୍ତ୍ରିତ

 

ଯଜ୍ଞେ ଆସିଥିଲ ତହିଁ, ଯେଣୁ ଭକ୍ତିଡ଼ୋରେ

ବାନ୍ଧିଥିଲେ ଆଗୁଁ ତାଙ୍କୁ ନିବିଡ଼ ବନ୍ଧନେ

ଦ୍ରୁପଦ ଦୁଲାଳୀ ସହ ପାଣ୍ଡୁ ପଞ୍ଚସୁତେ,

ମାୟା-ଡ଼ୋରେ ଜୀବଗଣେ ପ୍ରକୃତି ଯେସନ

 

ଭକ୍ତିବଶ ଭାବଗ୍ରାହୀ, ଭକ୍ତିଭାବେ ଯେହୁ

କରେ ତାଙ୍କୁ ଆରାଧନା, ହୋଇଣ ତନ୍ମୟ,

ହୁଅନ୍ତି ତାହାର ସେହୁ ଚିର- ସହଚର,

କାୟା ସଙ୍ଗେ ସଙ୍ଗେ ଯଥା ବିଦ୍ୟମାନ ଛାୟା,

 

ରଖନ୍ତି ତାହାକୁ ହରି, ସର୍ବ ସଙ୍କଟରୁ,

ଶୀତାତପୁଁ ରଖେ ଗୃହ ଗୃହୀକୁ ଯେସନ

ଚିତ୍ରାଙ୍ଗ କୁରଙ୍ଗଚର୍ମ ପବିତ୍ର ଆସନେ

ପଦ୍ମାସନେ ଉପବିଷ୍ଟ ମହାତପୀ ତପୀ,

*- ସୁଧର୍ମ ଦେବସଭା

 

ତପୋତେଜ ତେଜବନ୍ତ ଯଥା ବିଭାବସୁ

ଯୁକ୍ତକରେ ସ୍ତବେ ରତ ପ୍ରଣଧିନିକର

ଏସନ ସମୟେ ଶାନ୍ତ ଶାନ୍ତନୁ-ତନୟ

ପରମାର୍ଥପରାୟଣ ମହେତ୍ୟାଗଶୀଳ

 

ସତ୍-ବ୍ରତ ସତ୍ୟବ୍ରତ, ଗମ୍ଭୀରେ ସୁଧୀରେ

ସୁଧୀମଣି ଯୁଧିଷ୍ଠିର କହିଲେ ସମ୍ବୋଧି,

ହେ ତାତଃ ! ପାଣ୍ଡବ-ଜ୍ୟୋଷ୍ଠ ନୃପ-ବିଚକ୍ଷଣ

ଧର୍ମରାଜ ! ଧନ୍ୟ ତୁମ୍ଭେ, ଧନ୍ୟ ତୁମ୍ଭ ମାତା

 

କୁରୁ-କୁଳବଧୁ କୁନ୍ତୀ, ରତ୍ନପ୍ରସବିନୀ,

ଗର୍ଭେ ଧରି ତୁମ୍ଭ ପରି ସୁପୁତ୍ର-ରତନେ,

ଶକ୍ତି ଯଥା ମୋତି, ଆହା ! ପୁତ୍ରବତୀ ନାମେ

ସାର୍ଥକିଲେ ଭବେ ଦେବୀ, ପବିତ୍ରିଲେ ପୁଣି

 

ପତିପିତୃ ବେନି କୁଳେ ରାଜଧର୍ମ-ରାଜା

ତୁମ୍ଭ ପରି, ଭବ ନାହିଁ ନ ଥିଲେ ନୋହିବେ ।

ପୂରିଲା ସୁଯଶ ତବ ଧରଣୀମଣ୍ଡଳେ,

ପୂତ କଲ ଜନ୍ମି ତୁମ୍ଭେ କୁରୁବଂଶେ, ଯଥା

 

ରଘୁକୁଳ-ଦୀପ୍ତରବି ଦଶରଆଙ୍ଗଜ

ରାମଚନ୍ଦ୍ର,ପବିତ୍ରିଲେ ରବି ମହାକୁଳେ ।

ପୃଥିବୀର ରାଜାଗରେ ଶାସି ବାହାବଳେ

ସାଙ୍ଗ କଲ ମହାକ୍ରତୁ, ପ୍ରକାଶି ପୌରୁଷ,

 

ଯେତେ ଦିନ ଯାଏଁ ରବି ଶଶୀ, ଗତାୟାତ

ହେଉଥିବେ ନଭୋଦେଶେ, ଯେତେ ଦିନଯାଏଁ

ଧରିଥିବି ଶେଷ ଅହି ଶିରେ ଏହି ମହୀ,

ତେତେ ଦିନଯାଏ ବତ୍ସ ! କୀରତି ଶାଶ୍ୱତୀ

 

ତୁମ୍ଭର, ଥିବି ଏ ଭବେ ହୋଇଣ ଅକ୍ଷୟ,

ନ ପାରିବ ହୁରି ତାକୁ କାଳ ସର୍ବହର

ଧରା ଧନ୍ୟା ତୁମ୍ଭ ପରି ସୁପୁରୁଷେ ଧରି

ଦାନେ ଦୀନେ ଯଜ୍ଞେ ଦେବେ, ଶ୍ରାଦ୍ଧେ ପିତୃଗଣେ

 

ଭକ୍ତିଭାବେ ଗୁରୁ, ବିପ୍ର, ପୁରୋହିତେ, ପୁଣି

ବ୍ୟବହାରେ ଜ୍ଞାତିଗଣେ, ବାତ୍ସଲ୍ୟେ ଆଶ୍ରିତେ

ତୋଷି, ରାଜଋଷି ! କଲ ବସୁମତୀ ବଶ

ବର୍ଷାଧିକ କାଳ ହେଲା ନିମନ୍ତ୍ରିତ ନୃପେ-

ଛାଡ଼ି ସ୍ୱୀୟ ରାଜଧାନୀ, ନିବସନ୍ତି ଏଥି,

ଅନୁପସ୍ଥିତିରେ ତାଙ୍କ, ନାନା ବିଶୃଙ୍ଖଳା

ଘଟିପାରେ ରାଜଧାନୀ, ନିବସନ୍ତି ଏଥି

ଅନୁପସ୍ଥିତିରେ ତାଙ୍କ, ନାନା ବିଶୃଙ୍ଖଳା

ଘଟିପାରେ ରାଜ୍ୟେ, ଯେଣୁ ରାଜା କର୍ଣ୍ଣାଧାର

ରାଜ୍ୟ-ତରଣୀର, ତେଣୁ ତାହାଙ୍କ ବିହୁନେ

ଅଧର୍ମ-ତରଙ୍ଗଘାତେ ହୋଇଯିବ ଚୂନା

ରାଜ୍ୟ-ତରୀ, ପ୍ରାଣାଭାବେ ଯଥା ପ୍ରାଣୀ ଦେହ ।

ସାଙ୍ଗ ଏବେ ଯଜ୍ଞ ତବ, ନୃପମହେଷ୍ୱାସ !

ପ୍ରଦାନ ଅନୁଜ୍ଞା ସର୍ବ ଆଗନ୍ତୁକ ନୃପେ,

ହେଉନ୍ତୁ ସେମାନେ ସ୍ୱ ସ୍ୱ ରାଜ୍ୟେ ପ୍ରତ୍ୟାଗତ

ଆଚାର୍ଯ୍ୟ, ଋତ୍ୱିକ ୧, ମିତ୍ର, ସମ୍ବନ୍ଧୀ ସ୍ନାତକ ୨,

- ଯଜ୍ଞର ମୁଖ୍ୟ ପୁରୋହିତ ଚାରି ଜଣ

- ଅସ୍ଳୁତବତୀ ଗୃହସ୍ଥ

 

ନୃପତି, ଏ ଛଅ ଜଣ ଅର୍ଘ୍ୟ ଅଧିକାରୀ,

ସମ୍ବତ୍ସର ସହବାସୀ ହୋଇଲେ ଏମାନେ

ହୁଅନ୍ତି ଅର୍ଘ୍ୟଭାଜନ, ବୋଲନ୍ତି ପଣ୍ଡିତେ ।

ଅତଃ ପ୍ରଧାନାନୁକ୍ରମେ ଅର୍ଘ୍ୟ ସମ୍ପ୍ରଦାନି,

 

ନୃପତେ ! ମେଲାଣି ଦିଅ ନୃପତିକଳାପେ

ଭୀଷ୍ମ ବାଣୀ ଶୁଣି ସର୍ବ ଆଗନ୍ତୁକ ନୃପେ,

ଏବେ ଏବେ ମନେ ମନେ ଭାଳିଲେ ଏସନ,-

ମୁହିଁ ଏକା ଏ ସଭାରେ ଅଟେ ଅଦ୍ୱିତୀୟ,

 

ନିଶ୍ଚୟ ପ୍ରଥମ ପୂଜା ଅଛି ମୋ କପାଳେ

ଏହା ଭାବି ନିଜ ନିଜ ବିଦ୍ୟା, ବୁଦ୍ଧି, ବଳ,

ଜାତି, କୁଳ, ରୂପ, ଧନ, ମାନ, ଦାନ, ପଦ,

ଯାହାର ଯେଉଁଟି ଥିଲା ଗର୍ବର କାରଣ,

 

ଗୁଣି ହେଲେ ତାହା ବସି ସକଳ ଭୂପତି;

ଆପଣାକୁ ବଡ଼ ମଣି ସର୍ବେ ଏହିରୂପେ

ବଖାଣି ସ୍ୱଗୁଣ ମନେ ମନେ, ବସାଇଲେ

ଆପଣାକୁ ସ୍ୱଗୁଣ କଳ୍ପନାର ସର୍ବୋଚ୍ଚ ଆସନେ

 

ଏ ଆତ୍ମବଡ଼ିମାମୟ ଜଗତରେ ସିନା

ନିଜକୁ ମଣନ୍ତି ସାନ ଅତି ଅଳ୍ପ ଲୋକେ,

ନୋହିଲେ ଦେଖନ୍ତୁ ସର୍ବେ ଆପଣାକୁ ବଡ଼,

ବିଶେଷେ କ୍ଷତ୍ରିୟେ ଏହି ନୀତି ପକ୍ଷପାତୀ

 

ଗାଙ୍ଗେୟ ବଚନେ ତହୁଁ କୌନ୍ତେୟ ସୁମତି

ଯୁଧିଷ୍ଠିର, ଧୀରେ ନମ୍ରେ ବୋଇଲେ ଏସନ.-

ହେ ପ୍ରଣୟ କୁରୁ-ଗୁରୁ ପିତାମହ ଦେବ !

ପୂତ ଉପଦେଣ ତବ ମହା ଶିବପ୍ରଦ,

 

ଅଲଙ୍ଘ୍ୟ ତା ଧରାତଳେ, ପାରଇ କି କେବେ

ଲଙ୍ଘି ତାହା ଯୁଧିଷ୍ଠିର, ତବ ଆଜ୍ଞାବହ ?

ପାରଇ କି ଅବହେଳି ଗୁରୁ ଆଜ୍ଞା ଚାଟ,

କିମ୍ବା ସୁରାଚାର୍ଯ୍ୟାଦେଶ * ସୁରେଶ ବାସବ,

*ବୃହସ୍ପତି

 

ତବ କୃପା-ତରୀ ଏକା ପାରିକଲା ଦାସେ

ରାଜସ୍ୱୟ ଯଜ୍ଞରୂପୀ ଅପାର ସାଗରୁ

ନିର୍ବିଘ୍ନେ, ଯେସନ ପ୍ରଭୁ ଭକତବତ୍ସଳ

ହରି କୃପା, ପାରିକରେ ପଞ୍ଚଭୁତମୟ

 

ଭୂତେ, ପ୍ରପଞ୍ଚ-ସାଗରୁ ! ଦୟା ବହି ଏବେ

ପ୍ରଦାନ ଅନୁଜ୍ଞା ଦେବ ! ଏ ମହାସଭାରେ

କିଏ ଆଦ୍ୟ ଅର୍ଘ୍ୟଯୋଗ୍ୟ, ଅଟନ୍ତି ଆପଣେ

ମହାପପ୍ରାଜ୍ଞ ଯେଣୁ, ତେଣୁ ଏହି ବିଷୟର

 

ବିହିବେ ଅବଶ୍ୟ ମୋତେ ବିହିତ ଆଦେଶ,

ତବ ସୁମଙ୍ଗଳାଦେଶ ଶିରୋଧାର୍ଯ୍ୟ ମମ

ଉତ୍ତରିଲେ ଭୀଷ୍ମ, ଆହେ ପ୍ରକୃତିରଞ୍ଜନ

ବତ୍ସ ଯୁଧିଷ୍ଠିର ! ତୁମ୍ଭେ ସର୍ବଧର୍ମଜ୍ଞାତା,

 

ସର୍ବଶାସ୍ତ୍ର-ବିଶାରଦ, ତଥାଚ କିପାଇଁ

ଅଜ୍ଞ ପ୍ରାୟ ମୋତେ ଏହା କରୁଛ ଜିଜ୍ଞାସା ?

ପୂଜନ୍ତି ଯାହାଙ୍କ ପାଦ ମହେନ୍ଦ୍ରାଦି ଦେବେ

ମାନସେ, (ଯେ ପଦୁଁ ଦେବୀ ସତ୍ତ୍ୱଗୁଣମୟୀ

 

ଭଙ୍ଗୁରତରଙ୍ଗା ଗଙ୍ଗା ହୋଇ ସମଭୂତା

ହରନ୍ତି ଧରଣୀ ପାପ, ପତିତପାବନୀ,

ଯେ ପଦ ପରଶେ ଶିଳା ହୋଇଛି ମହିଳା,

ଜୀର୍ଣ୍ଣ ଶୀର୍ଣ୍ଣ କାଷ୍ଠନାବ ହୋଇଅଛି ସୁନା )

 

ସର୍ବରାଜଗଣ ମଧ୍ୟେ ସମୁଭାସମାନ

ଯେହୁ, ତେଜେ, ବୀର୍ଯ୍ୟେ, ଶୌର୍ଯ୍ୟେ ପୁଣି ପରାକ୍ରମେ,

ଜ୍ୟୋତିଷ୍କ ମଧ୍ୟରେ ଯଥା ଦେବ ଅଂଶୁମାଳୀ,

ଉପସ୍ଥିତ ଥାଉଁ ଥାଉଁ ଯଜ୍ଞେ ସ୍ୱୟଂ ସେହି

 

ନତ୍ରଛେଦୀ ଚକ୍ରଧର କୃଷ୍ଣ ଯଜ୍ଞେଶ୍ୱର,

କିଏ ହେବ ଆଉ ଅଗ୍ରପୂଜାର ଭାଜନ ?

ଶ୍ରୀହରି ପୟରେ ଅର୍ଘ୍ୟ ପ୍ରଥମେ ପ୍ରଦାନି,

ପରେ ଦିଅ ଆନ ଆନ ନରବର ଶିରେ

 

କଠୋର ଅଶନିସମ ଭୀଷ୍ମଙ୍କ ଏ ବାଣୀ

ମଣିଲେ ସକଳ ନୃପେ, ଅଗ୍ରପୂଜା ପାଇଁ

ବାନ୍ଧିଥିଲେ ଆଶା ଯେଣୁ ଦୁରାଶା-ବାରିଧି,

ମୁହୁର୍ତ୍ତ ମଧ୍ୟରେ ତହିଁ ପଡିଗଲା ଭଟା !

 

ଆକାଶ-କୁସୁମେ ଆଶା ହେଲା ପରିଣତ

ତୋଳିଥିଲେ ଶୁନ୍ୟେ ଯେଉଁ ଆଶା-ଅଟ୍ଟାଳିକା

ମନୋନତ, ନିରାଶାର ଭୀମ ବଜ୍ରାଘାତେ

ତିଳ ତିଳ ହୋଇ ତାହା ହୋଇଥିଲା ଚୂନା,

 

ହସ୍ତୁ ଖସି କାଚପାତ୍ର ଯଥା ବିଚୂର୍ଣ୍ଣିତ

ସହଦେବ ରାଇ ତହୁଁ ପାଣ୍ଡବ-ଅଗ୍ରଣୀ,

ଆଦେଶିଲେ କରିବାକୁ ଭୀଷ୍ମଙ୍କର କଥା-

ଅନୁଯାୟୀ ଯଥାକାର୍ଯ୍ୟେ, ବୀର ମାଦ୍ରୀସୁତ,

 

ତହୁଁ ଜ୍ୟେଷ୍ଠ ନିୟୋଜନେ ସମ୍ପାଦି ସକଳ

ପୂଜାଦ୍ରବ୍ୟେ ଯଥାବିଧି କଲେ କୃଷ୍ଣେ ପୂଜା,

ଭକ୍ତି-ପାରିଜାତେ ଗୋଳି ଆନନ୍ଦ-ଚନ୍ଦନ

ସଭାର ଅନତିଦୁରେ ପୁରନାରୀବ୍ରାତେ,

 

ବସି ଚାରୁ ପଟ୍ଟଗୃହେ, ଦେଖୁଥିଲେ ଯାଗ,

ପାଣ୍ଡବ-ପ୍ରସ୍ତୁତି କୁନ୍ତୀ, ଭଦ୍ରା, ସତ୍ୟଭାମା,

ଭୀଷ୍ମକ-ଦୁହିତା ଦେବୀ ଶ୍ରୀକୃଷ୍ଣ-ଯୋଷିତା

ରୁକ୍ମିଣୀ, ପରମସାଧ୍ୱୀ ପାଣ୍ଡବ-ମହିଷୀ

 

କୃଷ୍ଣା ଯାଜ୍ଞସେନୀ ଆଦି ପୁରାଙ୍ଗନାଗଣ

ଉପବିଷ୍ଟ ଯୋଗ୍ୟାସନେ ବାତାୟଣ ପାଶେ;

ଏକ ଏକ ବରାସନେ ବସି ଠାବେ ଠାବେ

ପାଞ୍ଚ, ସାତ, ଆଠ, ଦଶ ଅନିନ୍ଦ୍ୟା ସୁନ୍ଦରୀ,

 

ପରସ୍ପର ପ୍ରେମାଳାପେ ହୋଇଛନ୍ତି ରତ,

ଫୁଟିଛି କି ଆହା ! ପଟ୍ଟଗୃହ-ସରୋବରେ

ଏକ ଏକ ମୃଣାଳରେ ଅନେକ କମଳ ?

ସ୍ୱାମୀଙ୍କର ଅଗ୍ରପୂଜା ଦେଖିଣ ରୁକ୍ମିଣୀ

 

ଲକ୍ଷ ରାଜା ମଧ୍ୟେ ହେଲେ ପରମ ହର୍ଷିତା,

ତତୋଽଧିକ ଆନନ୍ଦିତା ହେଲେ ପୁଣି ତହିଁ

କୃଷ୍ଣ-ସଖୀ କୃଷ୍ଣା, ଆହା ! ଚାରୁହାସ୍ୟମୟ-

ବଦନ-ମଣ୍ଡଳେ ତାଙ୍କ, ନାଚିଣ ଉଠିଲା-

 

ଆନନ୍ଦ-ଲହରୀ ଖରେ, ନାଚର ଯେସନ

ପୂର୍ଣ୍ଣିମା ନିଶାନ୍ତେ ସିନ୍ଧୁବକ୍ଷେ ଉର୍ମ୍ମିମାଳା

ଯଦୁକନ୍ୟା କୁରୁବଧୂ ସୁଭଦ୍ରା ସୁନ୍ଦରୀ,

କେତେ ଯେ ହର୍ଷିତା ହେଲେ ଅଗ୍ରଜ ଗୌରବେ,

 

ପାରିବ କିଏ ତା ବର୍ଣ୍ଣ ? ସ୍ୱଭାବତଃ ସିନା

ପତିକୁଳଠାରୁ ପିତୃକୁଳ ସମ୍ମାନର

ହୁଅନ୍ତି ପକ୍ଷପାତିନୀ ଅଧିକେ ନାରୀଏ

ବୋଇଲେ ସହର୍ଷେ ଦେବୀ ମୃଦୁ ମଧୁସ୍ୱରେ;-

 

ଧନ୍ୟ ମୋର ପିତୃକୁଳ ! କେଉଁ କୁଳ ଭବେ

ସମକକ୍ଷ ତାର, ଅଗ୍ରସମ୍ମାନ ଲାଭରେ ?

ବୋଇଲେ ଦ୍ରୌପଦୀ ତହୁଁ ହର୍ଷଗଦଗଦେ,

ସତ ଲୋ ଭଉଣୀ ଭଦ୍ରେ ! କହିଲୁ ତୁ ଯାହା-

 

ଅକ୍ଷରେ ଅକ୍ଷରେ ସତ, ଯେଉଁ ମହାକୁଳେ

ମଣ୍ଡିଛନ୍ତି ହୃଷିକେଶ ହୃଦସଖା ମୋର,

କେଉଁ କୁଳ ସେ କୁଳର ପଟାନ୍ତର ଭବେ ?

କୃଷ୍ଣଙ୍କ ଗୌରବ ଦେଖି ସାମାନ୍ୟ ସଭାରେ

 

ମଣୁଛି ନିଜକୁ ତୁମ୍ଭେ ସମ୍ମାନିତା, ପୁଣି

ଆନନ୍ଦିତା, କିନ୍ତୁ, ଦେବୀ ଯାଦବ-ଯୁବତୀ !

ନ ଜାଣ କି ତୁମ୍ଭେ-ଦେବ, ଯକ୍ଷ, ରକ୍ଷଃ, ନର,

ନାଗ ଆଦି କେ ନ କରେ ସେ ପଦ ଅର୍ଚ୍ଚନା ?

 

ଇନ୍ଦ୍ର, ଚନ୍ଦ୍ର, ଯମ, ବାୟୁ, କୁବେର, ବରୁଣ,

ଏମନ୍ତ କି ସ୍ୱୟମ୍ଭୁବ ସ୍ୱୟଂ, ସେ ଶ୍ରୀପଦେ

ନ ପୂଜି ରହନ୍ତି ନାହିଁ ଦଣ୍ଡେ ମାତ୍ର ସ୍ଥିର

ଚରାଚରପୂଜ୍ୟ ସେହି ଚରଣ ନିକଟେ,

ସାମାନ୍ୟ ବାଲୁକାକଣା ଏ ବିରାଟ ସଭା

 

ଦ୍ୱିତୀୟ ସର୍ଗ

 

ପ୍ରଣମେ ଶ୍ରୀପଦେ ତବ ହେ ଅମର-କବି

ମହାତପା ତପୋନିଧି ସତ୍ୟବତୀ-ସୁଚ-

ବେଦ-ବ୍ୟାସ ବେଦବ୍ୟାସ, ଅଟ ତୁମ୍ଭେ ଦେବ !

କବିତ୍ୱ-ବୈରାଗ-ମହାମିଳନ ମନ୍ଦିର

ମନ୍ଥି ବେଦ-ବାରାନିଧି, ସଂଗ୍ରହିଣ ତହୁଁ

ଯେ ବିବିଧ ରତ୍ନ ତୁମ୍ଭେ, ଗଚ୍ଛି ଅଛ ତବ

କାବ୍ୟ-କୋଷେ, ତହୁଁ ଘେନି କାଣିକାଏ ମୁହିଁ,

ରଚି ତହିଁ ଚାରୁ ଭୁଷା ଶକ୍ତି ଅନୁଯାୟୀ

ମାତୃସମା ମାତୃଭାଷା ଶ୍ରୀଅଙ୍ଗ ମଣ୍ଡନେ

ଇଚ୍ଛା ମୋର, ତେଣୁ ଦେବ ! ଜୁହାରି ଶ୍ରୀପଦେ

ମାଗୁଅଛି ଯୁକ୍ତକରେ ଏହି ଇଷ୍ଟ ବର,-

ଆଶୀର୍ବାଦ କର ଯେହ୍ନେ ପୁରୁ ମନୋରଥ

ଏଥୁଅନ୍ତେ ଉପସ୍ଥିତ ଶିଷ୍ଟ ଧର୍ମପ୍ରାଣ-

ରାଜବୃନ୍ଦ, ନନ୍ଦସୁତ କୃଷ୍ଣ ଅଗ୍ରାର୍ଚ୍ଚନେ

ହେଲେ ମହା ଆନନ୍ଦିତ, ବିପରୀତାଚାରୀ

ରାଜାଙ୍କର ଈର୍ଷାନଳ ଉଠିଲା କୁହୁଳି,

 

ତୁଷାନଳ ପ୍ରାୟ ଖରେ ଅନ୍ତରେ ଅନ୍ତରେ,

ନ ଫୁଟି ଉର୍ଦ୍ଧ୍ୱକୁ ମହାଭୟେ, ମହାକ୍ଳେଶେ

ଈର୍ଷାଜାତ-ଚିତ୍ତାବେଗେ ରୋଧିଲେ ସକଳେ

ସ୍ୱଭାବତଃ ଈର୍ଷାଳୁର ହୃଦୟ କୁଟିଳ,

 

ଭିତରେ ଅନଳ ତାହା ବାହାରେ ଶୀତଳ,

ଚକମକି ଶିଳା ତାର ସାର୍ଥକ ଉପମା

ବସିଥିଲା ସଭା ମଧ୍ୟେ ଦମଘୋଷ-ସୁତ

ଚେଦି-ରାଜ ଶିଶୁପାଳ, ଦେଖିଣ ସେ ତହିଁ

 

କୃଷ୍ଣଙ୍କର ଅଗ୍ରପୂଜା, ଦାବେ ବନପ୍ରାୟ

ଅନିର୍ବାର ଈର୍ଷାନଳେ ହେଲା ପ୍ରଜ୍ୱଳିତ,

ପରଶ୍ରୀକାତର ଯଥା ଦେଖି ପରଶିରୀ

ସମ୍ବାଳି ନ ପାରି ଈର୍ଷା, କମ୍ପି କମ୍ପି କ୍ରୋଧେ,

 

କମ୍ପଜ୍ୱର ରୋଗୀ ଯଥା, ପର୍ଜ୍ଜନ୍ୟ-ଗର୍ଜ୍ଜ୍ୱନେ

ଗର୍ଜ୍ଜି, କହିଗଲା ଯାହା ଆସିଲା ମନକୁ,

ଯେସନ ତ୍ରିଦୋଷରୋଗୀ କରଇ ପ୍ରଳାପ

କେତେ କ୍ଷଣେ କଥଞ୍ଚିତ ପ୍ରକୃତିସ୍ଥ ହୋଇ

 

ଶିଶୁପାଳ, ଫଁ ଫଁ ସ୍ୱନେ ପକାଇ ନିଃଶ୍ୱାସ

ଉଚଫଣ ଭୁଜଙ୍ଗ ପ୍ରାୟ, କହିଲା ସମ୍ବୋଧି

ଭୀଷ୍ମେ, ହେ ଗାଙ୍ଗେୟ ! ଭଲା କହ ଶୁଣେବାରେ,

ଏ କେଉଁ ବିବେକସିଦ୍ଧ ବ୍ୟବସ୍ଥା ତୁମ୍ଭର ?

 

ତୁମ୍ଭେ ବୃଦ୍ଧ,-ଅତିବୃଦ୍ଧ ବିଚଳିତ-ମତି,

ନାହିଁ ତବ ଧର୍ମାଧର୍ମ ଭେଦ, ଧର୍ମ ଅଟେ

ଅତି ସୂକ୍ଷ୍ମଦ୍ରବ୍ୟ, ମର୍ମ କି ବୁଝିବ ତାର,

ବାଳକ ପାଣ୍ଡବେ ତବ କ୍ରୂର କୁମନ୍ତ୍ରଣା-

 

ହେତୁ ହରାଇବେ ପ୍ରାଣ, ଏ ଧ୍ରୁବ ବଚନ,

ଯେସନ ଦାତ୍ୟୁହ କୁଳ ଦାତ୍ୟୁହ ଆହ୍ୱାନେ,

କିମ୍ବା ଯଥା ସୁର୍ପଣଖା ବାକ୍ୟେ ଦଶାନନ

ଅପାଣ୍ଡବା ଧରେ ନିଶ୍ଚେ ହେବ ତୁମ୍ଭ ଯୋଗେ

 

କେଉଁ ଗୁଣେ ବଡ଼ କୃଷ୍ଣ, ଗୋପର ଗୋପାଳ ?

ନନ୍ଦଘରେ ଥିଲା ଗୋରୁ ରଖୁଆଳପଣେ,

ହୋଇପାରେ ତୁମ୍ଭ ପରି କ୍ଲୀବ ପକ୍ଷେ ସେହୁ

ବଡ଼, ମାତ୍ର ଏ ସକଳ ସର୍ବଗୁଣାଧାର

 

ନୃପ ତୁଳନାରେ ସେହୁ ହେୟ, ଅତି ହେୟ

ଏତେ ରାଜା (ରାଜୋଚିତଗୁଣେ ବିଭୁଷିତ)

ଥାଉଁ ଥାଉଁ ଏଥି, କହ କିପରି ହେ ଭଲା

ରାଜୋପାଧିଶୁନ୍ୟ ଏହି କଂସାରି କେଶବ,

 

ହେଲା ଅଗ୍ରପୂଜା-ଯୋଗ୍ୟ ବିବେଚ୍ୟ ତୁମ୍ଭର

ପ୍ରସରିଣ ଥିଲା ଯେଉଁ ସୁକୀର୍ତ୍ତି ମହତୀ,

ଧାର୍ମିକତା, ବିବେକିତା, ସୁଶୀଳତା ଆଦି

ପାଣ୍ଡବଗଣର, ତୁମ୍ଭ ଦୁର୍ବୁଦ୍ଧିରୁ ତାହା

 

ଖର୍ବ ହେଲା ଆଜିଠାରୁ, ନିଶ୍ଚୟ ନିଶ୍ଚୟ,

ପାଣ୍ଡବ-ସୌଭାଗ୍ୟ-ରବି ହେଲା ଅସ୍ତମିତ

ବୟୋଜ୍ୟେଷ୍ଠ ଜନେ ଯଦି ଥିଲା ପୂଜିବାର

ଇଚ୍ଛା ତବ, ତେବେ କିଁପା ଉପେକ୍ଷି ଦ୍ରୁପଦେ

 

( ସକଳ ନୃପତି ମଧ୍ୟେ ବୟସେ ସ୍ଥବିର )

ପୂଜା କଲ ଚକ୍ରଧରେ ଚକ୍ରୀ ଚୂଡ଼ାମଣି !

ବିଶେଷେ ଅଛନ୍ତି ପୁଣି ବୃଦ୍ଧ ବସୁଦେବ,

ପିତାସତ୍ତ୍ୱେ ପୁତ୍ରେ ପୂଜା କେଉଁ ଶାସ୍ତ୍ରନୀତି ?

 

ଆଚାର୍ଯ୍ୟ ପୂଜନେ ଯଦି ଥିଲା ଅଭିଳାଷ

ତୁମ୍ଭର ଏକାନ୍ତ, ତେବେ ଉପବିଷ୍ଟ ଏହି

ଶୁକ୍ଳ ଉତ୍ତରୀୟଧାରୀ ଧବଳ ଶ୍ଶଶ୍ରୂଳ

କୁରୁଗୁରୁ ଦ୍ରୋଣାଚାର୍ଯ୍ୟ ବିଦ୍ୟମାନେ, ଆନ

 

କିଏ ଅଗ୍ରପୂଜ୍ୟ ? କିମ୍ବା ଋତ୍ୱିକ କ୍ରମରେ

ପୂଜାର ଆକାଂକ୍ଷା ଯେବେ ପୋଷିଥିଲ ମନେ,

ତେବେ ଛାଡି ସତ୍ତ୍ୱଗୁଣୀ ଦୈପାୟନ ବ୍ୟାସେ,

ପୁଜା କିପାଁ ଜନାର୍ଦ୍ଦନେ ? ଯଦି ରାଜକ୍ରମେ

 

ପୁଜିବାର ଇଚ୍ଛା ତବ, ହେ ନଦୀନନ୍ଦନ !

ତେବେ ଲକ୍ଷସଂଖ୍ୟ-ନୃପ-ମହୁଡର ମଣି

ପୁରୁଷପ୍ରବର କୁରୁବୀର ଦୁର୍ଯ୍ୟୋଧନେ

( ଯା ପ୍ରତି ପଦ-ବିକ୍ଷେପେ ଫୁଟେ ସ୍ୱର୍ଣ୍ଣମୟ

ପଦ ଫୁଲ ) ଛାଡି ଏହି ତ୍ରିପଣ୍ଡ କାଳିଆ

 

କଳାପଚୁଳିଆ କୃଷ୍ଣେ, ପୁଜିଲ କିପରି ?

ଶ୍ରେଷ୍ଠ ଯୋଦ୍ଧା ପୁଜିବାର ଇଚ୍ଛା ଯେବେ ମନେ

ଥିଲା ତବ, ତେବେ ଯାର ଶୈର୍ଯ୍ୟ, ବୀର୍ଯ୍ୟ ତେଜେ

ଭୀତ ଦେବେ, ଥରଥରେ ସସାଗରା ଧରା,

 

ଯେହୁ ଯାମଦଗ୍ନ୍ୟ ଶିଷ୍ୟ, ଅଦ୍ଧ ମହାରଥୀ

ଧରଣୀର, ସେହି ବୀରବର ଚୂଡ଼ାମଣି

ସୂର୍ଯ୍ୟ-ସୂନୁ କର୍ଣ୍ଣ ସଙ୍ଗେ, କେଉଁ ଗୁଣ ସରି

ନନ୍ଦଚାଟ ? ହେଲା ଅଗ୍ରପୂଜାର ଭାଜନ !

 

ଅନନ୍ତର ସର୍ବ ଶସ୍ତ୍ରଶାସ୍ତ୍ରବିଶାରଦ

ମହେଷ୍ୱାସ ଅଶ୍ୱତାମା, ମାତୁଳ ତାଙ୍କର

କୃପ, (ଯେ ଥିଲେ ସଶସ୍ତ୍ର, ଜଗତରେ କେହି

ନ ପାରଇ ଅତିକ୍ରମି ତାଙ୍କୁ) ବୀରବର

 

କିମ୍ପୂରୁଷାଚାର୍ଯ୍ୟ ଦ୍ରୁମ, ( ଦୁର୍ମଦ ସମରେ )

ସୁଲକ୍ଷଣବନ୍ତ ପାଣ୍ଡ୍ୟ, ଦୁର୍ଦ୍ଧଷ ଭୀଷ୍ମକ,

ଏକଲବ୍ୟ, ଭଗଦତ୍ତ, ରୁକ୍ମୀ, କୃପସେନ,

ମଦ୍ରରାଜ ଶଲ୍ୟ, ଆଉ ମୁହିଁ ଆଦିକରି

 

ଗୁଣବାନ ରୁପବାନ କ୍ଷତ୍ରିୟ ଭୂପାଳେ

ତେଜି, କି ବୁଝିଣ ତୁମ୍ଭେ ପୂଜିଲ କହ୍ନାଇ ?

ଯଦି ଅନୁଗତ ଜ୍ଞାନେ ପୂଜିଥାଅ ତାକୁ,

ତେବେ କାହି ପାଇଁ ଏହି ଜ୍ଞାନୀ, ମହାମାନୀ

 

ରାଜଗଣେ ଅର୍ପିବାକୁ ଅପମାନ ଖାଲି

ଆଣିଲ ନିମନ୍ତ୍ରି ? ଧିକ୍ ତୁମ୍ଭ ଅବିଚାରେ !

ବାର୍ଦ୍ଧକ୍ୟ-ବାତୁଳ ଆହେ ଅବିମୃଷ୍ୟକାରୀ

ଭୀଷ୍ମ, ଏହି ଉପସ୍ଥିତ ନୃପତି ସକଳେ

 

ବାହୁବଳେ ଶାସି ତୁମ୍ଭେ ଆଣିଛ ଏଠାକୁ,

କର ନାହିଁ ସ୍ୱପ୍ନେ ସୁଦ୍ଧା ଏରୁପ କଳ୍ପନା !

କରିଅଛ ଧର୍ମକାର୍ଯ୍ୟ ତୁମ୍ଭେ ଆୟୋଜନ,

ଘଟାଇବା ବିଘ୍ନ ତହିଁ ନୁହେଁ ଇଚ୍ଛା କାର,

 

ଏଣୁ ସିନା ସମସ୍ତଙ୍କ ସମାଗମ ଏଥି ?

କିନ୍ତୁ ହୋଇ ବୟୋବୃଦ୍ଧ ତୁମ୍ଭେ, ଆଚରିଲ

ଯେଉଁ ବାଳୋଚିତ କାର୍ଯ୍ୟ, ହାୟ, ସେଥିପାଇଁ

ଅଚିରେ ନିର୍ମୁଳ ହେବ ନିଶ୍ଚେ ପଣ୍ଡୁ କୁଳ !

 

ପଣ୍ଡ ହେବ ତୁମ୍ଭ ପାପୁ ରାଜସୂୟ କ୍ରତୁ

ସମଧର୍ମୀ ବାକ୍ୟେ ସିନା ସମଧର୍ମୀ ଜନ

ପ୍ରକାଶେ ସହାନୁଭୁତି, ଏହା ସ୍ୱାଭାବିକ

ଶିଶୁପାଳ କଟୁବାକ୍ୟେ କଲେ ସମର୍ଥନ

 

ଦୂର୍ଜ୍ଜନ ଭୂପାଳେ, କିନ୍ତୁ ସଜ୍ଜନେ ତାହାକୁ

ମଣିଲେ ବିକୃତ ତିକ୍ତ, ଅସହ୍ୟ ଅତୀବ,

ବାସ୍ୟପାତ୍ରେ ଅମ୍ଳରସ ବିକୃତ ଯେସନ

ଏପରି କାର୍ଯ୍ୟ ବା କଥା ବିରଳ ସଂସାରେ,

 

ହୋଇପାରେ ପ୍ରତ୍ୟେକର ଯାହା ମନୋମତ,

ବିରୋଧୀ ଭାବରେ ସଦା ପୂର୍ଣ୍ଣ ଏ ଜଗତ,

ନିବସନ୍ତି ଦୁଇ ଗୋଟି ବିଭିନ୍ନ ଦଳର

ଜୀବ ଏଥି, ଏକ ଦଳ ମଣେ ଯାକୁ ସୁଖ,

 

ଆନ ତହିଁ ଦେଖେ, ଦୁଃଖ-ଅମା-ରଜନୀର

ବିକଟ କାଳିମାମୟ ନିବିଡ଼ ତାମସ

ପଟ୍ଟଗୃହ-ନିବାସିନୀ ରଜନାମଣ୍ଡଳୀ,

ଶୁଣି ଚେଦୀଶ୍ୱର ଗିରି, କ୍ଷୁବଧ ହେଲେ କେହି,

 

କେହି ବା ବିମୁଗ୍ଧ, ତହିଁ ବାତାୟନ ପାଶେ

ଥିଲେକ ରୁକ୍ମଣୀ ବସି ବ୍ୟଥିତ ନୟନେ,

ଚାହିଁଲେ ସେ ଜୀବେଶ୍ୱରେ, ସୂର୍ଯ୍ୟେ ପଦ୍ମ ଯଥା

କୃଷ୍ଣଙ୍କର ଦୃଷ୍ଟି ସୁଦ୍ଧା ପଡିଲା ସେକାଳେ

 

ରୁକ୍ମିଣୀ ବଦନ-ପଦ୍ମେ, ନୟନେ ନୟନେ

ହେଲା ଦୁହିଁଙ୍କର କଥା, ଆହା ! ରୁକ୍ମିଣୀର

ନୀଳ-ଇନ୍ଦୀବର-ନିନ୍ଦୀ ନୟନଯୁଗଳ

କହିଲା ଯେସନେ କୃଷ୍ଣେ ସଙ୍କେତେ ଏସନ;-

 

ଦୁଃଖିନୀ ରୁକ୍ମିଣୀ-ନାହା ଆହେ ଚଉବାହା !

ତବ ପାଦ-ପଦ୍ମେ ସଦା ବିକା ଏ କିଙ୍କରୀ,

ତେଣୁ ତୁମ୍ଭ ନିନ୍ଦାବାଣୀ ଦିଏ ହୃଦେ ବ୍ୟଥା

କୁଳିଶ ସମାନ, ହାୟ ଏ ସଭାରେ ମୁହିଁ

 

ପାଇଲି ଯେ ନିଦାରୁଣ ମନୋବ୍ୟଥା ଆଜି,

ଜୀବ ଥିବାଯାଏଁ ତାହା ନ ଯିବ ବିସୋରି

ଧିକ ଏ ପାପ ସଭାକୁ ! ନାଥ, ହୁଏ ଯହିଁ

ତୁମ୍ଭ ନିନ୍ଦା, ହେଉ ପଛେ ତାହା ସ୍ୱର୍ଗସ୍ଥଳୀ,

 

ମୋ ନେତ୍ରେ ଆଭାସେ କିନ୍ତୁ ଭୀଷଣ ନରକ

ଉପସ୍ଥିତ ଥିଲେ ଆଜି ବୀର ଧନଞ୍ଜୟ,

ପ୍ରିୟସଖା ତବ ଏଥି, ଶୁଣନ୍ତେ କି ବସି

ତୁମ୍ଭ ନିନ୍ଦାବାଣୀ ? ତାହା ଅସହ୍ୟ ତାଙ୍କର,

 

ଶିଷ୍ୟପକ୍ଷେ ଗୁରୁନିନ୍ଦା ଅସହ୍ୟ ଯେସନ,

ଛେଦି ଚେଦୀଶ୍ୱର ମୁଣ୍ଡ ଗାଣ୍ଡୀବେ ଗାଣ୍ଡୀବୀ,

ଖଣ୍ଡ ଖଣ୍ଡ ପିଣ୍ଡ ତାର କରନ୍ତେ ଦଣ୍ଡକେ

ଅଭାଗିନୀ ଭାଗ୍ୟଦୋଷେ, ରହିଲେ ସେ ଯାଇ

 

ଅଚଳ ପାତାଳ-ପୁରେ, ଶିରେ ଧରି ଧରା,

ସାତଦିନ ହେଲା ସଖା ଅଛନ୍ତି ଉପାସେ

ଏଣୀନେତ୍ରୀ ରୁକ୍ମିଣୀଙ୍କ ନେତ୍ର ଆକୁଳତା

ଦେଖି ବାସୁଦେବ, ତହୁଁ ନୟନ ଇଙ୍ଗିତେ

 

ମୃଦୁ ମନ୍ଦହାସ୍ୟେ ଯେହ୍ନେ ବୋଇଲେ ଏସନ,-

ଦେବି, ଚାରୁ ହାସ୍ୟମୟ ଆସ୍ୟେ ତବ, କିପାଁ

ଦଖାଯାଏ ବିଷାଦର କରୁଣା କାଳିମା ?

ନଳିନୀ-ବଦନ ଆହା ଦୁର୍ଦ୍ଦିନେ ଯେସନ !

 

ସତ୍ୟପାଶେ ଆବଦ୍ଧ ମୁଁ ହୋଇଅଛି ଦେବି,

ଶିଶୁପାଳ ମାତାପାଶେ, ଶତ ଅପରାଧ

କ୍ଷମିବ ପୁତ୍ରର ତାର, ପୂର୍ଣ୍ଣ ତାହା ଆଜି,

ମରଣ ନିକଟ ଯେଣୁ, ତେଣୁ ସେ ଦୁର୍ମତି

 

କରୁଅଛି ଆସ୍ଫାଳନ, ନିର୍ବାଣ ପୂର୍ବରୁ

ଜଳିଉଠେ ଦୀପଶିଖା ପ୍ରଖରେ ଯେସନ,

ଦେଖିବ ଅପେକ୍ଷା କର ଅଳ୍ପକ୍ଷଣେ ସବୁ

ରୁକ୍ମିଣୀ ମାଧବଙ୍କର ଏ ନୟନ-ବାଣୀ,

 

ହେଲା ନୟନେ ନୟନେ, ନ ଶୁଣିଲେ ଆନେ

କୃଷ୍ଣଙ୍କର ମୃଦୁହାସ୍ୟଦେଖି ଶିଶୁପାଳ,

କାରଣ ନ ପାରି ବୁଝି ଭାଳିଲା ଏସନ, -

ନ ହେବାରୁ ମନୋମତ କୃଷ୍ଣର ମୋ କଥା,

 

ହସୁଅଛି ସେହୁ ମୋତେ ଅବଜ୍ଞା ଦେଖାଇ

ଏହା ଭାବି ପ୍ରଜ୍ଜ୍ୱଳିତ ହୁତାଶନେ ଘୃତ

ଢ଼ଳିଲା ପରାୟେ ହୋଇ ଅଗ୍ନିଶର୍ମା କ୍ରୋଧେ,

ଇଚ୍ଛିଲା ସେ କହିବାକୁ କିଛି, ମାତ୍ର ତାର

 

କଣ୍ଠନଳୀ, ଦୁର୍ନିବାର କ୍ରୋଧ ଆବେଗରେ

ହେବାରୁ ସଂରୁଦ୍ଧ, କିଛି ନ ପାରିଲା କହି,

କହୁଁ କହୁଁ ତୁଣ୍ଡ ତାର ଗଲା ଖନି ବାଜି

କେତେ କ୍ଷଣ ପରେ ପୁଣି ଧଇର୍ଯ୍ୟ ସମ୍ଭାଳି

 

ବୋଇଲା ଶ୍ରୀକୃଷ୍ଣେ ଚାହିଁ ଗମ୍ଭୀରେ ହୁଙ୍କାରି,-

(ହୁଙ୍କାରେ ଗମ୍ଭୀରେ ଯେହ୍ନେ ନଭେ ବଳାହକ)

ହେ ଗୋପାଳ-ଚୂଡ଼ାମଣି କୃଷ୍ଣ ବନମାଳ !

କୌଶଳେ କୁକୁର ଯଥା ଖାଏ ଲୁଚାଇଣ

 

ଯଜ୍ଞହବି, ସେହିପରି ତୁମ୍ଭର ଏ ପୂଜା,

କେଉଁ ମୁଖେ କର ଭଲା ହର୍ଷ ଉପଭୋଗ ?

ଶ୍ରେଷ୍ଠଜ୍ଞାନେ ଅଗ୍ରପୂଜା ଅର୍ପିଲେ କୌରବେ

ତୁମ୍ଭଙ୍କୁ, ମୁହୁର୍ତ୍ତ ପାଇଁ ନ ମଣ ଏପରି,

 

ପଣ୍ଡିତେ ଛଳୋକ୍ତି ଛଳେ ମର୍ମନ୍ତୁଦ କଥା

କହିଲା ପରାଏ, ଏହି ମହତୀ ସଭାରେ

କରାଇବାକୁ ତୁମ୍ଭଙ୍କୁ ଉପହାସ୍ୟ ସିନା

ଅର୍ପିଛନ୍ତି ଅଗ୍ରପୂଜା ରସିକ ପାଣ୍ଡବେ !

 

ତୁମ୍ଭ ଯୋଗୁଁ ଆଜି ଏହି ବିରାଟସଭାରେ,

ଅପୂର୍ବ କୌତୁକମୟ ହାସ୍ୟରସ ଏକ

ହେଲା ଅଭିନୀତ, ପୂର୍ବେ ଯଥା ଦେଖାଇଲ

ତୁମ୍ଭେ ହୋଇ ସଭାପତି ଗୋଚର-ପ୍ରାନ୍ତରେ

 

କ୍ଲୀବର ବିବାହ ପୁଣି ସ୍ୱରୁପ ଦର୍ଶନ

ଅନ୍ଧର, ଏ ଦୁଇ କାର୍ଯ୍ୟ ଯଥା ଅସଙ୍ଗତ,

ରାଜା କିମ୍ବା ରାଜପୁତ୍ର ନ ହୋଇ, ତୁମ୍ଭର

ଏ ରାଜପୂଜା ତେସନ ଉପହସନୀୟ

 

ବିବାହେ କ୍ଲୀବର ଯଥା ଲାଭାଲାଭ କିଛି

ନ ଥାଏ, କେବଳ ସେହି ବିବାହିତା ବାଳା

ଲଭେ ସୁଦାରୁଣ କ୍ଲେଶ, ତ ଥାଏ ଏ ପୂଜାରେ

ନାହିଁ କିଛି କ୍ଷତବୃଦ୍ଧି ତୁମ୍ଭର, କେବଳ

 

ତୁମ୍ଭ ପୂଜକ ପାଣ୍ଡବଗଣର ଘଟିବ

ଅଚିରେ ବିପଦ ଘୋର, ଭୁଞ୍ଜିବେ ସେମାନେ

ସ୍ୱକୀୟ କୃତକର୍ମର ସମୁଚିତ ଫଳ

ହେ ମାନି ରାଜେନ୍ଦ୍ରବୃନ୍ଦ, ସହିବ କି ହାୟ !

ନୀରବରେ ବସି ତୁମ୍ଭେ ଏ ଘୋର ଲାଞ୍ଛନା ?

 

ମାନ ଏକା ଅଟେ ସିନା କ୍ଷତ୍ରୀୟ ଜୀବନ,

ନାହିଁ ଯହିଁ ଭେଦାଭେଦ ମାନାପମାନର,

ସେଠାରେ ବସିବା କ୍ଷଣେ ନୁହଇ ଉଚିତ,

ଉଠ ସର୍ବେ ତ୍ୟାଗ କରି ଏହି ପାପ-ସଭା

 

ଏହା କହି ଶିଶୁପାଳ ଉଠିଣ ଆସନୁ

ବାହାରିଲା ସଙ୍ଗେ ଘେନି ଦୁଷ୍ଟ ରାଜଗଣେ

ରାଜଗଣ ଭଙ୍ଗ ଦେଖି ଯଜ୍ଞଙ୍ଗ ଭୟେ

କହିଲେ ବିନୟେ ନୃପ ବିନୟ-ଭୂଷଣ

 

ଯୁଧିଷ୍ଠିର, ଚେଦୀଶ୍ୱରେ ପ୍ରବୋଧ ଏସନ-

ଶିଶୁପାଳ ! ଏ କଠୋର ବ୍ୟବହାର ତବ

ନୁହେଁ ତୁମ୍ଭ ଉପଯୁକ୍ତ, ନୁହଇ ଶୋଭନ

ଉଚ୍ଚମୁଖେ ନୀଚ କଥା, ଜାହ୍ନବୀ-ବଚୟ

 

ଯୋଗାଧ୍ୟାୟୀ ଇଚ୍ଛାମୃତ୍ୟୁ ଭୀଷ୍ମଦେବ ପରା

ନୁହନ୍ତି ଧର୍ମଜ୍ଞ, ଯାହା ବୋଇଲେ ଆପଣ,

ତାହା ଭ୍ରମ, ମହାଭ୍ରମ ନିଶ୍ଚୟ ତୁମ୍ଭର

ମହାତ୍ୟାଗୀ ପିତାମହ, ସମ୍ୟକ ବିଦିତ

 

କୃଷ୍ଣ ମହିମାର ଗୂଢ଼ତତ୍ତ୍ୱ, ଅଗ୍ରେ ତେଣୁ

ପୂଜିବାକୁ କୃଷ୍ଣପାଦ ଦେଲେ ଉପଦେଶ,

ନୀରବ ସଙ୍କେତେ ସର୍ବ ରାଜଗଣ ତହିଁ

ପ୍ରକାଶିଲେ ସ୍ୱସମ୍ମତି, ମନୋମତ ଯାହା

 

ସାଧାରଣଙ୍କର, ତହିଁ କିପାଇଁ ଅରୁଚି

ତୁମ୍ଭର ? ଘୃଷ୍ଟିର ଯଥା ପକ୍ୱରମ୍ଭା ଫଳେ

ମହାବୀର ସୁଧାର୍ମିକ ତୁମ୍ଭେ, ଅକାରଣ

କରି କୃଷ୍ଣନିନ୍ଦା, କିଁପା ନାସ୍ତିକ ବେଭାର

 

ଆଚର ନୃମଣି ! ଘେନିଗଲେ ନୃପଗଣେ

ତୁମ୍ଭେ ସାଥେ, ମହାବିଘ୍ନ ଘଟିବ ମୋହର

ଯଜ୍ଞେ, ଯେଣୁ ସମୁଦାୟ ଧରଣୀର ରାଜା

ନ ଥିଲେ ସମୁପସ୍ଥିତ, ରାଜସୁୟ ଯାଗ

 

ହୁଏ ନାହିଁ ସାଙ୍ଗ, ଏଣୁ କହୁଛି ବିନୟେ,

ପ୍ରଦାନି ମୋ ପ୍ରତି କ୍ଷମା, ସମ୍ବରିଣ କ୍ରୋଧ,

ଫେରିଆସି ସଭା ମଧ୍ୟେ ନୃପତି ଗହଣେ

କରନ୍ତୁ ଉପବେଶନ, ଦୀନେ ଦୟା ବହି

 

ଧର୍ମରାଜ କାକୁ ବାଣୀ ଶୁଣି ଗଙ୍ଗାସୁତ,

ବରାସନୁ ଉଠି ଉଚ୍ଚେ ଭାଷିଲେ ଏ ଗିର

ହେ ଶାନ୍ତିପ୍ରୟାସୀ ନୃପ ସୁଧୀ ଯୁଧିଷ୍ଠିର !

ସଦା ଶାନ୍ତଭାବ ଜାତ ! ନୁହେଁ ଶୋଭନୀୟ

 

ଶାସତବ କ୍ଷତ୍ରିୟଧରା ତେଜେ, ବୀର୍ଯ୍ୟେ, ବଳେ,

ଏହା ସିନା ରାଜନୀତି ବିଶେଷତଃ ପୁଣି

ଦୁର୍ଜ୍ଜନ ନିକଟେ ହେଲେ ଶାନ୍ତପରାୟଣ,

ବଢ଼େ ତହିଁ ଦୁର୍ଜ୍ଜନର ଦୁର୍ନୀତି ପ୍ରଶ୍ରୟ

 

କିପାଁ ସ୍ତବ, ଆତ୍ମଜ୍ଞାନଶୂନ୍ୟ ଶିଶୁପାଳେ ?

ଉଠିଗଲେ ସଭା ମଧ୍ୟୁ ସେହୁ ପଣ୍ଡ ହେବ

ଯଜ୍ଞ ତବ, ଏ ଆଶଙ୍କା କିପାଇଁ ନୃମଣି ?

ଯାଙ୍କ ପ୍ରତି ଲୋମକୂପେ ରାଜଇ ରୁଚିରେ

 

ଅସଂଖ୍ୟ ବ୍ରହ୍ମାଣ୍ଡ, କୋଟି ରାଜା ମହାରାଜା

ନୁହନ୍ତି ଯାହାଙ୍କ ଅଣୁ ପରମାଣୁ ସରି,

ସେହି ଯଜ୍ଞରୁପୀ ହରି, ଥାଉଁ ଉପସ୍ଥିତ

ଯଜ୍ଞେ, ଛାର-ଅତି ଛାର ଏହି ଚେଦୀଶ୍ୱର

 

ଶିଶୁପାଳ ଅଭାବରେ, ବିକଳାଙ୍ଗ ହେବ

ଯାଗ ତବ, ଲାଗେ ଏହା ଅସମ୍ଭବ ବଡ଼ !

ଉଠିଗଲେ ସଭାମଧ୍ୟୁ ଶ୍ରୀକୃଷ୍ଣ ନିନ୍ଦୁକ,

ହେବ ସଭା ନିଷ୍କଳଙ୍କ, କୋକିଳ ସମାଜୁ

 

ଉଠିଗଲେ ଯଥା ଦୁଷ୍ଟ କଟୁରାବୀ କାକ,

ଯାଉ ଉଠି ଶିଶୁପାଳ, ଦୁଷ୍ଟ, କୃଷ୍ଣଦ୍ରୋହୀ,

କେ ଇଚ୍ଛେ ଶ୍ରୀକୃଷ୍ଣ-ନିନ୍ଦା ଶୁଣିବାକୁ କାନେ,

ଜୀବନ୍ତ ନରକ ଭୋଗ କାର ଅଭିପ୍ରେତ ?

 

ହୁଅ ତୁମ୍ଭେ ସ୍ଥିର, ବତ୍ସ ଧୀର ଯୁଧିଷ୍ଠିର !

ଦୁଷ୍ଟ ଶିଶୁପାଳ ଦେହେଁ ଅଛି କୃଷ୍ଣକଳା,

ଯାବତ ସ୍ୱକଳା ହରି ନାହାନ୍ତି ଶ୍ରୀହରି,

ତାବତ କରିବ ସେହୁ ତର୍ଜ୍ଜନ ଗର୍ଜ୍ଜନ

 

ସମାଗତ ସାଧୁନୃପେ ଜାଣନ୍ତି କ୍ଷମତା

ତାର, ସେହି ପଶୁବୁଦ୍ଧି କ୍ରୁର ଶିଶୁପାଳେ

କରି ତୁମ୍ଭେ ସ୍ତୁତି ନତି, କରାଇଲ ସିନା

ହଟହଟା ତାକୁ, ସର୍ବ ନୃପତି-ସମାଜେ

 

ଯାହାଙ୍କୁ ପୂଜନ୍ତି ବିଧି ବିବିଧୋପଚାରେ

ଯଥାବିଧି, ଆଶ୍ରୟ ଯେ ନିଖିଳ ଗୁଣର,

ପୂଜନ୍ତି ତ୍ରୈଲୋକ୍ୟ ଜନେ ଯାହାଙ୍କୁ ମାନସେ,

ପ୍ରକୃତି-ପୁରୁଷରୁପୀ ସେହି ସନାତନେ

 

ନ ପୂଜି ପୂଜନ୍ତି ଆଉ କାହାକୁ ପ୍ରଥମେ ?

ଶାସ୍ତ୍ର ଅନୁସାରେ ଦ୍ୱିଜମଧ୍ୟେ ବୃଦ୍ଧ ଜ୍ଞାନୀ,

କ୍ଷତ୍ରିମଧ୍ୟେ ବଳବାନ, ବୈଶ୍ୟ ଧନିଜନ,

ଆଉ ଶୂଦ୍ରେ ବୟୋବୃଦ୍ଧ ଅଗ୍ରେ ପୂଜନୀୟ,

 

ଏ ନୃପସମାଜେ କିଏ କୁଳେ, ଶୀଳେ, ବଳେ,

ମାନେ କୃଷ୍ଣଠାରୁ ଶ୍ରେଷ୍ଠ ? ଦାନ, ଶାସ୍ତ୍ରଜ୍ଞାନ,

କରୁଣା, ଦାକ୍ଷିଣ୍ୟ ଶୌର୍ଯ୍ୟ, ଲଜ୍ଜା, କୀର୍ତ୍ତି, ଧୃତି,

ଉତ୍ତମା ବୁଦ୍ଧି, ବିନତି, ତୁଷ୍ଟି, ପୁଷ୍ଟି ଆଦି

 

ସର୍ବଗୁଣାବଳୀ କୃଷ୍ଣେ ବିଦ୍ୟମାନ, ଏହା

ଜାଣି ମୁହିଁ, ଅର୍ପି ଅଛି ତାଙ୍କୁ ଅଗ୍ରପୂଜା

ଏ ପୂଜା ଅନ୍ୟାୟ ଯଦି ମଣେ ଶିଶୁପାଳ,

ତେବେ ଯାହା ନ୍ୟାୟ ତାହା ଆଚରୁ ପାମର,

 

କିଏ ଅବା ଭୀତ ତାର ତର୍ଜ୍ଜନ ଗର୍ଜ୍ଜନେ,

ଡ଼ରଇ କି ମହାବଳ ଫେରୁର ଚିତ୍କାରେ ?

ନୀରବନ୍ତେ ଭୀଷ୍ମ, ତହଁ ବୀର ସହଦେବ,

କହିଲେ ଗମ୍ଭୀରେ ଧୀରେ ଅଗ୍ରଜେ ସମ୍ବୋଧି,

 

ଆର୍ଯ୍ୟ ! କୃଷ୍ଣ-ବିଦ୍ୱେଷୀକୁ କରୁଛନ୍ତି କିଁପା

ସ୍ତବ ସ୍ତୁତି ? କୃଷ୍ଣଦାସ-କୃଷ୍ଣଗତପ୍ରାଣ

ଅଟନ୍ତି ଆପଣେ ଯେଣୁ, ତେଣୁ କୃଷ୍ଣାରିକୁ

କରିବା ସାଧନା, ଦେବ ! ନୁହଇ ଉଚିତ

 

ଅପ୍ରମେୟ ପରାକ୍ରମୀ ପ୍ରଭୁ ନାରାୟଣେ

ନିନ୍ଦେ ଯେ ପାମର, ତାର ମସ୍ତକେ ନିକ୍ଷେପି

ବାମପାଦ, କରିଅଛି ମୁହିଁ କୃଷ୍ଣେ ପୂଜା,

କହୁଅଛି ସଗର୍ବେ ମୁଁ ନିଶ୍ଚେ ଏହି କଥା

 

କଟା ଘାଆାରେ ବେଶର ବୋଳିଲା ପରାୟେ

ସହଦେବ କଟୁବାକ୍ୟେ ମଣି ଶିଶୁପାଳ

ଅସହ୍ୟ, ଭୈରବ ରବେ ଉଠିଲା ହୁଙ୍କାରି,

ଦକ୍ଷ ପ୍ରଜାପତି ଯାଗେ ପାଇ ଅପମାନ

 

ହୁଙ୍କାରିଲେ ମହାକୋପେ ମହାରୁଦ୍ର ଯଥା

ଦଳପତି ଶୃଗାଳକୁ ଭୁକିବାର ଦେଖି

ଭୁକନ୍ତି ଯେସନ ତାର ଦଳସ୍ଥ ଶିଆଳେ

ରାତ୍ରିକାଳେ, ଶିଶୁପାଳ ସମଧର୍ମୀ ନୃପେ,

 

ଉଠିଲେ ତେସନ ଗର୍ଜ୍ଜି ଦନ୍ତ କଡ଼ମଡ଼ି,

ମାର ମାର ରବେ ସଭା ଉଠିଲା ମୁଖରି,

କେହି କହେ ମାର ଆଜି ଅନ୍ୟାୟୀ ପାଣ୍ଡବେ

ବୃଷ୍ଣିବଂଶୀ କୃଷ୍ଣସହ, କେହି କହେ ପୁଣି,

 

ନିକ୍ଷେପି ଅମେଧ୍ୟ ହୋମକୁଣ୍ଡେ, ପଣ୍ଡ କର

ଯାଗ, କେହି ଅବା କହେ ସଭୀଷ୍ମପାଣ୍ଡବେ

ବାନ୍ଧି, କ୍ଷେପ ଯଜ୍ଞାନଳେ, ଆହୁତି ପ୍ରକାରେ,

ଘୁଞ୍ଚିଯାଉ ମଞ୍ଚପୁରୁ କ୍ଷତ୍ରକୁଳୁ ପାପ

 

ଧନୁକ ଟଙ୍କାରି କେହି, ଆସ୍ଫାଳିଣ ଅସି

ତୀକ୍ଷ୍ଣଧାର-ତେଜସ୍କର କେହି, କେହି ଅବା

ଆଉ୍ଁଷିଣ ବୀରବେଶ, ସଦର୍ପେ ସକ୍ରୋଧେ

ତର୍ଜ୍ଜମୀ ତର୍ଜ୍ଜନେ ଗର୍ଜ୍ଜି ବଖାଣେ ବହୁତ

 

ପ୍ରତିଜ୍ଞା ନିଜର, ସର୍ବେ ହେଲେ ହୁଡ଼ାହୁଡ଼ି,

ବୀରପଦଭରେ ସଭା କମ୍ପେ ଥରଥରେ

ଥରିଲା ହସ୍ତିନା ପୁରୀ, ଜାହ୍ନବୀ-ମେଖଳା

ଘନଘନ, ଜଣାଯାଏ ଭୂମିକମ୍ପ ପ୍ରାୟେ

 

ଶଙ୍ଖନାଦେ, ବୀରନାଦେ ଧନୁକ-ଟଙ୍କାରେ

ପଡିଲା ଆକାଶେ ଭାଙ୍ଗି, ସେ ବିକଟ ନାଦେ

କର୍ଣ୍ଣର ପଟହ ଗଲା ଛିଡ଼ି, ରଡି ରଡି,

ଚରାଚର ବିକ୍ରାସିତ ସେହି ମହାନାଦେ

 

ମହାପ୍ରଳୟ ଆଶଙ୍କା କଲେ ତହିଁ ଜନେ,

ଯେଣୁ ସେ ସମୟେ ହୋଇ ନଭେ ଏକତ୍ରିତ,

ଆବର୍ତ୍ତ-ସମ୍ବର୍ତ୍ତ-ଦ୍ରୋଣ-ପୁଷ୍କରାଖ୍ୟ ଚାରି

ବାରିବାହ, ଭୀମନାଦେ ନାଦନ୍ତି ସମଘେ

 

ପଟ୍ଟଗୃହ-ଉପବିଷ୍ଟା ପୂରସ୍ଥା ନାରୀଏ,

ଶୁଣି ସେ ଭୀଷଣ ଶବ୍ଦ ହୋଇଲେ ମୂର୍ଚ୍ଛିତା,

କେତେ କ୍ଷଣେ ସଂଜ୍ଞା ଲଭି ରୁକ୍ମିଣୀ ସୁନ୍ଦରୀ,

( ମହା ପତିବ୍ରତା ସତୀ ଭୀଷ୍ମକ-ଦୁହିତା )

କାନ୍ଦେ ସ୍ୱାମୀଙ୍କୁ ଦେଖି ବିପଦ-ସଙ୍କୁଳ,

 

କାନ୍ଦେ ଯଥା କୁମୁଦିନୀ, କୁମୁଦ-ବାନ୍ଧବେ

ଦେଖି ରାହୁଗ୍ରସ୍ତ ହାୟ ! ନେତ୍ରୁ ଦେବୀଙ୍କର

ଝରେ ଖରେ ଅଶ୍ରୁବାରି ହୋଇ ଟୋପା ଟୋପା,

ପୂର୍ଣ୍ଣଗର୍ଭା ଶୁକ୍ତିକା କି ପ୍ରସବୁଛି ମୋତି ?

 

ପକ୍ଷ୍ମକେଶ ଦେଇ ଅଶ୍ରୁ ଗଡିଲା ସମୟେ

ଉପୁଜେ ଏସନ ଆହା, ଅଦ୍ଭୁତ ଉପମା !-

ଦେବୀଙ୍କ ନେତ୍ର-ପିତୁଳା ନେତ୍ର ମଧ୍ୟେ ଥାଇ

ଗୁନ୍ଥେ କି ମୁକୁତା କଳା ରେଶମ ସୁତ୍ରରେ ?

 

ଏଥୁଅନ୍ତେ ପୋଛି ଦେବୀ ଚାରୁ ଚେଳାଞ୍ଚଳେ

ଅଶ୍ରୁବାରି, ଅବଲୋକି ଦ୍ରୌପଦୀ ବଦନ,

କହିଲେ କରୁଣା ବାଣୀ ଅର୍ଦ୍ଧଭଙ୍ଗ ସ୍ୱରେ,-

କୃଷ୍ଣ-ସଖୀ କୃଷ୍ଣେ ! ଦେଖ ସମୁଦ୍ର ସମାନ

 

ଉଚ୍ଛୁଳିଲେ ନରବରେ କ୍ରୋଧେ, ହେବ ଏଥେ

କେଉଁ ଗତି ନାଥଙ୍କର ? ଏହି ଚିନ୍ତାନଳ,

ଦାବଦାହୁ ପ୍ରାୟେ ଦହେ ହୃଦୟେ ସଘନେ

ଉତ୍ତରିଲେ କୃଷ୍ଣା, ଦେବୀ ଜଗତଜନନି !

 

ନରଲୋକେ ନରଦେହେଁ ତୁମ୍ଭେ ଅବତରି

ହୋଇଛି କି ମାତଃ ! ନିଜେ ନିଜକୁ ବିସ୍ମୃତ ?

ତୁମ୍ଭେ କିଏ ପୁଣି ତୁମ୍ଭ ସ୍ୱାମୀ ଅବା କିଏ,

ବିସୋରିଛ ସବୁ, ରାତ୍ରି-ଦୃଷ୍ଟ ସ୍ୱପ୍ନ ପରି

 

ଜଗତ୍ପତି-ପ୍ରାଣପ୍ରିୟେ ! ଏହି ମୁଷ୍ଟିମେୟ

ନଗଣ୍ୟ ନୃପତିଗଣ ଗର୍ଜ୍ଜୁଛନ୍ତି ବୃଥା,

ଯଥା ଶରତ୍କାଳ ମେଘ କିମ୍ବା ଶୁନ୍ୟଘଟ,

କି କରିପାରିବେ ସେହୁ ତୁମ୍ଭ ସ୍ୱାମୀଙ୍କର,

 

ପାରନ୍ତି କି ଶଶାପଲ ହର୍ଯ୍ୟକ୍ଷେ ଧରଷି ?

ଦେବ, ଯକ୍ଷ, ରୁକ୍ଷଃ, ନାଗ, ଦାନବ, ମାନବ,

ଖେଚର, ଭୂଚର, ବନ, ସାଗର, ପର୍ବତ,

ନଦ, ନଦୀ, ବୃକ୍ଷ, ଲତା, ଦେଖୁଛ ଯା କିଛି

 

ଜଗତେ, ସକଳ ସୃଷ୍ଟ ତୁମ୍ଭ ସ୍ୱାମୀଠାରୁ,

ତାଙ୍କରି ଶରୀରେ ହେବେ ବିଲୀନ ଅନ୍ତିମେ

ଇଚ୍ଛା କଲେ ତୁମ୍ଭ ସ୍ୱାମୀ, ମୁହୁର୍ତ୍ତ ମଧ୍ୟରେ

ପାରନ୍ତି ଜଗତେ କରି ଧୁମେ ପରିଣତ,

 

ଏ ସଂସାର ତାହାଙ୍କର ସିନା ଖେଳଘର,

ଇଚ୍ଛାମତ ଭାଙ୍ଗି ଗଢ଼ି ପାରନ୍ତି ସେ ତାକୁ

ଧର୍ମ, ଜ୍ଞାନ, ପ୍ରେମ, ଭକ୍ତି, କର୍ମ, ଏ ସକଳ

ସାଧୁବିଷୟର ହୋଇ ଆଦର୍ଶ ଶିକ୍ଷକ

 

ତୁମ୍ଭ ସ୍ୱାମୀ ଲୀଳାମୟ, ମାନବ ସମାଜେ

ଦର୍ଶନ ପ୍ରଦାନ ସିନା କରିଛନ୍ତି, ଦେବି !

ମୋର ପ୍ରିୟସଖା କୃଷ୍ଣେ କରିବ ଧର୍ଷଣ,

ଏସନେକ ଶକ୍ତିଧର ନାହିଁ ତ୍ରିଭୁବନେ,

 

ତେବେ ଯାହା ଦେଖୁଅଛ ଦେବୀ ଜଗନ୍ନାତା !

ଉପସ୍ଥିତ କ୍ଷେତ୍ରେ, ଅଛି ତହିଁ ବକ୍ରଠାଣି

ଚକ୍ରଧରଙ୍କର କିଛି ବକ୍ରଚକ୍ର, ସେହି

ମହାଚକ୍ରୀଙ୍କର ଚକ୍ର କରିବାକୁ ଭେଦ

 

କେ ହେବ ସମର୍ଥ ଏହି ବିଶ୍ୱ ଚରାଚରେ ?

ଅଟେ ତାହାଙ୍କର ବ୍ରତ, ଦୁର୍ଜ୍ଜନ-ଦଳନ,

ସଜ୍ଜନ-ପାଳନ ପୁଣି ଭୁଭାର ବିନାଶ,

ସେଥିରେ ଦୃଷ୍ଟାନ୍ତ ଏକ ହେବ ପ୍ରଦର୍ଶିତ

ଆଜି ଏ ସଭାରେ, ତାହା ଦେଖିବେ ସକଳେ

 

Unknown

ତୃତୀୟ ସର୍ଗ

 

ଅନନ୍ତର ରାଜଗଣେ ଦେଖି ପ୍ରକୃପିତ

ଧର୍ମରାଜ ଯୁଧିଷ୍ଠିର, ଦେବଗୁରୁ ଜୀବେ *

ପୁଚ୍ଛିଲା ପରାୟେ ଇନ୍ଦ୍ର ପରାମର୍ଶ, ହୋଇ

ଅତିବ୍ୟଗ୍ର, ଭୀଷ୍ମଦେବେ ପୁଚ୍ଛିଲେ କାତରେ,

*ବୃହସ୍ପତି

 

ପିତାମହ ! ରାଜାଗଣ ପ୍ରଳୟାଗ୍ନି ପରି

ଦୁର୍ନିବାର କ୍ରୋଧାନଳେ ଉଠିଲେ, ପ୍ରଜ୍ଜ୍ୱଳି,

ପୃଥିବୀର ରାଜାଗଣ ମୋହୋ ବିରୁଦ୍ଧରେ

ଠିଆ ହେଲେ ଅସ୍ତ୍ର ଧରି, କେ ରଖିବ ମୋତେ ?

 

ବୋଲନ୍ତୁ ଏଥିର ଦେବ !ପ୍ରତିକାରୋପାୟ,

ଭବିଷ୍ୟତ ଭାବି ମୁହିଁ ନିତାନ୍ତ ଆକୁଳ

ଈଷଦ୍ଧାସ୍ୟେ ଭୀଷ୍ମ ତହୁଁ ବୋଇଲେ ଏସନ,

ହେ ପାର୍ଥ ପୃଥିବୀପତି ବତ୍ସ ଯୁଧିଷ୍ଠିର !

 

ସ୍ୱଭାବତଃ ଧର୍ମପ୍ରିୟ ବ୍ରାହ୍ମଣ ସମାନ

ସ୍ୱଭାବ ତୁମ୍ଭର, ତେଣୁ କହୁଛ ଏପରି

ସ୍ରଷ୍ଟା, ମାତା, ନିୟନ୍ତା ଯେ ବିଶ୍ୱ ବ୍ରହ୍ମାଣ୍ଡର,

ମୀନରୁପେ ଉଦ୍ଧାରିଲେ ଯେହୁ ଚତୁର୍ବେଦେ,

 

କୂର୍ମରୂପେ ପୁଣି ପୃଷ୍ଠେ ଧରିଲେ ଧରଣୀ,

ବରାହାବତାରେ ଦୀର୍ଘ ଦଶନାଗ୍ରେ ଧରି

ଉଦ୍ଧାରିଲେ ଜଳମଗ୍ନା ରସା ରସାତଳୁ,

ଧରି ନରସିଂହ ମୂର୍ତ୍ତି ବିଦାରିଲେ ନଖେ

 

ହିରଣ୍ୟକଶିପୁ ବପୁ, ବାମନାବତାରେ

ଛଳି ମହାବଳୀ ବଳି, ଚାପିଲେ ପାତାଳେ,

ପର୍ଶୁଧରରୂପେ ଧରି କୁଠାର ପରଶୁ,

ନିର୍ମୂଳିଲେ କ୍ଷତ୍ରକୁଳ ଏକବଂଶ ବାର,

 

ତେତ୍ରାଯୁଗେ ରାମରୁପେ ମଣ୍ଡି ରଘୁକୂଳ

ସର୍ବଂଶେ ନାଶିଲେ ଯେହୁ ପୌଲସ୍ତ୍ୟ ରାବଣେ,

ସେହି ଅନ୍ତର୍ଯ୍ୟାମୀ ହରି, ଏବେ କୃଷ୍ଣରୁପେ

ଅବତୀର୍ଣ୍ଣ ଧରାଧାମେ ଭୂଭାର ହରଣେ

 

ଅନ୍ତିମ ଅୟନ ସେହି ନାରାୟଣେ ପୁଜି,

କରୁଛ ବିପଦାଶଙ୍କା କିପାଇଁ ପୋଷଣ ?

ଭୁଲାଇଛି ଶିଶୁପାଳ ଖଳ ମହୀପାଳେ

ଖଳବାକ୍ୟେ, ସମସ୍ତଙ୍କୁ ସଙ୍ଗେ ଘେନି ଯେଣୁ

 

ଯିବ ଯମାଳୟେ, ଯଥା ଶନିବାରେ ଶବ,

ପୁଷ୍କର ଦୋଷରେ ଜ୍ଞାତି, ବନ୍ଧୁ, ପରିବାର,

ପ୍ରତିବେଶୀ ଜନେ ଖୋଜି ନିଏ ସଙ୍ଗୀ କରି

ପ୍ରସୁପ୍ତ ହୁର୍ଯ୍ୟକ୍ଷ ପାଶେ ଯଥା ଶ୍ୱାନପଲ

 

କରନ୍ତି ଗର୍ଜନ, ମାତ୍ର ହେଲେ ଜାଗରିତ

ପଶୁରାଜ, ଇତସ୍ତତଃ ପଳାନ୍ତି ତରାସେ,

ରୋଷ-କଷାୟିତ ନେତ୍ରେ ସେପରି ଯାବତ

ନାହାନ୍ତି ନୃସିଂହ ଚାହିଁ, ତାବତ ଚିତ୍କାର

 

କରିବେ ନୃପତି-ଶ୍ୱାନେ, କାଣ୍ଡଜ୍ଞାନହୀନ

ପ୍ରଜ୍ଜ୍ୱଳିତ ଅଗ୍ନି ଦେଖି ପତଙ୍ଗ ଯେସନ,

ପ୍ରକାଶିଣ ଲମ୍ଫ ଝମ୍ଫ ଅତୁଳ ବିକ୍ରମେ,

ଅବଶେଷେ ପଡି ତହିଁ ହୁଏ ଭସ୍ମୀଭୂତ,

 

ତେସନ ଏ ମହୀପାଳେ ଶିଶୁପାଳ ସହ

କେଶବଙ୍କ କୋପାନଳେ ଯିବେ ଖରେ ନାଶ

ଗଙ୍ଗା-ସୁନୁ-ଗିର-ଶିରେ ହୋଇ ଜର୍ଜରିତ

ଚେଦୀଶ୍ୱର, ଗ୍ରୀବା ଭାଙ୍ଗି ସଗର୍ବ ଠାଣିରେ,

 

ଚାହିଁଲା ତରାଟି ଭୀଷ୍ମେ, ବିକଟ ଚାହାଣି,

ଘୂରେ ଘୋର ଆବର୍ତ୍ତରେ ଡ଼ୋଳା, ଘୁରେ ଯଥା

କୁମ୍ଭକାର ଚକ୍ର କୁମ୍ଭ ପ୍ରସ୍ତୁତ ସମୟେ

ସ୍ତୋକମାତ୍ର ଗଲା ଏହି ମତେ, ତହୁଁ ବୀର,

 

ସକଳ-ଜଳଦ ସ୍ୱରେ ବୀରତ୍ୱବ୍ୟଞ୍ଜକ

ହୁଙ୍କାର ହୁଙ୍କାରି, ଉଚ୍ଚେ ଭାଷିଲା ଏସନ,-

ଧିକ୍ କୁରୁକୁଳଗ୍ଲାନି ରେ ବୃଦ୍ଧବାତୁଳ

ଭୀଷ୍ମ ! କି କହିବ ତୋତେ ? କହିଛି ଆଗରୁ,

 

ବୃଦ୍ଧତ୍ୱ ହେତୁ ହରାଇ ତୁ ସମସ୍ତ ଜ୍ଞାନ,

ହୋଇଛୁ ବିକ୍ଷିପ୍ତ ମୂଢ଼ ! ଅଧଃପତନର

ତାମସ ବିବରେ, ଧିକ୍ ଧିକ୍ ତୁ ପାମର !

ଅଜାଣିତ ଆଗେ କହ କୃଷ୍ଣର ବଡିମା,

 

ସଭାସ୍ଥ ଭୂପାଳ ମଧ୍ୟେ ନ ଜାଣେ କିଏ ସେ

କୃଷ୍ଣ କୀର୍ତ୍ତିଚନ୍ଦ୍ର କୀର୍ତ୍ତି ? ସେହି ନରାଧମ

ବଧିଲା ଅବଳାଜାତି ପୂତନା ରାକ୍ଷସୀ,

ଭାଙ୍ଗିଲା ଶଗଡ଼ ଖଣ୍ଡେ-ଜୀର୍ଣ୍ଣ ଶୀର୍ଣ୍ଣ ଅତି,

 

ଟେକିଲା ବଲ୍ଲୀକ ସମ ଗୋବର୍ଦ୍ଧନ ଗିରି,

ତୁ ବୃଦ୍ଧ, ଅଶକ୍ତ, ତେଣୁ ଏ ସକଳ କଥା

ହୋଇପାରେ ତୋହ ପକ୍ଷେ ଆଶ୍ଚର୍ଯ୍ୟ ଅଦ୍ଭୁତ,

କିନ୍ତୁ ପ୍ରବାହିତ ଉଷ୍ମ ଶୋଣିତ ଯା ଦେହେ,

 

ତୁ୍ଚ୍ଛ, ଅତି ତୁଚ୍ଛ ତାହା ନିକଟରେ ଏହା

କହୁ ପରା ତୁହି କୃଷ୍ଣ ପୂର୍ଣ୍ଣବ୍ରହ୍ମ ବୋଲି ?

ଆଚ୍ଛା, ମୁଁ ପଚାରେ ତୋତେ, ଗୋପାଳ ନିକଟେ

ପୂଣ୍ଣବ୍ରହ୍ମତତ୍ତ୍ୱଚିହ୍ନ କି ଦେଖିଛୁ ତୁହି ?

 

ମାନବ-ସମାଜେ ଯାହା ବିରୁଦ୍ଧ ଆଚାର,

ଯାହା ସର୍ବ ଧର୍ମଶାସ୍ତ୍ର ଅନନୁମୋଦିତ,

ସେହି କାର୍ଯ୍ୟେ ଲିପ୍ତ ଥାଏ ତୋର କୃଷ୍ଣ ସଦା

ରମଣୀ, ଗୋଜାତି, ଦ୍ୱିଜ ଆଉ ଅନ୍ନଦାତା,

 

ଏମାନେ ଅବଧ୍ୟ, ଏହା ଶାସ୍ତ୍ରର ନିୟମ,

ପାପାତ୍ମା କୃଷ୍ଣର ମାତ୍ର ଅକାର୍ଯ୍ୟ କି ଭବେ ?

କରିଛି ସେ ନାରୀବଧ ପୁତନା ନିପାତେ,

ବଧିଛି ମାତୁଳେ ପୁଣି ଅନ୍ନଦାତା କଂସେ,

 

ଏହି କି ଲକ୍ଷଣ ଭୀଷ୍ମ ! ପୁର୍ଣ୍ଣବ୍ରହ୍ମତ୍ୱର ?

ଯଦି କୃଷ୍ଣ ପୂର୍ଣ୍ଣବ୍ରହ୍ମ, ତେବେ ସେ କିପାଇଁ

ଜରାସନ୍ଧ ଭୟେ ଲୁଚେ ସାଗର ଗରଭେ ?

ଶେଷେ ଦୁଷ୍ଟ ଧରି ଛଦ୍ମ ବ୍ରାହ୍ମଣ ମୂରତି,

 

ମରାଇଲା କୂଟ ଯୁଦ୍ଧେ ଭୀମ ହାତେ ତାକୁ

ତୁମ୍ଭେ ଯଥା ବ୍ରହ୍ମଚାରୀ, ଭଣ୍ଡ ଭୀଷ୍ମ, ତଥା

ତୁମ୍ଭ କୃଷ୍ଣ ପୂର୍ଣ୍ଣବ୍ରହ୍ମ, ଆହା ଗୁଣମଣି !

ତୁମ୍ଭର ତ ସୁଦ୍ଧା ବହୁ ଗୁଣ ବିଦ୍ୟମାନ

 

କାଶୀରାଜକନ୍ୟା ଅମ୍ବା, ଶାଲ ନରବରେ

ଥିଲା ବରି, ହରିମଧ୍ୟା ଧନୀ ସ୍ୱାମିପଣେ,

ତୁ ନିର୍ଲଜ୍ଜ ହରି ଆଣି ତାକୁ, କି ଅଜ୍ଞାତ

କାରୁଣରୁ ପୁଣି କଲୁ ବିବର୍ଜ୍ଜନ,

 

କଲେ ନାହିଁ ଶାଲ୍ୱ ତାକୁ ପୁନଶ୍ଚ ଗ୍ରହଣ,

ତେଣୁ ସେ ଅନଳେ ଝାସି ତେଜିଲା ଜୀବନ

ସ୍ତ୍ରୀଘାତୀ ପାତକୀ, ଖଳ, ଆରେ କୁରୁଗ୍ଲାନି !

ସମ୍ଭାଳି ଆତ୍ମମର୍ଯ୍ୟାଦା ରହି ତୁନି ହୋଇ,

 

ନୋହିଲେ ଏ ରାଜଗଣ ସମକ୍ଷେ ଏକ୍ଷଣି,

ଲଭିବୁ ଲାଞ୍ଛନା, ଲଜ୍ଜା, ଘୋର ଅପମାନ

କନକ ଆସନୋପରି ଭୀମକର୍ମ୍ମା ଭୀମ,

ଥିଲେ ଉପବିଷ୍ଟ, ଶୁଣି ସେହୁ ପିତାମହ

 

ଭୀଷ୍ମଙ୍କର ନିନ୍ଦା, ତାହା ନ ପାରିଲେ ସହି,

ନ ପାରଇ ସହି ଯଥା ସୁକୃତି ନନ୍ଦନ,

ପିତୃପିତାମହ ନିନ୍ଦା ! ଉଠିଣ ତଡ଼ତି

ବୀର, ଏକ ଉଲ୍ଳମ୍ଫନେ କୁଦି ସିଂହାସନୁ

 

ପଡିଲେ ଭୁତଳେ, ମହାଭୟଙ୍କର ନାଦେ

ଆରକ୍ତ-କମଳ ପ୍ରାୟ ନୟନଯୁଗଳୁଁ

ତାହାଙ୍କର, ନିଃସରିଲା ଖରେ ଅଗ୍ନିକଣା,

ମଦନ-ଦହନକାଳେ ହରନେତ୍ରୁ ଯଥା

 

ବିଶାଳ ଲଲାଟପଟେ ଭୟଙ୍କରରୂପେ

ଉତଫୁଲ୍ଲି ତ୍ରିବଳୀ-ରେଖା, ଶୋଭିଲା ରୁଚିରେ

ତ୍ରିକୂଟ ଶିଖରେ ଯଥା ତ୍ରିପଥଗାମିନୀ

ଗଙ୍ଗା, ସଂଘର୍ଷିଣ ଦନ୍ତେ ଦନ୍ତ ବକ୍ରକାୟ,

 

ଜୀଇ ଥାଉଁ ଥାଉଁ ଭୀମ, ଅଛି ସାଧ୍ୟ କାର

କରିପାରେ ପିତାମହେ କିମ୍ବା ବାସୁଦେବେ

ନିନ୍ଦା, ଏକ ମୁଷ୍ଟ୍ୟାଘାତେ ଏହି ମୂହୁର୍ତ୍ତରେ

ଚୂର୍ଣ୍ଣିବି ମସ୍ତକ ତାର, କରି ତିଳ ତିଳ

 

ଏହା କହି ଭୀମସେନ ମାରି ଭୀମକୁଦା

ଉତ୍ତୋଳିଣ ବଜ୍ରମୁଷ୍ଟି, ରେରେକାର ରବେ

ହେଲେ ପ୍ରଧାବିତ ଦୁଷ୍ଟ ଶିଶୁପାଳ ପ୍ରତି,

ବୁଭୁକ୍ଷୁ କେଶରୀ ଯଥା ସଞ୍ଚାଳି କେଶର,

 

ଧାଏଁ ଖାଦ୍ୟ ମୃଗେ ଦେଖି ପବନ ପ୍ରଖରେ

ମୂର୍ତ୍ତିମାନ କ୍ରୋଧସମ ଧାଇଁବାର ଦେଖି

ଭୀମେ, କୁରୁବୃଦ୍ଧ ଭୀଷ୍ମ, ଧାଇଁ ଯାଇଁ ତହୁଁ

ଧରିଣ ପାବନି ହସ୍ତ କଲେ ନିବାରଣ,

 

ନିବାରନ୍ତି ଯଥା ଦେବଦେବ ଚନ୍ଦ୍ରଚୁଡ଼,

ବିବୁଧ-ବାହିନୀ-ପତି-ସ୍କନ୍ଦ * କର ଧରି

ମଧୁରେ କୋମଳେ ଭୀଷ ଭାଷିଲେ ଭାରତୀ-

କ୍ଷାନ୍ତି ହୁଅ, କ୍ଷାନ୍ତ ହୁଅ, ବତ୍ସ ବୃକୋଦର !

* ସ୍କନ୍ଦ-କାର୍ତ୍ତିକେୟ

 

ଚେଦୀଶ୍ୱରେ ସଂହାରିବା, ହେ ଶୂର-ଶାର୍ଦ୍ଦୁଳ,

ନୁହେଁ ତବ କାର୍ଯ୍ୟ, ସେହୁ ଅବଧ୍ୟ ତୁମ୍ଭର

ବଖାଣୁଛି ମୁହିଁ ସେହି ଗଭୀର ରହସ୍ୟ,

ଶୁଣ ବାବୁ ! ତୁମ୍ଭେ ତାହା ହୋଇ ଅବିହିତ

 

ଉଦ୍ବେଳ ସାଗର ଯଥା ଶକ୍ତି ସତ୍ତ୍ୱେ ତଟେ

ନ କରଇ ଉଲ୍ଲଙ୍ଘନ, ତଥା ଭୀମବାହୁ

ଭୀମ ନ ପାରିଲେ ଭୀଷ୍ମବାକ୍ୟେ ଅତିକ୍ରମି

ଏହିକାଳେ ସତ୍ୟବ୍ରତେ ଡ଼ାକି ଶିଶୁପାଳ,

 

ବୋଇଲା ଗମ୍ଭୀର ସ୍ୱରେ-ହେ, ଶାନ୍ତନୁ-ସୁତ !

ଛାଡ଼ ଛାଡ଼ ବୃକୋଦରେ, ଧର ନାହିଁ ତାକୁ,

ଖରେ ଆସି ମୋ ସହିତେ ଯୁଝୁ ସେ ପାମର,

ସଭାସ୍ଥ ନୃପତିବୃନ୍ଦ ମଧ୍ୟସ୍ଥ ଭାବରେ

 

ଦେଖନ୍ତୁ କାହାର ଅଛି କେତେ ବୀରପଣ

ଛାଡ଼ ଛାଡ଼ ବେଗେ ଛାଡ଼ ବିଳମ୍ବ ନ କର,

ଛିଣ୍ଡାଏ ତା ମୁଣ୍ଡ ଏକ ବ୍ରହ୍ମଚାପୁଡ଼ାରେ

ଚେଦିର ଗଗନଭେଦୀ ଚିତ୍କାରେ ଏସନ,

 

ନ କରିଣ କର୍ଣ୍ଣପାତ ତିଳେ ସତ୍ୟବ୍ରତ,

ସୁଧିରେ ସମ୍ବୋଧି ଭୀମେ ବୋଇଲେ, ହେ ତାତ,

ଶୁଣ ଶିଶୁପାଳ ଜନ୍ମ କୌତୁକ କାହାଣୀ,

ଯେତେବେଳେ ଏ ପାପାତ୍ମା ଚେଦିରାଜଗୃହେ

 

ଜନମିଲା ଚତୁଷ୍କର ତ୍ରିନେତ୍ର ରୁପରେ,

ତେତେବେଳେ ଚେଦିରାଜ୍ୟେ ଘୋର ଦୁର୍ଲ୍ଲକ୍ଷଣ

ହେଲା ସଘଟିତ, ଘୋର ନାଦେ ଘନ ଘନ

ହେଲା ଉଲକାପାତ, ଧରା ଥରିଲା ସଘନେ,

 

ଜଣାଗଲା ମୁହୁର୍ମୁହୁଃ ଭୂମିକମ୍ପ ପ୍ରାୟେ,

ଦିବସେ ରଜନୀ ପ୍ରାୟ ଘୋର ଅନ୍ଧକାର

ଘୋଟିଲା ଚୌଦିଗେ, ସର୍ବେ ଗଣିଲେ ପ୍ରମାଦ,

ଭୂମିଷ୍ଠ ହୋଇବା ମାତ୍ରେ ଜନନୀ-ଜଠରୁ

 

ଶିଶୁପାଳ, ଖର ପ୍ରାୟ ବିଭୀଷଣ ରଡି

ଛାଡିଲା ଗମ୍ଭୀରେ, ଶୁଣି ସେ ଭୈରବ ରବ,

ସୂତିକା ଗୃହର ସର୍ବ ରମଣୀ-ମଣ୍ଡଳୀ

ହେଲେ ମୂର୍ଚ୍ଛାଗତ, ତାର ଜନନୀ ସହିତେ

 

ଅସ୍ୱାଭାବିକ ଆକୃତି ଦେଖିଣ ପୁତ୍ରର

ଦମଘୋଷ ହୋଇ ଅତି ଭୀତ, ତେଜିବାକୁ

ଇଚ୍ଛିଲେ ତାହାକୁ, ଭାବି ମାନସେ ଏସନ-

ହାୟ ବିହି ! ନିହିଥିଲୁ ଏହା କି କପାଳେ

 

ମୋର, ହେବି ମୁହିଁ ହାୟ କୁପୁତ୍ରର ପିତା !

ଶୁଣି ପୁତ୍ରଳାଭ ବାର୍ତ୍ତା ଉଦବେଳିଣ ଥିଲା

ମୋର ଯେଉଁ ହର୍ଷ-ବୀଚି ହୃଦୟ-ସାଗରେ,

କିଏ ଜାଣିଥିଲା ଅବା ତାହା ପର କ୍ଷଣେ

 

ପରିଣତ ହେବ ହାୟ ନିରାନନ୍ଦ-ବିଷେ !

କିଏ ଜାଣିଥିଲା, ସୁଖ-ସହସ୍ରଦୀଧିତି

ଉଇଁବା ପୂର୍ବରୁ, ତାକୁ ଗରାସିବ ଖରେ

ଦୁଃଖ-ରାହୁ, ମଣୁଥିଲି ହାୟ ମୁହିଁ ଯାକୁ

 

ଆଶାର ଆଲୋକ, ତାହା ସିନା ନୈରାଶ୍ୟର

ଉଆଁସ ତିମିର ! ଶତପୁତ୍ର ଏହିଭଳି

ଜାତ ହେଲେ ମୋର, କିଏ ବା କହିବ ମୋତେ

ପୁତ୍ରବାନ ? ବରଂ ଏକ ସୁନନ୍ଦନ, କୁଳେ

 

ଜନମିବା ଶ୍ରେୟସ୍କର, ଏକ ଚନ୍ଦ୍ର ସିନା

ହରେ ତମଃ, କି କରନ୍ତି ଅସଂଖ୍ୟ ତାରକା ?

ହାୟ ମୋର ଦୁରଦୁଷ୍ଟ ! ବିଶୁଦ୍ଧ କାଞ୍ଚନ

ହେଲା ବେଙ୍ଗି ପିତ୍ତଳ ସେ ମୋର ଭାଗ୍ୟଦୋଷ,

 

ପିତୃଶ୍ରାଦ୍ଧ ଦାନେ ପୁତ୍ର, ପୁତ ନରକରୁ

ଊଦ୍ଧାରେ ପିତାକୁ, ହାୟ ! ସେ ସ୍ୱର୍ଗୀୟ ସୁଖ

ନାହିଁ ମୋର ମନ୍ଦ ଭାଗ୍ୟେ, ତେବେ ବା କିପାଇଁ

ଭାଳୁଅଛି ବୃଥା ମୁହିଁ, କି ଫଳ ତହିଁରେ ?

 

ଚିନ୍ତା-ତରୀ ଆଶ୍ରା କରି କେହି କି ରେ କେବେ

ତରିଅଛି ଦୁଃଖପୁର୍ଣ୍ଣ ଅପାର ସାଗର ?

ନିୟତି ଅଲଙ୍ଘ୍ୟ, ଏହା ଶାଶ୍ୱତ ନିୟମ,

କେ ଲଙ୍ଘିବ ତାକୁ ବଳେ, ଛଳେ ବା କୌଶଳେ ?

 

ବରଂ ନିଃସନ୍ତାନ ହେବା ଶତଗୁଣେ ଶ୍ରେୟଃ,

ଏଭଳି ସନ୍ତାନେ କିନ୍ତୁ ନାହିଁ ପ୍ରୟୋଜନ

ଲୋକରକ୍ଷୀ କ୍ଷତ୍ରକୁଳେ ଦୁର୍ଲଭଶୀଳ

ପୁତ୍ର କରେ କୁଳନାଶ, ବିଶେଷତଃ ମୋର

 

ଚେଦିମହାକୁଳେ, ଶ୍ରେଷ୍ଠ ଉଚ୍ଚୈଶ୍ରବାକୁଳେ

ଶୋଭେ କି ଗର୍ଦ୍ଦଭ ? କୂଳମର୍ଯ୍ୟାଦ ରକ୍ଷଣେ

କୁପୁତ୍ର ବର୍ଜ୍ଜନ ନୁହେଁ ଅଧର୍ମ ଆଚାର,

ଅତଃ ଏ କୁପୁତ୍ରେ ତ୍ୟାଗ ସର୍ବଥା ବିହିତ

 

ଏକାଳେ ଆକାଶୁ ହେଲା ଅଶରୀରୀ ବାଣୀ-

ନ କର ବର୍ଜ୍ଜନ ଏହି ବାଳକେ ନୃବର !

ଶ୍ରୀମନ୍ତ ବଳିଷ୍ଠ ପୁତ୍ର ହେବ ଏହି ଶିଶୁ

ତୁମ୍ଭର, ଜଗତେ ହେବ ଦୁର୍ଦ୍ଦର୍ଷ, ଦୁର୍ଜ୍ଜୟ,

 

ଅତିରିକ୍ତ ବାହୁଦ୍ୱୟ ଯାହାର ପରଶେ

ଛିନ୍ନ ହେବ, ଲୀନ ହେବ ତୃତୀୟ ନୟନ

କପାଳେ, ଏହାର ସେହୁ ଘାତକ ନିଶ୍ଚୟ

ନିଦାଘେ ଚାତକ କର୍ଣ୍ଣେ ଘନ ଗରଜନ

 

ପରାୟେ ମଣିଲେ ନୃପ ଏ ଆକାଶ-ବାଣୀ,

ପାଳିଲେ ଶିଶୁପାଳକୁ ତେଜି ମନୁ ଭୀତି

ଶିଶୁର ଏ ଅତ୍ୟଦ୍ଭୁତ ବୃତ୍ତାନ୍ତ ଚୌଦିଗେ

ବ୍ୟାପିଲା, ବ୍ୟାପଇ ଯଥା କରମାଳି-କର

 

ରୁଣ୍ଡ ହେଲେ ଦମଘୋଷପୁରେ, ଆହା ! ଯଥା

ମହାବାରୁଣୀଯୋଗରେ ମହାଜନ-ସ୍ରୋତ,

ରୁଣ୍ଡୀଭୁତ ପୁତକୋୟା ବୈତରଣୀ ତୀରେ

ସମସ୍ତଙ୍କୁ ଯଥାବିଧି ଅର୍ଚ୍ଚି ଚେଦୀଶ୍ୱର,

 

ଦେଲେ ପୁତ୍ରେ ଏକେ ଏକେ ସମସ୍ତଙ୍କ କୋଳେ,

ପୁତ୍ରର ଘାତକ କିଏ ଜାଣିବା ଇଚ୍ଛାରେ

କାହାରି ପରଶେ କିନ୍ତୁ ହେଲା ନାହିଁ ଛିନ୍ନ

ଉପବାହୁ, ନେତ୍ରଲୋପ, ଅଦ୍ଭୁତ ଶିଶୁର

 

କୃଷ୍ଣଙ୍କର ପିତୃସ୍ୱସା ଶିଶୁପାଳମାତା,

ଦିନେ ରାମ, କୃଷ୍ଣ ବେନି ଦେଖିବାକୁ ଶିଶୁ,

ଉପସ୍ଥିତ ହେଲେ ଆସି ପିତୃସ୍ୱସା ପୁରେ,

ଶିଶୁପାଳ ମାତା ସ୍ନେହେ ଭ୍ରାତୁଷ୍ପୁତ୍ରଦ୍ୱୟେ

 

ପୁଚ୍ଛିଲେ ସ୍ୱାଗତ, ପାଇ ସଦୁତ୍ତର ତାର

କୃଷ୍ଣକୋଳେ ସମର୍ପିଲେ ନବଜାତ ଶିଶୁ,

କୃଷ୍ଣଅଙ୍ଗ ସ୍ବର୍ଶ ମାତ୍ରେ ଅତିରିକ୍ତ କର

ଅଦ୍ଭୁତ ଶିଶୁର, ଖସିପଡିଲା ଭୂତଳେ,

( ପଞ୍ଚଫଣ-ଫଣୀ ଯଥା ସେ ବାହୁଯୁଗଳ )

 

ଅତିରିକ୍ତ ନେତ୍ର ହେଲା କପାଳେ ବିଲୀନ

ତଦ୍ଦର୍ଶନେ କୃଷ୍ଣଙ୍କର ପିତୃସ୍ୱସା ଦେବୀ,

ହୋଇଣ ଶଙ୍କିତା, ଭୀତି-ବିହ୍ୱଳ-କଣ୍ଠରେ

ବୋଇଲେ, ରେ ବାପ କୃଷ୍ଣ ! ଦୀନା ପିତୃସ୍ୱସା

 

ତୋର, ତୋହୋ ପାଶେ ଆଜି ମାଗୁଅଛି ଏକ

ଇଷ୍ଟାବର, ନିଦାରୁଣ ଭୟେ ତାର ତନୁ

ହେଉଛି ଅସ୍ଥିର, ବାପ ! ଆଶ୍ୱାସିଲେ ତୁହି

ହେବ ସେ ଆଶ୍ୱାସ୍ତା ଶୁଣି ପିତୃସ୍ୱସା-ବାଣୀ

 

ଭାଷିଲେ ଉବେଶ, ମାତଃ ! କି ଆଜ୍ଞା ତୁମ୍ଭର ?

ପାଳିବି ଆଦେଶ ମୋତେ, ହେଉ ପଛେ ତାହା

ଅସାଧ୍ୟ, ସାଧିବି ତାହା ନିଶ୍ଚେ ପ୍ରାଣପଣେ

ଉତ୍ତରିଲେ ଦେବୀ-ବାପ ! ମୋର ଏ ନନ୍ଦନ

 

ସମ୍ବନ୍ଧରେ ଭାଇ ତୋର, ଅନୁଦାସ ସମ,

କ୍ଷମିବୁ ତୁ ଶତ ଦୋଷ ତାର, ବତ୍ସମଣି

କୁନ୍ଦ-ହାସ୍ୟେ କୃଷ୍ଣ ତହୁଁ ବୋଇଲେ ଏସନ,

ମାତଃ ! ଶିରୋଧାର୍ଯ୍ୟ ମୋର ବାକ୍ୟ ତବ, ତାହା

 

ପାଳିବି ଅବଶ୍ୟ, ହେଲି ସତ୍ୟବଦ୍ଧ ଦେବି !

ଶତ ଦୋଷ କ୍ଷମିବି ମୁଁ ପୁତ୍ରର ତୁମ୍ଭର

ଅତଏବ ହେ ମାରୁତି ! ଶିଶୁପାଳ-ବଧ

ନୁହଇ ତୁମ୍ଭର ସାଧ୍ୟ, କ୍ଷାନ୍ତ ହୁଅ ବାବୁ !

 

ଶିଶୁପାଳର ଭର୍ତ୍ସନା ଶୁଣିଛ ଚ କାନେ,

ହୀନବୀର୍ଯ୍ୟ ହେଲେ ସୁଦ୍ଧା ସହନ୍ତା କି କେହି

ତାହା ? ସହିଛ ମୁଁ ଯହିଁ ପାଇଁ, କହେ ଶୁଣ,

ଦର୍ପୀ ଶିଶୁପାଳ ଦେହେଁ ଅଛି କୃଷ୍ଣକଳା

 

କିଛି, ନ ହରିବା ଯାଏଁ ତାହା ନରହରି,

କାହାରିକୁ ଗ୍ରାହ୍ୟ ସେହୁ ନ କରିବ ଭବେ

ସୁଶାଣିତ ବାଣ ପ୍ରାଏ ଭୀମର କଠୋର

ବାଣୀ, ଜାଳି ଦେଉଥିଲା ଚେଦୀଶ୍ୱର ବେର,

 

ଭୀଷ୍ମବାଣୀ ହେଲା ତହିଁ ଅନଳେ ଆହୁତି

ଗୁରୁତର ରାଗେ ବୀର ହୋଇ ଗରଗର,

ବୋଇଲା ଅବଜ୍ଞାବ୍ୟଞ୍ଜୀ ବିକଟ ହାସ୍ୟରେ-

ରେ ବୃଦ୍ଧ ମର୍କଟ ଭୀଷ୍ମ ! ବନ୍ଦୀ ପରି ତୁହି

 

ଉଠି ବାରମ୍ବାର, ସ୍ତୁତି ଗାଉଛୁ ଯାହାର,

ସେ କୃଷ୍ଣେ, ମୁଁ କରେ ନାହିଁ ରେଣୁ ସମ ଜ୍ଞାନ

ରେ ପରସ୍ତାବକ ମୁଖ ! ପରସ୍ତବେ ଯଦି

ଦୁରାଶା ଗୌରବ-ଲିପସା ପୋଷିଥାଉ, ତେବେ

 

ଛାଡି ରାଜଗଣେ, ସ୍ତବୁ ଗୋପାଳେ କିପାଇଁ

ଏହି ଦେଖ ଦକ୍ଷେତରେ ଉପବିଷ୍ଟ ମୋର,

ବାହ୍ଲୀକେଶ ବୀରବର ଦରଦ ଦରଦ

ଜାତ ମାତ୍ର କଲେ ଯେହୁ ପୃଥୀବିଦାରଣ,

 

କରିଥିଲେ ସ୍ତବ ତାଙ୍କୁ, ଦେଇଥାନ୍ତେ ସେହୁ

ମନୋମତ ଇଷ୍ଟବର,-ଶାଢ଼ୀ, ସୁନାବଳା

ଏହି ଦେଖ, ନିବସନ୍ତି ସମ୍ମୁଖ ଭାଗରେ

ଦ୍ୱିତୀୟ ମିହିର ତୁଲ୍ୟ ମିହିର-ନନ୍ଦନ

 

କର୍ଣ୍ଣ ଅରିନ୍ଦମ, କର୍ଣ୍ଣେ ରାଜଇ ରୁଚିରେ

କାଞ୍ଚନ କୁଣ୍ଡଳ, ଅଙ୍ଗେ ଅକ୍ଷୟ କବଚ

ସ୍ୱର୍ଣ୍ଣ ପ୍ରଭା, ବାହାରଇ ତହୁଁ ଜ୍ୟୋତିରେଖା,

ପ୍ରଭାକର କରସ୍ପର୍ଶେ ରତ୍ନପିଣ୍ଡୁ ଯଥା,

 

ପରାଜିଲେ ଯେହୁ ବାହୁଯୁଦ୍ଧେ, ଇନ୍ଦ୍ରସମ

ପରାକ୍ରମୀ ଜରାସନ୍ଧେ, ମହାଦାତାପଣେ

ହୋଇଛି ଯାହାଙ୍କ ନାମ ପ୍ରବାଦେ ପ୍ରଥିତ,

ସେହି କର୍ଣ୍ଣେ କରିଥିଲେ ସ୍ତବ, ରେ ସ୍ତାବକ !

ଇଷ୍ଟସିଦ୍ଧି ସମ୍ଭାବନା ଥିଲା ଷୋଳପଣ

୧- ଦାତାକର୍ଣ୍ଣ ବୋଲି ପ୍ରବାଦ ଅଛି

 

ଦ୍ରୋଣ, ଦ୍ରୌଣି ଦେଖ ଏହି ବେନି ମହାରଥ

ଅବଶ୍ୟ ସେ ସ୍ତୁତ, ଯେଣୁ ଅଟନ୍ତି ବ୍ରାହ୍ମଣ,

କ୍ରିୟାନିଷ୍ଠ ବେଦାଭିଜ୍ଞ ବ୍ରାହ୍ଣଣର ପୂତ-

ଆଶୀର୍ବାଦେ, ନ ହେବାର କଥା, ନାହିଁ ଭବେ

 

କନ୍ଦର୍ପର ଦର୍ପହର ମହାଅଭିମାନୀ,

ସସାଗରା ଧରାପତି ରାଜା ଦୁ୍ର୍ଯ୍ୟୋଧନ,

ବିରାଜିତ ଦେଖ ଏହି ରତ୍ନସିଂହାସନେ

 

ଆବର, ୨ କୃତାସ୍ତ୍ର ଦେଖ ଜୟଦ୍ରଥ ବୀର,

୨-କୃତାସ୍ତ୍ର-ଯେ ଅସ୍ତ୍ର ଶିକ୍ଷା କରିଅଛି

ମହାବଳୀ ଦ୍ରୁମ, କୃପ,-ଶରଦ୍ୱାନସୁତ,

ଶୂର-ଗୁରୁ ରୁକ୍ମୀ, ଜ୍ଞାନୀ ଭୀଷ୍ମକ, ବିରାଟ,

ଦନ୍ତବକ୍ର, ଯୁପଧ୍ୱଜ ଭଗଦତ୍ତ ରଥୀ,

ମଗଧେଶ, ଜୟତସେନ, ଦ୍ରୁପଦ, ଶକୁନି,

ବୃହଦ୍ୱଳ, ଅନୁବିନ୍ଦ, ବିନ୍ଦ, ଶ୍ୱେତରାଜ,

ପାଣ୍ଡ୍ୟ, ଶଙ୍ଖ, ବୃଷସେନ, କଳିଙ୍ଗ, ଉତ୍କଳ,

ଏ ସକଳ କୁଳଶୀଳ ଗୁଣଶୀଳ ଦାନୀ

ନୃପେ ତେଜି, କୃଷ୍ଣେ କିପାଁ ସ୍ତବୁ ରେ ପାମର !

ଆର୍ଯ୍ୟର ଆଚାରସିଦ୍ଧ ନୁହେଁ ଆତ୍ମଶ୍ଳାଘା

କିମ୍ବା ମତ୍ମଗ୍ଲାନି, ତଥା ପରର ଅଯଥା

ପ୍ରଶଂସା ବା ନିନ୍ଦା ଭଣ୍ଡ ! ତୋର ପଣ୍ଡୁସ୍ତୁତି,

ତୋର ଗାଲଗଳ୍ପ ସିନା, ନୁହଇ କଦାଚ

ତାହା ଅନୁମୋଦନୀୟ କାହାର, ଗାଙ୍ଗେୟ !

ସ୍ୱେଚ୍ଛାକ୍ରମେ କରୁ ତୁହି କ ସହା କେଶବେ

ସର୍ବ ଜଗତ୍ସମାବେଶ, ଧର୍ମ ଉପଦେଶ

ଦେଇ ମୁଖେ, ତୁ ପାଷାଣ୍ଡ ଅଧର୍ମ ଆଚାର

 

କରୁ କିନ୍ତୁ କାର୍ଯ୍ୟେ, ଧିକ୍ ନିନ୍ଦିତ କୁଟିଳ !

ଭୁଲିଙ୍ଗ ଖେଚର ସମ ଅଟେ ତୋର ନୀତି

ଭାରତ-ମସ୍ତକ-ଭୂଷା-ମାରାଗ-ମହୁଡ଼,

ହିମଶୋଭୀ ହିମାଳୟ ପଥ ପ୍ରାନ୍ତେ ବାସ

କରିଥାଏ ସେ ବିହଙ୍ଗ, ଅତୀବ ଚତୁର,

ଆନ ପକ୍ଷିଗଣେ ଡ଼ାକି ଦିଏ ଉପଦେଶ

ଉଚ୍ଚେ, -ଶୁଣ ଭ୍ରାତୃଗଣ ! ଅତି ସାହସିକ

କର୍ମେ ନ ହୁଅ ପ୍ରବୃତ୍ତ, ମୁଖେ କହି ଏହା

ଆଚରେ କିନ୍ତୁ ସେ ନିଜେ ବିପରୀତ ପଥ,

ଭୋଜନାନ୍ତେ ସିଂହ ଯେବେ କରଇ ଶୟନ

ଗୁହାମୁଖେ. ବସିଥାଏ ମୁଖପାଶେ ତାର

ଜଗି ସେ ବିହଙ୍ଗ, ଘୋର ନିଦ୍ରା ଅଳସରେ

ସିଂହ, ମାରେ ଯେତେବେଳେ ହାଇ,ସେତେବେଳେ

ଦନ୍ତସନ୍ଧିଲଗ୍ନ ମାଂସଖଣ୍ଡେ ସିଂହମୁଖୁ

କାଢ଼ିନିଏ ଖରେ ଥଣ୍ଟେ ଚତୁର ଖେଚର

ସ୍ୱାଭାବିକ ଉଦାରତା ଗୁଣେ କ୍ଷମେ ତାକୁ

ହର୍ଯ୍ୟକ୍ଷ, ସେପରି ତୋତେ କ୍ଷମିଲେ ଭୂପାଳେ,

 

ଯେଣୁ ତୁ ଅଶକ୍ତ, ବୃଦ୍ଧ, ନତୁବା ମସ୍ତକ

ତୋର, ହୋଇଥାନ୍ତା ଆଜି ବିଭକ୍ତ ଶତଧା

ସସ୍ମିତେ ବୋଇଲେ ଭୀଷ୍ମ ଚାହିଁ ଶିଶୁପାଳେ-

ଆରେ ଅଜ୍ଞାନାନ୍ଧ ପଶୁ ! ଜାଣିବୁ ତୁ କାହୁଁ

 

ମୁଢ଼ ! କୃଷ୍ଣ ସ୍ତୁତିଫଳ ? ଯେଉଁ ନାରାୟଣ

ମୋକ୍ଷ-ଅପବର୍ଗଦାତା, ଯାହାଙ୍କ ମହିମା

ଗାଏ ଶତମୁଖେ ବେଦ, ମହାଯୋଗିବର

ପଞ୍ଚମୁଖ, ପଞ୍ଚମୁଖେ ବଖାଣନ୍ତି ସ୍ତବ

 

ଯାହାଙ୍କର ନିରନ୍ତର, ସେ ଚୌବର୍ଗଦାତା

ଗତି-ମୁକ୍ତି-ଉତ୍ସ କୃଷ୍ଣେ, ଆରେ ମନ୍ଦମତି !

ଚିହ୍ନିବୁ କିପରି ତୁହି ? ଜ୍ଞାନଚକ୍ଷୁହୀନ !

ସଜ୍ଜନେ ସଜ୍ଜନ ଚିହ୍ନେ, ଚିହ୍ନିବ ବା କାହୁଁ

 

ମୁଢ଼ ? ବୁଝଇ କି କେବେ ପୁତିଗନ୍ଧସେବୀ

ମକ୍ଷିକା, ଅମରଭୋଗ୍ୟ ଚନ୍ଦନ-ସୁବାସ ?

ରାଜଗଣ ଭୟ ପରା ଦେକାଉ ଦୁର୍ମତି !

(ଲୁଚିବି ସର୍ଷପ ଖୋଳି ଭୟେ ହାୟ ! ତହିଁ)

ତୋ ପରି ନିର୍ବୀର୍ଯ୍ୟ, ଭୀରୁ, କାପୁରୁଷ ଯେହୁ,

 

ଡ଼ରିବ ସେ ରାଜଗଣେ ତୋର, କିନ୍ତୁ ମୁହିଁ

କହୁଛି ସହସ୍ର ବାର ଗର୍ବ ପରକାଶି,

ଅଟଳପ୍ରତିଜ୍ଞ ଭୀଷ୍ମ, ଛାର ରାଜଗଣେ

କରେ ନାହିଁ ତୃଣଜ୍ଞାନ, ମହାସର୍ପାହାରୀ

 

ଗରୁଡ଼ କି ଡରେ କେବେ ମହୀଲତାଦଳେ ?

ସଗର୍ବ ପରୁଷ ବାଣୀ ଭାଗୀରଥୀ-ସୂତ

ବୋଲନ୍ତି, ସକଳ ସାଧୁ ବିବେଚକ ନୃପେ,

ଗେଙ୍ଗେୟ ପ୍ରଭାବ ସ୍ମରି ହେଲେ ନିସ୍ତବଧ,

 

ଖଳନୃପଦଳେ ଖରେ ଉଠିଣ ଗରଜି

(ଗର୍ଜେ ସପ୍ତସିନ୍ଧୁ ମହାପ୍ରଳୟେ ଯେସନ)

ବୋଇଲେ, ମାର ହେ ଖରେ ଏ ବୃଦ୍ଧ ବାନରେ

ପଶୁ-ବ୍ୟବହାରେ, ନୁହେଁ କ୍ଷମାର ଭାଜନ,

ଦୁର୍ଜ୍ଜନକୁ କ୍ଷମାଦାନ ନୁହେଁ କ୍ଷତ୍ରନୀତି

 

ଜଗଜ୍ମୟୀ ଭୀଷ୍ମବୀର ତହୁଁ ହସି ହସି

ଭାଷିଲେ ଏସନ ବାଣୀ, (ଯେ କଠୋର ବାଣୀ,

ସୂତୀକ୍ଷଣ ଶାୟକ ପ୍ରାୟେ ରାଜନ୍ୟବୃନ୍ଦର

ବର୍ମ-ଚର୍ମ ଭେଦି ମର୍ମେ ଜାଳିଲା ଅନଳ )

 

ରେ ଶୃଗାଳଧର୍ମୀ ଦୁଷ୍ଟ ନୃପତି-କଳାପ,

ବୃଥା ବାକ୍ୟବ୍ୟୟେ ସାଧ କେଉଁ ପ୍ରୟୋଜନ ?

ଯାବତ ନାହାନ୍ତି ଛେଦି କୃଷ୍ଣ ଚେଦୀଶ୍ୱରେ,

ତାବତ ସହିବି ସର୍ବ ଅନବତ ଶିରେ,

 

ନତୁ ତୁମ୍ଭମାନଙ୍କର ମସ୍ତକେ ଚରଣ

ନିକ୍ଷେପି, କହୁଛି ନିଶ୍ଚେ ସଗର୍ବେ ବଚନେ-

କରନ୍ତି ପଲକେ ସର୍ବ ନୃପେ ବିମନ୍ଥନ,

ପ୍ରମତ୍ତ ମାତଙ୍ଗ ଯଥା କମଳ-କାନନେ

 

ପଟ୍ଟବାସ-ଉପବିଷ୍ଟା ସୁଭଦ୍ରା ସୁନ୍ଦରୀ,

ଦ୍ରୌପଦୀ ବଦନେ ଚାହିଁ ବୋଇଲେ, ଭୁଣି !

ନାହିଁ କି ଗୋ ବିନ୍ଦୁମାତ୍ର ତେଜ ଭ୍ରାତାଦେହେ

ମୋର, ଏ ଲାଞ୍ଛନା ସହି ମୁକ ପ୍ରାୟ କିମ୍ବା

 

ବଧିର ସମାନ ନାହିଁ କାହିଁରେ ଭ୍ରୁକ୍ଷେପ !

ଶୁଣି ଏହା ଧୀର ଗିରେ ବୋଇଲେ ରୁକ୍ମିଣୀ,

ସତ ଗୋ ନଣନ୍ଦେ ! ତୁମ୍ଭେ ଯା କହିଲ ସତ,

କିନ୍ତୁ ମୋ ବିଚାରେ ନାଥ ରହିଣ ନୀରବ,

 

କରିଛନ୍ତି କାକୋଳିତ କାର୍ଯ୍ୟ ବରାନନେ

ମୋହର ବିବାହକାଳେ ପାଷଣ୍ଡ ରାଜାଏ,

ଦେଇଛନ୍ତି ଶ୍ରୀପତିଙ୍କୁ ଯେଉଁ ଘୋର କ୍ଳେଶ,

ଅଦ୍ୟାପି ସ୍ମରିଲେ ତାହା, ହୁଏ ରୋମାଞ୍ଚିତ

 

ଗାତ୍ର ମୋର, ତେତେବେଳେ ଆର୍ଯ୍ୟପୁତ୍ର ଦେବ

ହଳାୟୁଧପାଣି ରାମ, ଯାଇଣ ସେଠାକୁ

କରିଥିଲେ ରକ୍ଷା ସେହି ଦୁରୁହ ସଙ୍କଟୁ

ହେଉଅଛି ଭୟ ମୋର ସେହି ହେତୁ ଦେବି,

 

କାଳେ ପୂର୍ବକଥା ସ୍ମରି ଦୁର୍ଜ୍ଜନ ଭୂପାଳେ,

ଘଟାନ୍ତି ବିପଦ ଆଜି ପାଇ ଅବସର

କହିଲେ ଦ୍ରୌପଦୀ ଦେବୀ ମୃଦୁ ମଧୁସ୍ୱରେ-

ହେଉଅଛ ତୁମ୍ଭେମାନେ କିପାଁ ଆଶଙ୍କିତା ?

 

ନ ହୁଅନ୍ତି ରୁଷ୍ଟ କୃଷ୍ଣ, ଇତର ସମାନ

କଥାକେ କଥାକେ କେବେ, ରହିଣ ନୀରବ

ଦେଖାଉଅଛନ୍ତି ହରି ପୂର୍ଣ୍ଣ ଉଦାରତା,

ଉଦାରତା ପ୍ରଦର୍ଶନଠାରୁ ଦେବି ! ଆଉ

 

କି ଅଛି ଉଚ୍ଚାଶୟର ଉଚ୍ଚ ନିଦର୍ଶନ ?

ଅଳ୍ପତାପେ ଶୁଖେ ସିନା କ୍ଷୁଦ୍ର ଜଳାଶୟ,

ମାତ୍ର ମହାସାଗରର କି ହୁଏ ତହିଁରେ ?

ନନ୍ଦ-ଚାଟ ସନ୍ନିକଟେ ସମ ନିନ୍ଦାସ୍ତୁତି

 

ସମୟ ବୁଝିଣ କୃଷ୍ଣ, କାଳଜ୍ଞ, ନୀତିଜ୍ଞ,

ଆଚରିବେ ଯଥାକାର୍ଯ୍ୟ, ଦେଖ ସ୍ଥିର ହୋଇ

 

ଚତୁର୍ଥ ସର୍ଗ

 

ସର୍ବଦେବ ଅଗ୍ରପୂଜ୍ୟ ଶୈଳଜା-ଅଙ୍ଗଜ

ହେ ସିଦ୍ଧି-ନିଧି ହେରମ୍ଭ ! ଘେନ ମୋ ପ୍ରଣତି,

ଦେବେନ୍ଦ୍ର ମହୁଡ଼ମଣି ଅଟ ତୁମ୍ଭେ ଦେବ !

ପୁଣି ଅଟ ବିଘ୍ନହାରୀ, ଏଣୁ ଯୁକ୍ତକରେ

ଯାଚେ ଦାସ ଏହି ବର ତବ ସନ୍ନିଧାନେ-

ହୋଇ ଦେବ ! ଅବତୀର୍ଣ୍ଣ, ଦାସେ କୃପା ବହି

ପ୍ରଦାନ ଅଭୟ ପଦ, ବିଘ୍ନ ନାଶ ପୁଣି,

ସିଦ୍ଧିଲାଭ ଅର୍ଥେ, ମୁହିଁ ପୂଜିବି ସେ ପାଦ,

ଭକ୍ତି-ବିଲ୍ୱ ଦଳେ ଆଉ ଆନନ୍ଦ-ମନ୍ଦାରେ

ଗ୍ରହିଲ ଲେଖନ ଭାର ଯେ ମହାଗ୍ରନ୍ଥର

ତୁମ୍ଭେ, ମହାସିନ୍ଧୁ ସମ ବେଳାପ୍ରଦେଶରୁ

ତାର, ଘେନି ପେଣ୍ଡୁଳାଏ ମୃର୍ତ୍ତିକା, ତହିଁରେ

ନିର୍ମାଣିବି ଏକ କ୍ଷୁଦ୍ର ପ୍ରତିମୁର୍ତ୍ତି ମୁହିଁ,

କିନ୍ତୁ ଦେବ, ଉପଯୁକ୍ତ ସାଧନା ଅଭାବେ

ଦରିଦ୍ରର ସୁଖଲାଭ ଅଭିଳାଷ ପ୍ରାୟ

ହେଉଛି ସେ ଆଶା ମୋର ଆଶା ମାତ୍ରେ ସାର,

 

ତହୁଁ ଦେବ ! ତବ ପଦେ ମାଗୁଅଛି ମୁହିଁ

ସାଧନାର ଉପଯୁକ୍ତ ଶକ୍ତି, ନ ଦେଲେ ତା

ତୁମ୍ଭେ, ପଙ୍ଗୁ ହୋଇ ଗିରି ଲଙ୍ଘିବ କିପରି ?

କର ପ୍ରଭୁ, କୃପାମୟ କୃପା, ଅକିଞ୍ଚନେ

 

ଶିଶୁପାଳ ଆଦେଶରେ ହସ୍ତିନା ନଗରୁ

କଞ୍ଚୁକି ପ୍ରଣଧି ଏକ, ଅନ୍ତଃପୁରଚାରୀ,

ଆସିଥିଲା ଚେଦିରାଜ୍ୟେ ପ୍ରଚାରକରଣେ

ରାଜ-ଆଗମନ ବାର୍ତ୍ତା ପୁରେ, ବହୁ ଦେଶ,

 

ନଗର, ନବର, ନଦ, ନଦୀ, ବନ, ଗିରି,

ଅତିକ୍ରମି ପଥେ, ଆସି ମିଳିଲା ତ୍ୱରିତେ

ଚେଦିପୁରେ ଦୁତ, ଯହିଁ ହୈମ ସିଂହାସନେ

ବସିଥିଲେ ଚେଦୀଶ୍ୱରୀ ସଙ୍ଗିନୀ ଗହଣେ,

 

ହୋଇ ଉପସ୍ଥିତ ତହିଁ ସାଷ୍ଟାଙ୍ଗେ ପ୍ରଣମି

ଚାଦୀଶ୍ୱରୀ ପଦପ୍ରାନ୍ତେ, ନିବେଦିଲା ଦୁତ

ଉଭା ହୋଇ ଖଣ୍ଡେ ଦୁରେ, ବିନୀତ ବଚନେ

ଯୁକ୍ତକରେ- ମହାଦେବି ! କ୍ରୀତଦାସ ମୁହିଁ

 

ତୁମ୍ଭର, ତୁମ୍ଭରି ଦତ୍ତ ଅନ୍ନରେ ପାଳିତ,

ଆସିଲି ମୁଁ ରାଜାଦେଶେ ହସ୍ତିନା ନଗରୁ

ରାଜ-ଆଗମନ ବାର୍ତ୍ତା ଦେବାକୁ ସତ୍ତ୍ୱରେ

ସମ୍ବତ୍ସ ଅନ୍ତେ ଦେବି, ଦୁଇ ଦିନ ପରେ

 

ବିଜେ ହେବେ ନୃପମଣି ପୁରେ ସର୍ବଶୁଭେ,

ଆସିଲି ମୁଁ ଆଗେ ଦେବି ! ଦେବାକୁ ସମ୍ବାଦ,

ଆସୁଛନ୍ତି ପଛେ ନୃପ ଘେନି ଯଜ୍ଞପୂଜା

ଚେଦୀଶ୍ୱରୀ ଭଦ୍ରା, ସ୍ୱାମି-ବିରହ-ବିଧୁରା

 

ଶୁଣି ପତି-ଆଗମନ-ବାର୍ତ୍ତା ବାର୍ତ୍ତାହର

ମୁଖୁଁ, ସଖୀସହ ହେଲେ ପରମହର୍ଷିତା,

ଯଥା ଦ୍ୱଷାମ୍ପତି-ଦୁତୀ ଉଷା ମୁଖୁଁ ଶୁଣି

ପତି-ଆଗମନ-ବାର୍ତ୍ତା ଫୁଲ-କୁଳେଶ୍ୱରୀ

 

କମଳିନୀ, ହୁଏ ହୃଷ୍ଟା ପ୍ରଭାତ ସମୟେ

ଦୁତେ ଚାହିଁ ଭଦ୍ରା ତହୁଁ ଆନନ୍ଦ-ବିହ୍ୱଳେ

ବୋଇଲେ, ରେ ଦୁତ ! ତୁହି ଢ଼ାଳିଲୁ ଯେ ସୁଧା

କଣ୍ଢେ, କର୍ଣ୍ଣ-ରସାୟନ, କି ଦେଇ ତୋଷିବ

 

ତୋତେ ? ଘେନ ଏହି ସକୁଣ୍ଡଳ ପାଟଯଥା

ସଂପ୍ରଦାନି ପୁରସ୍କାର ଦୂତେ ଭଦ୍ରା ସତୀ,

ଉଠି ଖରେ ସିଂହାସନୁ ସଙ୍ଗିନୀ ଗହଣେ,

ଆଦେଶିଲେ ଦାସଦାସୀଗଣେ ମଣ୍ଡିବାକୁ

 

ନଗର, ଚତ୍ୱର, ପୁର, ରାଜପଥ ଆଦି

ମହାଦେବୀ ଆଜ୍ଞା ପାଇ ସର୍ବ ପରିଜନେ,

ବିମଣ୍ଡିଲେ ରାଜପୁରୀ ମନୋମତ କରି,

ପୂର୍ବ ଉପଲକ୍ଷେ ଯଥା ଦେବ-ପରିକରେ

 

ବିମଣ୍ଡନ୍ତି ଦେବଗୃହ ନାନା ଉପଚାରେ

ଆଶାତୀତ ପୁରସ୍କାର ପାଇ ଅଯାଚିତେ

ଦୁତବର, ଶତ ଶତ ଭୂମିଷ୍ଠ ପ୍ରଣାମେ

ଜଣାଇଣ କୃତଜ୍ଞତା, ଘେନିଣ ମେଲାଣି

 

ଚେଦୀଶ୍ୱରୀ ଶ୍ରୀଛାମୁରୁ, ଗଲା ନିଜ ଗୃହେ

ଦେଖି ଦେଖି ବାଟେ ବାଟେ ମାତୃଭୂମି-ଶୋଭା

ସମ୍ବତ୍ସର ପରେ ଦେଖି ଜନ୍ମଭୂମି ମୁଖ

ଲଭିଲା ଯେ ମୁଖ, ତାହା ହେବ ନାହିଁ କହି,

 

ପରବାସୁଁ ପ୍ରତ୍ୟାଗତ ହୋଇ ବହୁଦିନେ

ନିରେଖିଲେ ସ୍ନେହମୟୀ ଜନନୀ ବଦନ,

କେ ନ କରେ ହର୍ଷ ଲାଭ ? ହେଉ ପଛେ ଆହା !

ମାତୃଭୂମି ପଙ୍କିଳା ବା ଆବର୍ଜ୍ଜନାମୟୀ,

 

କିନ୍ତୁ ତାହା ମାତୃଭକ୍ତ ସନ୍ତାନ ନୟନେ

ଆଭାସଇ ଆଭାମୟୀ ଅମରା ୧ ସମାନ

ଅତୀବ କୁରୂପା ସୁଦ୍ଧା ହେଲେ ନିଜ ମାତା,

ପୁତ୍ର କି ନ କରେ ତାକୁ ମାତୃ ସମ୍ବୋଧନ,

୧-ଇନ୍ଦ୍ରପୁରୀ

 

ଅଥବା ଗୌରବ ଭକ୍ତି ? ନୁହେଁ କଦାଚନେ

ସମ୍ଭବ ଏ କଥା, ସାଧୁ ସୁପୁତ୍ର ପକ୍ଷରେ

ସେହୁ ମହାପୂଜନୀୟା, ସ୍ୱର୍ଗୁ ଗରୀୟସୀ

ହେଉ ପଛେ କୀଟଯୁକ୍ତ ପୁଣ୍ୟ ତୀର୍ଥଜଳ,

 

କିଏ ନ କରଇ ତାର ଉଚିତ ସମ୍ମାନ ?

ଜନ୍ମଦାତ୍ରୀ ମାତା, ମାତୃଭୂମି, ମାତୃଭାଷା

ଏ ତିନିଙ୍କ ତହୁଁ ବଳି ଗୁରୁ, ତ୍ରିଭୁବନେ

ନାହିଁ, ଅଟେ ଏହା ଶାସ୍ତ୍ରସିଦ୍ଧ ମହାବାଣୀ,

 

ବିଜାତୀୟ-ଭାଷା-ପ୍ଲାବୀ ବିଦେଶେ ନିବସି

ବହୁଦିନ, ମାତୃଭାଷା ଶୁଣିଲେ ଶ୍ରବଣେ

ଅକସ୍ମାତ, ଶାନ୍ତିତୃପ୍ତିଦାତ୍ରୀ, ସେ ସମୟେ

ଆହା, ଉଠେ ଯେ ଅପୂର୍ବ ଆନନ୍ଦ-ଲହୁରୀ

 

ହୃଦୟ-ସାଗରେ, ତାହା ଭୁକ୍ତଭୋଗୀ ବିନା

ଜାଣିବ କେ ଆନ ! ଆହା ! ସେହି ସୁଧାବାଣୀ,

ବିଦେଶୀୟ ଭାଷାନଳ-ବିଦଗଧ-ଶ୍ରବଣେ

ଶମଇ, ବର୍ଣ୍ଣିବି କିବା ତାର ମଧୁରତା ?

 

ବିଜୟା ୨ ଭକ୍ଷଣ ଶେଷେ ସଲିଳ ପାନର

ମଧୁରତା, ନୁହେଁ ତାକୁ ତିଳେ ତୁଳନୀୟ

ମହାମହୋତ୍ସବେ ଆଜି ଚନ୍ଦେଳ ନଗରୀ

ନାଚୁଅଛି ହର୍ଷଭରେ ହୋଇ ବିମଣ୍ଡିତା,

୨-ହରିଡା ୩- ଚେଦିରାଜ୍ୟ

 

ମନୋମତ ଚାରୁ ନବ ଅଳଙ୍କାର ଘେନି

ସହର୍ଷେ ନାଚଇ ଯଥା ଅବଳା ବାଳିକା,

କିମ୍ବା ଯଥା ବାତାଘାତେ କାନନ-ସୁନ୍ଦରୀ,

ଅବା ପୁଷ୍ପସ୍ତବକିନୀ ନବୀନା ଲତିକା

 

ମହାବାହୁ ରାମଚନ୍ଦ୍ର ସଂହାରି ରାବଣେ

ସୀତା ସଙ୍ଗେ କଲେ ଯେବେ ବାହୁଡ଼ାବିଜୟ

ଆରୋହି ପୁଷ୍ପକ ଯାନେ ଅଯୋଧ୍ୟା ନଗରେ,

ସେ କାଳେ ଅଯୋଧ୍ୟା ଯଥା ଦିବ୍ୟ ଆଭରଣେ

 

ମଣ୍ଡି, ନିନ୍ଦୁଥିଲା ଧନୀ ସ୍ୱର୍ଗର ଅଳକା,

ଶିଶୁପାଳ ପ୍ରତ୍ୟାଗମ ବାର୍ତ୍ତା ପାଇ ଆଜି

ଖେଳୁଛି ବିବିଧ ଶୋଭା-ତରଙ୍ଗେ ତେସନ

ଚେଦି ରାଜଧାନୀ, ପୂରି ହର୍ଷ କୋଳାହଳେ

 

ସପଲ୍ଲବ ପୁଷ୍ପମାଳା ଝୁରେ ଦ୍ୱାରେ ଦ୍ୱାରେ,

ଜଳପୂର୍ଣ୍ଣ ସ୍ୱର୍ଣ୍ଣକୁମ୍ଭ, ମଙ୍ଗଳସୂଚକ,

ଶୋଭେ ପ୍ରତି ୪ ଅଳିନ୍ଦରେ, ସିନ୍ଦୁରେ ମଣ୍ଡଳ

କଟା ତହିଁ, ଉର୍ଦ୍ଧଦେଶେ ଶୋଭଇ ତାହାର

୪ ଅଳିନ୍ଦ-ପିଣ୍ଡା

 

ସମକୁଳ ଆମ୍ବଡ଼ାଳ ସହ ନାରିକେଳ,

ନିମ୍ନଦେଶେ ଶୁକ୍ଳଧାନ୍ୟ ହୋଇଅଛି କୁଢ଼ା

ଦ୍ୱାର ବେନିପାର୍ଶେ ପୋତା ହୋଇ ରମ୍ଭାତରୁ

ଦେବଦାରୁଦଳେ ମଣ୍ଡି ସୃଜିଛି ତୋରଣ

 

ମନୋହର, ଟଙ୍ଗା ତହିଁ ବିବିଧ କୁସୁମ

ଉଡ଼ଇ କେତନଶ୍ରେଣୀ ନିକେତନ ଚୂଡ଼େ,

ପଥ ବେନିପାର୍ଶ୍ୱେ, କମ୍ପି ପବନ-ଲହରେ,

ଚମକେ ସଘନେ ଯଥା ନଭେ ବିଦ୍ୟୁରାଜି

 

ବର୍ଷାକାଳେ, ଧୀରେ ପୁଚ୍ଛ ସଞ୍ଚାଳନ ଛଳେ

ଡ଼ାକଇ କି ଯାନ୍ଥେ ସେହୁ ଅଙ୍ଗୁଳି ସଙ୍କେତେ,

ଦେଖାଇବ ବେଲି ସ୍ୱୀୟ ଶୋଭାର ବଡିମା

ବିବିଧ ସୁବାସ ପୁଷ୍ପ ପ୍ରତି-ରାଜପଥେ

 

ହୋଇଅଛି ବିଞ୍ଚା, ସିଞ୍ଚା ତହିଁ ବାସଚୁଆ

ଚନ୍ଦନର ଛରା, ବୁଣା କର୍ପୁରକଣିକା,

ହୋଇଛି ରଚନା କେତେ ପ୍ରତି ଶୃଙ୍ଗାଟକେ *

ବିଚିତ୍ର ତୋରଣା, ତହିଁ ସୁବର୍ଣ୍ଣ ଅକ୍ଷରେ

* ଶୃଙ୍ଗାଟକ-ଛକିବାଟ

 

ହୋଇଛି ଅଙ୍କିତ କେତେ ରାଜସ୍ତୁତି-ଗୀତି

ଦେବାଳୟୁ ଉଠି ଝୁଣା ଗୁଗ୍ଗୁଳ ସୁବାସ

କରେ ଦିଗ ଆମୋଦିତ, ବାଜେ ବାଦ୍ୟ ନାନା,

ତୁରୀ, ଭେନି, ଝାମ୍ପ, ଢ଼ୋଲ, ଶଙ୍ଖ, ବୀଣା, ବେଣ୍ଠ,

 

ବାଜଇ ଦୁନ୍ଦୁଭି ବାଦ୍ୟ ପୃଥ୍ୱୀ ଦୁଲୁକାଇ

ପ୍ରଚଣ୍ଡ ପ୍ରତାପଶାଳୀ ଶିଶୁପାଳ ବୀର,

ବିଷ୍ଣୁଅଂଶୁ ଜନ୍ମି ତାର, ବିଷ୍ଣୁ ପରାକ୍ରମ,

ବାହୁବଳେ ଶାସି ଧରା, ନିଷ୍କଣ୍ଟକ ଭାବେ

 

କରେ ରାଜ୍ୟଭୋଗ, ରମ୍ୟ ନବର ତାହାର

ସୁବିସ୍ତୀର୍ଣ୍ଣ, ସୁକୌଶଳ ନିର୍ମିତେ ସେ ପୁରୀ

ସୁଧା-ଶୁକ୍ଳ ସୌଧମାଳା ମଣ୍ଡଳ ଆକାରେ

ବିରାଜେ, ବଢ଼ିଛି ତାକୁ ଉନ୍ନତ ପ୍ରାଚୀର,

 

ପ୍ରାଚୀରର ବହିର୍ଭାଗେ ବିସ୍ତୀର୍ଣ୍ଣ ପରିଖା,

ଆହା ! ସେ ନଗରୀ ଶୋଭେ ନୀଳ ନଭସ୍ଥଳେ

ଚନ୍ଦ୍ରର ପରିଧି ମଧ୍ୟେ ପୂର୍ଣ୍ଣଚନ୍ଦ୍ର ଯଥା

କେଉଁ ଗୃହ ଚତୁସ୍ତଳ, ପଞ୍ଚତଳ କେହି,

 

କେହି ସପ୍ତତଳ, ଶିର ତୋଳିଛି ଆକାଶେ

ମେଘମାର୍ଗେ, ମେଘମାନେ ଝୁଣ୍ଟନ୍ତି ତାହାକୁ

ଗତିପଥେ, ଶିରେ ଶୋଭେ ସୁବର୍ଣ୍ଣ କଳଶ

ନାଟ୍ୟଶାଳା, କ୍ରୀଡ଼ାଶାଳା, ସଭା, ବାସଗୃହ,

 

ସୁଗଠିତ ଯଥାଯୋଗ୍ୟ ସ୍ଥାନେ, ସୁମଣ୍ଡିତ

ନାନାରତ୍ନେ, ରତ୍ନହାଣ୍ଡି ମଧ୍ୟେ ରତ୍ନବତି

ଜଳୁଛି ଓହଳି ଘରେ ଘରେ, ରାଜମୋତି-

ଝାମ୍ପି ଝୁଲେ ଗୁନ୍ଥା ହୋଇ ରଙ୍ଗ ପାଟଡ଼ୋରେ

 

ରତ୍ନବେଦି ମଧ୍ୟେ ଶୋଭେ ରତ୍ନସିଂହାସନ,

ଦିବ୍ୟ ଆଭାମୟ, ଆହା ! ଇନ୍ଦ୍ର ଧନୁପ୍ରଭା

ପାଛୋଟି ଆଣିବେ ଯାଇ ପ୍ରଧାନ ସଚିବ

ନୃପବରେ, ଥୋକେ ଦୁରୁଁ, ସେଥିପାଇଁ ଆଜି

 

ଲାଗିଅଛି ସାଜସଜ୍ଜା ମହା ଆଡ଼ମ୍ବରେ,

ଗଜ, ବାଜୀ, ସ୍ୟନ୍ଦନାଦି ଅଗଣିତ ଯାନ

ହେଉଅଛି ଠୁଳ, ସେନାଦଳ ସୁସଜଜ୍ଜିତ

ହୋଇ ବହୁ ଅସ୍ତ୍ରେ ଶସ୍ତ୍ରେ ଉଭା ପଂକ୍ତି ଧରି,

 

ଅଶ୍ୱାରୋହୀ ସେନାପତି ପ୍ରଚଣ୍ଡ ମୂରତି,

ଧରି ଗଦାବର କରେ, (ଦଣ୍ଡ ହସ୍ତେ ଯଥା

ବିଭୀଷଣ ଯମରାଜ) ସୈନ୍ୟର ଶୃଙ୍ଖଳା

ଦେଉଛନ୍ତି ବାନ୍ଧି, କାହିଁ ଅବା ଖେଳବାଡ଼େ

 

ଖେଳୁଛନ୍ତି ଅସ୍ତ୍ରଖେଳ, ଚମକାଇ ଅସି

ବିଦ୍ୟୁଲ୍ଲତା ପ୍ରାୟେ, କାହିଁ ଭୀମକାୟ ମାଲେ

ଧରି ଭୀମଗଦା କରେ, ଆସ୍ଫାଳି ଭୀଷଣେ

ଛାଡ଼ନ୍ତି ଗର୍ଜ୍ଜନ ଘୋର ଯଥା ଗିରିବର-

 

ସମ କରିବାର ଦଳ ମାତି ମହାୟୁଦ୍ଧେ

ଆସ୍ଫାଳି ଭୀଷଣ ଶୁଣ୍ଢ ଗର୍ଜନ୍ତି ଗମ୍ଭୀରେ

ଏହିପରି କେତେ ସ୍ଥାନେ କେତେ ଆୟୋଜନ

ଲାଗିଛି ନଗରେ, ନାହିଁ କଳନା ତାହାର,

 

ଉତ୍ସବରେ ଉଛୁଳିଛି ଚେଦି-ରାଜଧାନୀ

ଅସ୍ତ ହେଲେ ଦିନମଣି ପ୍ରତୀକ-ଅଚଳେ,

ଦିଶିଲା ପଶ୍ଚିମ ଦିଗ ଲୋହିତେ ଛୁରିତ,

ସୁନ୍ଦରୀ ବାରୁଣୀ-ରାଣୀ ରକ୍ତ ଓଷ୍ଠାଧର

 

ବିସ୍ତାରି ହସିଲା ଯେହ୍ନେ ପୂର୍ବଦିଗେ ଚାହିଁ,

ଭାଷିଣ ଏସନ ବାଣୀ, ଲୋ ପ୍ରାଚୀ-ସୁନ୍ଦରୀ,

ହସୁଥିଲୁ ପରା ତୁହି ପ୍ରାତେ ମୋତେ ଚାହିଁ

ହୋଇ ପତି-ସୁହାଗିନୀ ? କି ଦଶା ତୋହର

 

ଏବେ ? ଲୁଚାଇଲୁ କାହିଁ ଆଲୋ ଗରବିଣି !

ଉପହାସ-ବ୍ୟଞ୍ଜୀ ହାସ୍ୟେ, କାନ୍ଦିଲୁ ତୁ ଏବେ

ଶିଶିର-ଶୋକାଶ୍ରୁ-ସିକ୍ତା ସରୋଜିନୀ ସହ

ଅଖଣ୍ଡ ସୁଖ ଏ ଭବେ ନାହିଁ ଲୋ ଭଉଣି,

 

ଚିରକାଳ ଭାଗ୍ୟେ କାର, ଯହିଁ ଦେଖ ତହିଁ

ସୁଖ ସଙ୍ଗେ ଅଛି ଦୁଃଖ ଜ୍ୟୋତ୍ସା ଛାୟା ପରି

ସୁଖ ବୋଲି ଯାକୁ ଭବେ ମଣନ୍ତି ସକଳେ,

ସେ ସିନା ଦୁଃଖର ଅଗ୍ରଦୁତ ? ଆସି ସୁଖ

 

ନିମିଷକ ପାଇଁ ହାତେ, ଦେଇଯାଏ ସେହୁ

ଆଜୀବନବ୍ୟାପୀ ଦୁଃଖ, ଭାଗ୍ୟ ଘୁରେ ସଦା

ଚକ୍ରନେତ୍ରକ୍ରମେ, କେବେ ଉର୍ଦ୍ଧେ, କେବେ ତଳେ,

ମୁଁ ବି ସ୍ୱାମୀ-ବିରହରେ କାନ୍ଦିବି ତୋପରି

 

ମୁହୁର୍ତ୍ତକ ପରେ ଆଉ, ଏହିପରି ଭବେ

ଲାଗିଅଛି ସଂଘର୍ଷଣ ହାସ୍ୟ କ୍ରନ୍ଦନର,

ଚିରକାଳ ସମସ୍ତଙ୍କ ଭାଗ୍ୟେ, ଜାଣୁ ଜାଣୁ

ଏହା, କ୍ଷଣସ୍ଥାୟୀ ସୁଖେ ହୋଇଣ ବିଭୋଳ

 

କିପରି କରୁ ତୁ ଭଲା ପରେ ପରିହାସ ?

ଅନ୍ଧକାର ଆଗମନ ଦେଖିଣ ପକ୍ଷୀଏ,

ଫେରି ଆସି ଦିଗନ୍ତରୁ, ବସିଲେ କୁଲାୟେ

ନୀରବେ, ନିସ୍ତବଧେ, ଯଥା ଘୋଟିଲେ କଳଙ୍କ

 

କୁଳେ, ପୋତି ଲଜ୍ଜାବଶେ ମସ୍ତକ ତଳକୁ,

ହୋଇ ନିରୁପାୟ, ଧୀର ଧାର୍ମିକ ସୁଜନେ

ହୁଅନ୍ତି ନୀରବ, ମଣି ମର୍ମେ ମହାକ୍ଳେଶ

ସନ୍ଧ୍ୟାଦୁତ ଶିବାଧ୍ୱନି ଶୁଭିଲା ଚୌଦିଗେ

 

ଆସିଲା ରଜନୀ-ରାଣୀ ତାରାହାରାବଳୀ

ପିନ୍ଧି ଗଳେ. ହେଲା କ୍ରମେ ଅନ୍ଧକାର ଘନ,

ଗୋଳାଇଲେ ତୈଳେ କାଳୀ ହୁଏ ଯଥା ଘନ

ଆରାତ୍ରିକ ଶଙ୍ଖ-ଘଣ୍ଟା ବାଜେ ଦେବାଳୟେ,

 

ଗୃହଲକ୍ଷ୍ମୀ ଗୃହିଣୀଏ ଜାଳି ସନ୍ଧ୍ୟାବତୀ

ତୁଳସୀ-ଚଉଁରା ପାଶେ କଲେ ସମର୍ପଣ

ଭୂ-ସୁରେ * ଗାୟିତ୍ରି ଜପି ଜପି ଶୁଦ୍ଧମନେ

କଲେ ସନ୍ଧ୍ୟା ଉପାସନା, ଆନ ଧର୍ମପ୍ରାଣ

*-ଭୁସୁଲ-ବ୍ରାହ୍ମଣ

 

ଜନେ, କଲେ ଯଥାବିଧି ସନ୍ଧ୍ୟାର ବନ୍ଦନା

କେହି କରେ ଗୀତାପାଠ, କେହି ଭାଗବତ

ଅଧ୍ୟୟନ, ପଢେ କାହି ଟୀକା-ରାମାୟଣ,

ବିଷ୍ଣୁଙ୍କ ସହସ୍ର ନାମ ପାଠ କରେ କେହୁ,

 

କେହୁ ଗୁଣେ ଚଣ୍ଡୀ, କେହି ଅବା ମାଳି ଧରି

ଜପେ ଇଷ୍ଟ ଦେବନାମ,: ତନ୍ମୟ ଚିତ୍ତରେ

ଭୂତଧାତ୍ରୀ ଧରିତ୍ରୀର ସ୍ୱରାଶି ଚକ୍ରରେ,

ଅନ୍ଧାରକୁ କୁଗ୍ରହର ଅଧିଷ୍ଠାନ ମଣି,

 

ଶାନ୍ତି ଅର୍ଥେ ତାର, ସର୍ବ ନାଗରିକଗଣେ

ସନ୍ଧ୍ୟାଛଳେ କରନ୍ତି କି ଦେବଦେବୀ ସ୍ତୁତି ?

ଅନ୍ଧାର-କାଳିମାରାଶି ଘୋଟି ଚଉଦିଗେ

କଲା ସୃଷ୍ଟି ଏକାକାର, କିନ୍ତୁ ରାଜପୁରେ

 

ପ୍ରବେଶର ଅଧିକାର ନାହିଁ ଆଜି ତାର

ଭାବୀ ରାଜ-ଆଗମନ ମହୋତ୍ସବେ ଆଜି

ଭାସୁଛି ଆଲୋକମାଳେ ଚନ୍ଦେକ ନଗରୀ,

(ଭାସଇ ଆଲୋକେ ଯଥା ସଷ୍ଟି ମହାଳୟେ)

ଅବହେଳେ ଅନ୍ଧକାରେ ଦେଇ ଦୁରେ ତଡି

 

ଫୁଟୁଅଛି ଗୁଳିହୀନ ନଳୀ, ବିସୃଜୁଛି

ବିନା ମେଘେ ନଭୋଦେଶେ ବିଜୁଳି, ହାବେଳୀ

କୃଷ୍ଣପକ୍ଷ ନିଶି, କେତେ କ୍ଷଣ ପରେ ନଭେ

ଉଇଁଲେ କୈରବ-ଶୁକ୍ଳ କୈରବ-ବାନ୍ଧବ,

 

ବିଧୁ-ବଧୁ କୁମୁଦିନୀ ହସିଲା ଉଜ୍ଜ୍ୱଳେ-

(ଦୁଃଖ ପରେ ସୁଖ ହାସ୍ୟ ଅତୁଳିତ ଭବେ)

ମୁଞ୍ଚି ଆନନ୍ଦାଶ୍ରୁ ରୁପ ଶିଶିର-କଣିକା

କେବଳ ଦୁଃଖର ଚିହ୍ନ ନୁହେଁ ଅଶ୍ରୁ-କଣା,

ମହାଦୁଃଖେ ଫିଟିଯାଏ ଯଥା ଝର ଚାର,

 

ଫିଟେ ତଥା ମହାସୁଖେ, ପ୍ରକୃତି ନିୟମେ

ଚନ୍ଦ୍ରିକା-ପୀୟୁଷ ପାୟୀ ଚକୋର ଦମ୍ପତି,

ଦେଖି ଚନ୍ଦ୍ରୋଦୟ ନଭେ ରଟିଲେ ହରଷେ,

ଭୁଲିଯାଇ ସୁଧାପାନେ ବିରହ ଯାତନା

 

ସୁଧାକର-କର-ନୀରେ ଅବଗାହି ସୌଧେ

ଦିଶିଲେ ଉଜ୍ଜ୍ୱଳ, ଜ୍ୟୋସ୍ନା ତେଜେ ସୌଧତେଜ

ହୋଇ ମିଶାମିଶି ବହେ ରମଣୀୟ ଶୋଭା,

ସୌଧତେଜେଜ୍ୟୋତ୍ସାକିମ୍ବାଜ୍ୟୋତ୍ସାତେଜେସୌଧ

 

କାହାକୁ କେ ଉଜ୍ଜ୍ୱଳାଏ, ହେଲା ନାହିଁ ବାରି,

ଯେସନ ସୁନ୍ଦରୀ ନାରୀ ଅଙ୍ଗ ଅଳଙ୍କାର,

କାହା ଯୋଗେ କିଏ ଶୋଭେ ହୁଏ ନାହିଁ ଜାଣି

ଅନ୍ତଃପୁରେ ଭଦ୍ରାଦେବୀ ରତ୍ନପଲଙ୍କରେ

ଉପବିଷ୍ଟା, ଆଭାମୟ ଚାରୁ ଆଭରଣେ,

ଭାସ୍କର ବସନେ, ( ଗଢ଼ା ଦିବ୍ୟ ଉପାଦାନେ )

ଶୋଭେ ବରାଙ୍ଗ ତାଙ୍କର, ପ୍ରଭା-ପୁରେ ଗୃହ

ଉଦ୍ଭାସିତ, ଦେବୀ କିମ୍ବା ମାନବୀ ସେ ଧନୀ

ନ ଥିଲେ ପଲକ ଛାୟା ନ ହୁଅନ୍ତି ବାରି

ପ୍ରିୟମ୍ବଦା ସଖୀବୃନ୍ଦ, କମଳା, ବିମଳା,

ସୁଶୀଳା, ପ୍ରମୀଳା ଆଦି ଅନିନ୍ଦ୍ୟା ସୁନ୍ଦରୀ

ବସିଛନ୍ତି ଯୋଗ୍ୟାସନେ, ପରିବାରୀଦଳେ

୧-ଦେବତାମାନଙ୍କର ଛାୟା ନାହିଁ

ଏବଂ ଚକ୍ଷୁର ପଲକ ପଡ଼େ ନାହିଁ

ଧରି ଝରୀ, କରଙ୍କାଦି ହୋଇଛନ୍ତି ଉଭା,

କେହି ରତ ଚାମର ବା ବ୍ୟଜନୀ ବ୍ୟଜନେ

ବ୍ୟଜନୀ-ବ୍ୟଜନ ଛଳେ ସଜନୀନିକରେ

ଉଡ଼ାନ୍ତି କି ଜୟଧ୍ୱଜା ଚକ୍ରବର୍ତ୍ତୀପଣେ

 

ସୁନ୍ଦରୀସମାଜେ ? ଆହା ସେ କାଳେ ତାଙ୍କର

ସହାସ୍ୟ ଚୁଚିର ମୁଖ ହୁଏ ଆନ୍ଦୋଳିତ,

ମୃଦୁ ବତାଘାତେ ଯଥା ସରୋଜିନୀକୁଳ

ବାଜୁଛି ମଧୁର ବାଦ୍ୟ, ବୀଣାଜିଣା ସ୍ୱରେ

 

ବାସବ-ମୋହିନୀ ଦେବୀ ବାସବୀ ସମ୍ମୁଖେ

ନୃତ୍ୟଗୀତେ ରତ ଥାନ୍ତି ଅପସରାନିକର

ଶୁଣୁଛନ୍ତି ଗୀତ ରାଣୀ, ତଦ୍ଗତମାନସେ

ହୋଇ ଭାବେ ଭୋଳ, ଧନ୍ୟ ସଙ୍ଗୀତ ମହିମା !

 

ନୁହେଁ ବଶୀଭୂତ କିଏ ତହିଁ ? ଜାଙ୍ଗଳିକେ ୨

ଗାଇ ପଦ୍ମତୋଳା ଗୀତ କରନ୍ତି ବାହାର

ବିଲୁ ସର୍ପେ ଅବହେଳେ, ମୃଗୟୁମଣ୍ଡଳୀ,

ଆକର୍ଷନ୍ତି ମୃଗ ମନ ମୁରଲୀ ସ୍ୱପ୍ନରେ

୨-ସାପୁଆ କେଳା

 

ଏହିପରି ଆମୋଦରେ ହୋଇଲା ବିସ୍ତର

ରାତ୍ରି, ରାଣୀ ଖରେ ଉଠି ବଢ଼ାଇ ମଣୋହି

ପହୁଡିଲେ ରତ୍ନ-ଖଚୀ ଗଜଦନ୍ତ ଖଟେ

କିନ୍ତୁ ହେଲା ନାହିଁ ନିଦ୍ରା, ଗୁରୁ ଦୁଃଖେ ଅତି

 

କିମ୍ବା ଗୁରୁ ସୁଖେ ଅତି ହୁଏ ନାହିଁ ନିଦ

ଶର୍ଯ୍ୟାରେ ପଡିଣ ରାଣୀ କେତେବେଳେ ଯାଏଁ

ଦେଖିଲେ ଭବିଷ୍ୟ ସୁଖ ଜାଗ୍ରତ ସ୍ୱପନ

କେତେ, ଅଙ୍କିଗଲେ କେତେ ଶୁନ୍ୟ କଳ୍ପନାର-

 

ଚାରୁଚିତ୍ର, ସମ୍ବତ୍ସର ବିରହାନ୍ତେ କାଲି

ଅଥବା ପରଶ୍ୱ ହେବ ପୁନଃ ସମ୍ମିଳନ

ସ୍ୱାମିସହ-ଏ ଆନନ୍ଦ ଦେଇଅଛି ଆଜି

ଘଉଡ଼ାଇ ରାଣୀଙ୍କର ନେତ୍ରୁ ନିଦ୍ରା ଆହା !

 

ବିଚ୍ଛେଦାନ୍ତେ ମିଳନର ସୁଖ କି ମଧୁର

ସୁନ୍ଦରୀକିରୀଟ-ଭୁଷା ଶିଶୁପାଳ-ଯୋଷା

ଭଦ୍ରା, ନିଦ୍ରା ଅଭାବରୁ ଏକ ରଜନୀକୁ

ମଣିଲେ ସୁଦୀର୍ଘ ସାତ ରଜନୀ ସମାନ,

 

ସୁଖରାତ୍ରି ଦୁଃଖରାତ୍ରି ଦୁହେଁ ଅତି ବଡ଼,

ଦୁଃଖଠାରୁ ଗୁରୁତର ସୁଖର ଯନ୍ତ୍ରଣା

ହୋଇଲା ରଜନୀ ଆସି ତୃତୀୟ ପ୍ରହର,

କୃତ୍ତିକା-ତାରକାପୁଞ୍ଜ ପଡିଲେଣି ଗଡି

 

ମୁଣ୍ଡପରୁ, ସପ୍ତର୍ଷିଏ ଅରୁନ୍ଧତୀ ସହ

ହେଲେଣି ଉତ୍ତରମୁଖୀ, ଗାଢ଼ୁ ଗାଢ଼ତର

ହେଲା ନିଶି-ନୀରବତା, ଏମନ୍ତ ସମୟେ

ଘାରିଲା ରାଣୀଙ୍କ ନେତ୍ରେ, ବିରାମଦାୟିନୀ

 

ବାହ୍ୟଜ୍ଞାନବିଲୋପିନୀ ନିଦ୍ରା, ସଙ୍ଗେ ଘେନି

ସ୍ୱପ୍ନଦେବୀ-ଚିରପ୍ରିୟ ସହଚରୀ ତାର,

ଦେଖିଲେ ସ୍ୱପନ ରାଣୀ, ଅଦ୍ଭୁତ ଏସନ,

ଉପସ୍ଥିତ ହୋଇ ରାଜା, ହୋଇଛନ୍ତି ବିଜେ

 

ରମ୍ୟ ରତ୍ନସିଂହାସନେ, ରାଣୀଙ୍କ ସହିତେ,

ପରଷ୍ପର ସମ୍ଭାଷଣେ ପରଷ୍ପର ହୃଦୁ

ବିଚ୍ଛେଦ-ଅନଳ ଶାନ୍ତି ଲିଭିଲା ବହନ,

 

ଶମେ ଯଥା ଘନଜଳେ ବନେ ଦାବାନଳ

ଲାଗିଅଛି ବେନିଙ୍କର ନାନାବିଧ କଥା,

ସୁଖ, ଦୁଃଖ, ପରିହାସ, ନବ ପୁରାତନ

କଥା, ଯାର ଯେତେ ଥିଲା ବର୍ଷକଯାକର

 

ଏମନ୍ତ ସମୟେ ଏକ କୃଷ୍ଣାଙ୍ଗ ପୁରୁଷ

ଦୀର୍ଘକାୟ, ଭୟଙ୍କରବେଶୀ ଚଢ଼ ଏକ

ଗିରିଚୂଡ଼ାସମ ଦୀର୍ଘ-ବିଷାଣ ମହିଷେ,

ଆସୁଅଛି ତ୍ୱରା, ରାଜରାଣୀଙ୍କ ଆଡ଼କୁ

 

ଏକ ହସ୍ତେ ଭୀମ ଗଦା, ତାଳତରୁ ସମ,

ଭୀଷଣ ପ୍ରକାଣ୍ଡ ଅସି ଧୃତ ଆନ କରେ

ବିଶାଳ ମସ୍ତକୋପରି ବିଶାଳ ଉଷ୍ଣୀଷ

ରକ୍ତବର୍ଣ୍ଣ ଡ଼ୋଳା ତହୁଁ ଖରେ ଘୂରେ, ଯଥା

 

ଘୂରଇ ଚାଳନୀ, ଶସ୍ୟ ଚାଳନ ସମୟେ

ଗହ୍ୱର ସଦୃଶ ମୁଖେ ବିକଟ ଦଶନ

ତୀକ୍ଷ୍ମ ଲୌହବିଦା ପରି, ବହେ ଖରଶ୍ୱାସ

ନାସାରନ୍ଧ୍ର ପଥେ, ଯଥା ପ୍ରଖର ପବନ,

 

ସେ ପବନେ, ତାର ଗତିପଥବତ୍ତୀ ତରୁ-

ରାଜି, ଭାଙ୍ଗି ମଡ଼ମଡ଼େ, ଉଡ଼େ ନଭୋଦେଶେ,

ଭୀମ ପ୍ରଭଞ୍ଜନେ ଯଥା ଆଜାନୁଲମ୍ୱିତ

ଶ୍ମଶ୍ରୂ, ଘନକୃଷ୍ଣବର୍ଣ୍ଣ, ମୁଖ ମେଲି ଯେବେ

 

ମାରେ ହାଇ, ଦିଶେ ଯଥା ଘନ ଅରଣ୍ୟାନୀ

ମଧ୍ୟେ ବାରିକୁଣ୍ଡ, ଜିହ୍ୱା କପାଟ ସମାନ

ଧାଇଁ ଆସି ସେ କରାଳ କୁତ୍ସିତ ପୁରୁଷ

ପବନୁ ପ୍ରଖରେ, ମିଳି ସିଂହାସନ ପାଶେ,

କରସ୍ଥ ପ୍ରକାଣ୍ଡ ଖଣ୍ଡା ପ୍ରଚଣ୍ଡ ଆଘାତେ

କାଟି ଶିଶୁପାଳ ମୁଣ୍ଡ, ଚାଣ୍ଡେ ଗଲା ଘେନି,

ମୁହୂର୍ତ୍ତ ମଧ୍ୟରେ କାହିଁଗଲା ସେ ଉଭେଇ

ମେଘାସନ-ଅଧିତ୍ୟକାଚାରୀ *ମୃଗମୃଗୀ

*ମୟୁରଭଞ୍ଜର ମେଘାସନ ପର୍ବତୋପରିସ୍ଥ ସମଭୂମିଚାରୀ

ବେନି ମଧ୍ୟୁଁ, ଅକସ୍ମାତ୍ଦୂର ଘୋର ବନୁ

କୁଦି ଆସି ମହାବଳ, ଘେନିଗଲେ ମୃଗେ,

ସେ କାଳେ ମୃଗୁଣୀ ଯଥା ଚିତ୍କାରେ କରୁଣେ,

ସେହିପରି ଚେଦୀଶ୍ୱରୀ ଉଠିଲେ ଚିତ୍କାରି

ଅସ୍ୱାଭାବୀ ସ୍ୱରେ ଭୟେ ଉଚ୍ଚେ, ଏହିକାଳେ

ଭାଙ୍ଗିଗଲା ନିଦ୍ରା, ରାଣୀ ଉଠିଣ ପ୍ରଖରେ

ବସିଗଲେ ଭେକା ହୋଇ କେତେ ବେଳଯାଏଁ,

ଘେରିଲେ ସାତ୍ତ୍ୱିକ ଭାବେ ତାଙ୍କୁ ଚାରିଆଡ଼ୁ,

 

ଥରିଲା ଶରୀର, ଗଲା ଶ୍ରମଝାଳ ବହି,

ଉଠିଲା ଟାଙ୍କୁରି ଲୋମ, ହଜିଗଲା ଜ୍ଞାନ,

କେତେ କ୍ଷଣେ ଭାଙ୍ଗିଯାନ୍ତେ ମୋହ, ସ୍ୱପ୍ନ ଜାଣି

ଦୀର୍ଘଶ୍ୱାସ ତେଜି, ରାଣୀ ବଞ୍ଚିଗଲେ ପ୍ରାଣେ

 

କିନ୍ତୁ ଦେଖି ଅମଙ୍ଗଳ ସ୍ୱପ୍ନ, ସନ୍ତରିଲେ

ମୁହୁର୍ମୁହୁଃ ନାନବିଧ ଆଶଙ୍କା-ସଲିଳେ,

ସ୍ନେହର ଲକ୍ଷଣ ତାହା, ଯାହା ପ୍ରତି ଯାର

ଯେତେ ସ୍ନେହ, ତାହା ପକ୍ଷେ ସେହୁ ପୋଷେ ତେତେ

 

ଆଶଙ୍କା ମନରେ, ଏହା ସ୍ୱାଭାବିକ କଥା

ଦୁଃସ୍ୱପ୍ନର ଶାନ୍ତି ହୁଏ ଗୋବିନ୍ଦ ସ୍ମରଣେ,

ତେଣୁ ରାଣୀ ସେହି ନାମ ଜପ କଲେ ବସି,

ବିପଦେ ଦେବତା-ଭକ୍ତ ହୁଅନ୍ତି ସକଳେ

 

ଦୁଗ୍ଧ-ଫେନନିଭଶଯ୍ୟା ଧବଳ କୋମଳ

ପ୍ରତେ ହେଲା ତାଙ୍କୁ ଯେହ୍ନେ ତୀକ୍ଷ୍ଣ କଣ୍ଟକିତ

 

Unknown

ପଞ୍ଚମ ସର୍ଗ

 

ଖଡ଼ିୟାଳ ମହୀପାଳ ହେ ବୀର ବିକ୍ରମ !

ଅଟ ତୁମ୍ଭେ ଯେଣୁ ଦେବ ସାହିତ୍ୟ-ରସିକ,

ତେଣୁ ଆମନ୍ତ୍ରିଲି ଅଗ୍ରେ ସାଦରେ ବିନୟେ

ତୁମ୍ଭଙ୍କୁ, ହେ କାବ୍ୟ-ବନ-କଳକଣ୍ଠ-ପିକ !

ଶୁଣ ଏ ଗୀତିକା ମୋର ଦିବ୍ୟ ଅବଧାନେ

ତବ ଯୋଗ୍ୟ ଉପାୟନ ଏ ନଗଣ୍ୟ ଗୀତ

ନୁହେଁ ସତ୍ୟ, କିନ୍ତୁ ଦେବ ! ଶୁଣିଅଛି ମୁହିଁ,

ଦୀନ-ଭକ୍ତି-ଦତ୍ତ-ଦ୍ରବ୍ୟ, ଅକିଞ୍ଚିତକର

ହେଲେ ସୁଦ୍ଧା, ମହାଜନେ ଗ୍ରହନ୍ତି ସାଦରେ

ତାହା, ଭକ୍ତିଦତ୍ତ ବୋଲି ସିନା ବନମାଳୀ,

ଭୁଞ୍ଜିଲେ ବିଦୂର ଗଅହେ ଶାକାନ୍ନ ସାଗ୍ରହେ !

କି ନ ମିଳେ ତ୍ରିଲୋଚନେ ?-ତ୍ରିଲୋକ ଈଶ୍ୱର,

କିନ୍ତୁ ଭକ୍ତ-ଭକ୍ତି-ଦତ୍ତ ଧୁତୁରା, ଗଇଛେ

ଗ୍ରହନ୍ତି ସନ୍ତୋଷ ସେହୁ, ରୂପଗନ୍ଧହୀନ

ଏଣୁ ତେଜି ମନୁ ଭୀତି ଆହ୍ୱାନିଲି ନୃପ !

ଶ୍ରୀଛାମୁଙ୍କୁ, ଆଜ୍ଞା ହେଉ ଶୁଣିବାକୁ ଏବେ

 

ଲାଗିଅଛ ଶତହସ୍ତେ କାର୍ଯ୍ୟେ, ଅଟ ରାୟେ !

ଯୋଗଜନ୍ମା ରାଜା ତୁମ୍ଭେ, ରମା, ବୀଣାପାଣି,

ବରିଛନ୍ତି ସମଭାବେ ଶ୍ରୀଛାମୁଙ୍କୁ, ତେଜି

ସପତ୍ନୀ-ବିଦ୍ୱେଷ ସଦା ! ପ୍ରଜାପାଳନର

 

ଗୁରୁଭାର ଅଛି ଶିରେ, ନାଟକ-ଲେଖକ-

ରୂପେ, ଲିପ୍ତ ଅଛ ସଦା ସମାଜ-ସଂସ୍କାରେ,

ହିନ୍ଦୀଭାଷାପ୍ଳାବୀ ରାଜ୍ୟେ କରି ସୁଦ୍ଧା ବାସ,

ଆବାଲ୍ୟରୁ ମନପ୍ରାଣ ଦେଇଅଛି ଢାଳି

 

ମାତୃଭାଷା ସେବାବ୍ରତେ, ଯେଣୁ କର୍ମବୀର

ତୁମ୍ଭେ, ତେଣୁ ଚାହୁଁଛନ୍ତି ଉତ୍କଳ ଜନନୀ

ତୁମ୍ଭରି ଆଡ଼କୁ, ଆହା ! ଆତୁର ନେତ୍ରରେ,

ଅର୍ପେ ସିନା କର୍ମ ମାତା କର୍ମକ୍ଷମ ସୁତେ

 

ପ୍ରତିଷ୍ଠା-ପ୍ରୟାସୀ ତୁମ୍ଭେ ନୁହଁ ନରଦେବ !

କିନ୍ତୁ ବଳେ ବଳେ ଆସି ପ୍ରତିଷ୍ଠା ତୁମ୍ଭଙ୍କୁ

ଧରୁଅଛି ଦୃଢ଼େ, ଯଥା ପାଦପେ ଲତିକା

ପାଷାଣ୍ଡ-ଦଳନ ଲୀଳା କୃଷ୍ଣଚନ୍ଦ୍ରଙ୍କର

 

ମଧୁର, ପବିତ୍ର, ଯଥା ପୀୟୁଷ ପ୍ରପାନ,

ଶୁଣ ନରନାହା ! ତାହା ଅବହିତ ମନେ

ତୁମ୍ଭେ ସୁଦ୍ଧା ଶୁଣ ଆହେ ରାଜଧର୍ମୀ-ରାଜା,

ସୁରଙ୍ଗୀ-ଧରଣୀପାଳ ଗୁଣ-ବିଚକ୍ଷଣ,

 

ସ୍ୱଚ୍ଛ-ଶୁକ୍ଳ ସୁଶୀତଳ ପବିତ୍ର ସଲିଳା-

ବାହୁଦା ୧ ପ୍ରତୀରବାସୀ ଚନ୍ଦ୍ରଚୂଡ଼ ସମ

ଦେବ ଚନ୍ଦ୍ରଚୂଡ଼ାମଣି ! ଆମନ୍ତ୍ରିଲି ମୁହିଁ

କରଯୋଡ଼େ, ଯେଣୁ ତୁମ୍ଭେ ଉପଯୁକ୍ତ ଶ୍ରୋତା

୧- ବାହୁଦା-ଗଞ୍ଜାମ ଜିଲାର ଇଚ୍ଛାପୁରସ୍ଥ ନଦୀ

 

ରୂପ-ରସ-ଗନ୍ଧହୀନ କଦଳୀ ପଟୁକା,

କୁସୁମ ପରଶେ ଯଥା ଲମ୍ୱେ ଦେବଗଳେ,

ତଥା ଏ ଗୀତିକା ମୋର କବିତା ଚାତୁରୀ,-

ରସଭାବ-ହୀନ ଶୁଷ୍କ ହେଲେ ସୁଦ୍ଧା, ତହିଁ

 

ରସରାଜ ରାସେଶ୍ୱର ହରିଙ୍କର ରସ

ଥିବାରୁ ବର୍ଣ୍ଣିତ, ତାହା ଶୁଣିବା ଉଚିତ

ମୁନୀନ୍ଦ୍ର-ବାଦରାୟଣି-ବେଦ-ପୂତ-ମୁଖ-

ବିନିଃସୃତ, ମୋକ୍ଷପ୍ରଦ ମହାଭାରତୀର

 

ପ୍ରତିଧ୍ୱନି ଏହା, ଏଣୁ ପୂତ, ଶ୍ରବଣୀୟ ୨

ସାହିତ୍ୟପ୍ରେମିକ ତୁମ୍ଭେ, ମତ୍ତ ସଦା ପୁଣି

ସାହିତ୍ୟ ଆଳାପେ, ଧରି ସମୟ-ତରଣୀ-

ମଙ୍ଗେ, ଆଣ୍ଟେ, ଯଥାକାର୍ଯ୍ୟ କର ଯଥାକାଳେ,

ଶିଶୁପାଳବଧ ବ୍ୟାସ-ବିରଚିତ ମହାଭାରତର ଅନ୍ତର୍ଗତ

 

ତେଣୁ ଦୃଷ୍ଟା ବିଳାସିତା-ଚରିତ୍ରନାଶିନୀ,

ପଶେ ନାହିଁ ପାଖ ତବ ଡ଼ରେ, ଡ଼ରେ ଯଥା

ତ୍ରିପୁର-ବିଜୟୀ ସ୍ମର, ସ୍ମରହର-ହରେ

କର୍ମବୀର, କିନ୍ତୁ ନାମପ୍ରାୟସ-ବିରୋଧୀ,

 

ସଦା କର୍ମ-କଞ୍ଚୁକରେ ଥିବାରୁ ଆବୃତ

ଶ୍ରୀଅଙ୍ଗ ତୁମ୍ଭର, ନୃପ ! ଷଡ଼ରିପୁ-ବାଣ

ବାଜିତହି ହୋଇଗଲା ବ୍ୟର୍ଥ, (ଯେ ଅମୋଘ

ଆୟୁଧେ, ଚରିତ୍ର-ତରୀ ଫାଟିଯାଇ ଆହା !

ହୁଏ ନିମଜ୍ଜିତ ପାପ-ଅତଳ-ସାଗରେ)

ତହୁଁ ଦୁଷ୍ଟେ ପୃଷ୍ଠଭଙ୍ଗ ଦେଇ ମହାଭୟ

 

ଲୁଚିଲେ କେ କାହିଁ, ଆଉ ନ ଦିଅନ୍ତି ଦେଖା,

କି ବର୍ଣ୍ଣିବି ନରବର ଛାମୁଙ୍କ ସୁଗୁଣ ?

ନବ-ହର୍ମ୍ୟ ଉପକଣ୍ଠେ ବହଇ ବାହୁଦା,

ଦେଖି ତାହା ଭାବେ ମୁହିଁ ମାନସେ ଏସନ,-

 

ବହୁଛି କି ଛାମୁଙ୍କର ଶୁଭ୍ର ଯଶୋରାଶି

ସ୍ରୋତରୂପେ ? ଗାଇ ତବ ବିଜୟ-ଗୀତିକା

ହର୍ଷ କଳକଳ ସ୍ୱରେ ଗୀତେ ଅବଧାନ

ହେଉ ନରମଣି ! ମୋର ଏତିକି ମାଗୁଣି

 

ଅଧିକେ ବିଳମ୍ୱ ନାହିଁ ପାହିବାକୁ ରାତି,

ଦିଶିଲେଣି ଚନ୍ଦ୍ରସହ ତାରାଗଣେ ଫିକା,

ଯଥା ପର୍ଯ୍ୟୁଷିତ ପୁଷ୍ପ, ଫିକା ଦୀପଶିଖା,

ବହେ ଶୀତ ସମୀରଣ ରଣରଣ ସ୍ୱନେ

 

ଉଠିଲା ପ୍ରଭାତୀ-ପୂତ ସଙ୍ଗୀତର ଧ୍ୱନି

ଭକ୍ତକଣ୍ଠୁ- ଉଠ ଉଠ ପାହିଲା ରଜନୀ

ହେ ରଘୁମଣି, ଆହା, କି ଲଳିତ ମଧୁର !

କୋମଳ କାକଳି ଛଳେ ଗାଇଲେ ପକ୍ଷୀଏ

 

ଉଷାର ବନ୍ଦନା, ଧରା ଦିଶିଲା ଧବଳ

କ୍ରମେ କ୍ରମେ, ପ୍ରାଚୀନଭେ ଦେଖାଦେଲେ ରବି,

ଚାରୁ ହିଙ୍ଗୁଳିତ ଛବି, ଆହା ! ସେ କି ଶୋଭା

ପ୍ରାଚୀ-ଦିଗ୍ବାରଣ-ବଧୂ କରିଛି ପ୍ରସବ

 

ଆରକ୍ତ ପେଣ୍ଡୁଳାଟିଏ ? ବିଞ୍ଚଇ କି କାନେ

ଶବକ ଲାଭାର୍ଥେ ତାକୁ ? ସେହି ବାୟୁସ୍ରୋତ

ଦିଗ୍ଦନ୍ତୀ କପୋଳୁ ହରି ପରିମଳ ମଦ

ଆସଇ କି ପ୍ରାତେ ବହି ଧୀରେ ଚାରିଆଡ଼େ ?

 

ପୌରନ୍ଦରୀ ତଟେ ଗଜା-ବଉଦ ଉପରେ

ପଡ଼ି ବାଳରବି-କର, ସୃଜଇ ରୁଚିର-

ସ୍ୱର୍ଣ୍ଣ ବିମାନର ଶୋଭା, ଯଥା ରବିଙ୍କର

ହିରଣ୍ମୟ ରଥ, ମାଘ ଶୁକ୍ଳ ସପ୍ତମୀରେ

 

ରାଜେ ଚନ୍ଦ୍ରଭାଗା ତୀର୍ଥେ-ମହୋଦଧି କୂଳେ

ଯଥାକାଳେ ଶଯ୍ୟା ତେଜି ଭଦ୍ରା ସୁକୁମାରୀ,

ସାରି ପ୍ରାତଃକୃତ୍ୟ ଅତି ସଂକ୍ଷେପେ ସତ୍ୱର

ବିଜେ କଲେ ଭଦ୍ରାସନେ, ଏମନ୍ତ ସମୟେ

 

ଅମଳ-କମଳନେତ୍ରୀ ସଙ୍ଗିନୀ କମଳା,

ବିମଳା ବିମଳ-ଦେହା, ସୁ-ଶୀଳା ସୁଶୀଳା,

ପ୍ରିୟମ୍ୱଦା ପ୍ରମୀଳାଦି ଉପସ୍ଥିତ ଆସି,

ସେମାନଙ୍କ ମୁଖେ ଆଜି ଧରୁ ନାହିଁ ହାସ,

 

ଉଛୁଳିଣ ତାହା ଆହା ! ଦେଇଛି ବୁଡ଼ାଇ

ଓଷ୍ଠାଧର ବେନି, ଯେଣୁ ଆସିଥିଲେ କେତେ

ଫନ୍ଦା ଫାନ୍ଦି, ରାଣୀଙ୍କର ଆନନ୍ଦ ସହିତେ

ଯିବେ ମିଶି କ୍ଷୀର ନୀର ପରି, ଦୀନଜନେ

 

ବାଣ୍ଟିବେ ବଧାଇ, ବସ୍ତ୍ର ଅଳଙ୍କାର ଆଦି,

ଛଳିବେ ରାଣୀଙ୍କୁ ପରିହାସେ, ଆସିଥିଲେ

ଏହିପରି ନାନାଭାବ ମନାସି ମାନସେ

କିନ୍ତୁ ଯାହା କଳ୍ପିଯାଏ ମନ, ତାହା ସବୁ

 

ହୁଏ ନାହିଁ ପରିଣତ କାର୍ଯ୍ୟେ, ସବୁବେଳେ,

ଆଶା ମନୁଷ୍ୟର, କିନ୍ତୁ ତାର ସଫଳତା

ବିଶ୍ୱ-ବିଧାତାଙ୍କ ହସ୍ତେ, ଏହା ସତ୍ୟ, ଧ୍ରୁବ

ଦୃଢ଼ ବନ୍ଧ ଲଭି ଯଥା ନିମ୍ନଗାମୀ ସ୍ରୋତ

 

ହୁଅଇ ସଂରୁଦ୍ଧ, ତଥା ରାଣୀଙ୍କୁ ବିମନା

ଦେଖି, ସଖୀଙ୍କର ହର୍ଷ ପଡ଼ିଲା ମଉଳି

କିନ୍ତୁ ନ ପାରିଣ ଜାଣି ଦୁଃଖର କାରଣ

ରାଣୀଙ୍କର କିଛି, ସର୍ବେ ସଂଶୟ-ଦୋଳାରେ

 

ପଡ଼ି ହେଲେ ଦୋଳି, ତାହା ପଚାରିବା ପାଇଁ

ନ ହେଲା ସାହାସ କାର ରାଣୀଙ୍କୁ, ସକଳେ

ନୀରବେ ବସିଲେ ଯାଇ ଯଥାଯୋଗ୍ୟ ସ୍ଥାନେ

କେତେ କ୍ଷଣ ପରେ ତହୁଁ କୋମଳଭାଷିଣୀ

 

କମଳା, କହିଲା ଧୀରେ ରାଣୀଙ୍କୁ ସମ୍ୱୋଧି,-

ମହାଦେବି ! କ୍ଷମା ଆଜ୍ଞା ହେଉ, ଏ ଅଧୀନା

ପଚାରିବ କଥା ଏକ, ଖଞ୍ଜନ-ନୟନେ !

କିପାଇଁ ବିମର୍ଷ ଚିହ୍ନ ଶ୍ରୀମୁଖ-ମଣ୍ଡଳେ ?

 

ଉତ୍ତରିଲେ ଭଦ୍ରାରାଣୀ- କି କହିବି ସଖି !

ରଜନୀର ଶେଷଯାମେ କାଲି, ଦେଖି ଏକ

କୁସ୍ୱପ୍ନ, ହେଉଛି ଘାଣ୍ଟି ହୃଦୟ ମୋହର

ଏହା ଭାଷି ସେ ସ୍ୱପ୍ନର ଆମୂଳ ଘଟନା

 

ବର୍ଣ୍ଣିଗଲେ ସବୁ, ଯଥା ଶିଷ୍ଟ ଚାଟପିଲା

ସ୍ୱକୀୟ ଅଭ୍ୟସ୍ତ ବିଦ୍ୟା କହେ ଗୁରୁଆଗେ

ରାଣୀଙ୍କର ରାତ୍ରି-ଦୃଷ୍ଟ ସ୍ୱପନ ବିଷୟ

ବରାଙ୍ଗୀ କମଳା, ଶୁଣି ବୋଇଲା ସସ୍ମିତେ,-

 

କି ନ ଜାଣ ଦେବି ! ସର୍ବଶାସ୍ତ୍ର-ସୁପ୍ରବୀଣା,

ଏ ଛାର କଥାକୁ ଏତେ ଭାବନା କିପାଇଁ ?

ଛାୟାରେ ଆରୋପ ରୂପ ଯଥା ଅସମ୍ଭବ,

ସ୍ୱପ୍ନରେ ସତ୍ୟତାରୋପ ସୁଦ୍ଧା ସେହିପରି

 

ବୃଥା, ସ୍ୱପ୍ନ ଅଟେ ଖାଲି ଭ୍ରାନ୍ତି ଇନ୍ଦ୍ରଜାଲ

ବୋଇଲା ବିମଳା ସଖୀ ବିମଳସ୍ୱଭାବା,-

ଚେଦୀଶ୍ୱରି ! ଜାଣୁ ଜାଣୁ ତୁମ୍ଭେ ଚେଦୀଶ୍ୱର

ପରାକ୍ରମ, ଭାବ କିପାଁ ଅନ୍ୟଥା ତାହାର

 

ବାତୁଳାଣୀ ପ୍ରାୟ ? ପଡ଼ି ଅକାରଣ ଭ୍ରମେ,

କେ ଅଛି ଏମନ୍ତ ଭବେ, ଧରଷିବ ଯେହୁ

ନୃପସିଂହ ଚେଦୀଶ୍ୱରେ ? ଦେବି ! ଛାଡ଼ ବୃଥା

ଚିନ୍ତା ତହୁଁ ଚାରୁଶୀଳା ସୁଶୀଳା ସୁନ୍ଦରୀ,

 

ଭାଷିଲା ମଧୁରେ ଯଥା କଳକଣ୍ଠୀ ସାରୀ,

ଶୁଣିଛି ମୁଁ ଲୋକମୁଖେ, ସ୍ୱପନର ଫଳ

ହୁଏ ପୂର୍ଣ୍ଣ ବିପରୀତ, ଦେଖିଲେ ଘରକୁ,

ଘଟଇ ପରକୁ ତାହା, ଅତଏବ ରାଣି !

 

ତୁମ୍ଭ ସ୍ୱପ୍ନଫଳେ ଯିବ ଶତ୍ରୁ ତବ ନାଶ

ବୋଇଲା ପ୍ରମୀଳା ଶେଷେ, ପ୍ରଳମ୍ୱକୁନ୍ତଳା,-

ସୁଶୀଳା ସଜନୀ କଥା ଅଟେ ନିଶ୍ଚେ ସତ,

ଭୋଗିଛି ଦେହକେ ମୁହିଁ, ଥରେ ଏହିପରି,-

 

ଦିନେ ନିଶିଯୋଗେ ମୁହିଁ ଦେଖିଲି ସ୍ୱପନେ,

ଯାଇଛି ମୁଁ ମରି, ମୋର ମୃତଦେହେ, ଘେନି-

ଗଲେ ଯମରାଜ ପାଶେ ଯମଦୂତମାନେ,

କେତେ ଯେ ଦଣ୍ଡିଲା ଯମ କି କହିବି ତାହା ?

 

ଉପବିଷ୍ଟ ଯମରାଜା କୃଷ୍ଣକାନ୍ତ ପୁରୀ

ମଧ୍ୟେ କୃଷ୍ଣ ମଣ୍ଡପରେ, କୃଷ୍ଣପରିଚ୍ଛଦ-

କୃଷ୍ଣବସ୍ତ୍ରଧାରୀ, ତାର ଦେହଯାକ କଳା,

ଧାନସିଝା ହାଣ୍ଡି ପରି, ବଡ଼ମୁଣ୍ଡେ ତାର

 

କୃଷ୍ଣ ଶିରସ୍ତ୍ରାଣ, କରେ ଅତି ତ୍ରାସପ୍ରଦ

ସ୍ଥୂଳ-ଦୀର୍ଘ-କୃଷ୍ଣଦଣ୍ଡ, ଯଥା କେନ୍ଦୁବାଡ଼ି,

ପାର୍ଶ୍ୱଦେଶେ ଚିତ୍ରଗୁପ୍ତ ପ୍ରଧାନ-ପାଞ୍ଜିଆ,

ବସିଅଛି ପିଣ୍ଡି ୧ ପରେ, ଅଗ୍ରେ ଥୁଆ ତାର

୧- ପିଣ୍ଡି ମୃତ୍ତିକା ମଣ୍ଡପ

 

ପାଞ୍ଜିବିଡ଼ା, କାଠପୀଢ଼ା ପୃଷ୍ଠେ, ଅତି ବୁଢ଼ା

ସେହୁ, ପାଚି ମୁଣ୍ଡେ ବାଳ, ଦିଶେ ଝୋଟ ପରି,

ପ୍ରଚକ୍ଷୁ ଲଗାଇ ବୁଢ଼ା ଲେଖିଯାଏ ଖରେ

ତାଳପତ୍ରେ, ଫାଳସମ ଲୌହ ଲେଖନୀରେ

 

ରୋଗ, ପାପ, ହତ୍ୟା ତିନି ବଡ଼ ସେନାପତି

ଉଭା ଅନୁଚର ସହ ଆଜ୍ଞା ପ୍ରତୀକ୍ଷାରେ

ଗୁମାସ୍ତା, ଛାମୁକରଣ, ବେବର୍ତ୍ତା ପ୍ରଭୃତି

କର୍ମ୍ମଚାରିବୃନ୍ଦ ବସି ଯଥାସ୍ଥାନେ, ରତ

 

ନିଜ ନିଜ କାର୍ଯ୍ୟେ, ଯଥା ପାଠାର୍ଥୀ ବାଳକେ,

ବେତ୍ରହସ୍ତ ଅବଧାନ ତହିଁ ଦଣ୍ଡଧର,

ଚିତ୍ରଗୁପ୍ତ ବଡ଼ଚାଟ ମହାଦରବାର

ଲାଗିଅଛି ତହିଁ, ଯମ କରନ୍ତି ବିଚାର,

 

ଗୋଟାଏ ମାମଲା ସୁଦ୍ଧା ରହେ ନାହିଁ ବାସି,

ସଦ୍ୟ ସଦ୍ୟ ଛିଡ଼ିଯାଏ ସେ ଦିନର ଯେତେ

ନାହିଁ ତହିଁ ମୁଦ୍ରା ବିକ୍ରି, ୨ ବ୍ୟବହାରଜୀବୀ ୩

(ଅର୍ଥ ଉପାସକ ଯେହୁ, ଯୁକ୍ତିତର୍କ ବଳେ କରିପାରେ

କଳା ଧଳା ପୁଣି ଧଳା କଳା)

କାଣ୍ଡିଆଳ ୪ ପ୍ରବର୍ତ୍ତକ, ପ୍ରବଞ୍ଚକ, ଅବା

୨-କୋଟଫିସ ବିକ୍ରି ୩- ଓକିଲ

୪- ଯେ ଓକିଲ ମୋକ୍ତାରଙ୍କୁ ମାମଲା ଯୋଗାଏ

 

ସାହାସିଆ ବାହାପିଆ କାନକୁହା ଆଦି,

କିମ୍ୱା ଯଙ୍କା କଉଡ଼ିର ବ୍ୟବହାର କିଛି

ସେଠାରେ କାହାରି ସାକ୍ଷ୍ୟ ହୁଏ ନାହିଁ ଲୋଡ଼ା,

ସମସ୍ତଙ୍କ ସାକ୍ଷୀ ଏକା ଚିତ୍ରଗୁପ୍ତ ପାଞ୍ଜି

 

ନୟନ ଫେରାଇ ମୁହିଁ ଚାହିଁଲି ଚୌଦିଗେ,

ଦେଖିଲି ଅସଂଖ୍ୟ ପୁରୀ, ଧୂମମୟୀ କେହି,

କେହି ଅନ୍ଧକାରମୟୀ, ଯଥା ଅମାନିଶା

କାହିଁ ଲକ୍ଷ ଲକ୍ଷ ଶବ ହେଉଅଛି ଦାହ,

 

ବାହାରେ ଦୁର୍ଗନ୍ଧ ତହୁଁ, ଅସହ୍ୟ ଅତୀବ,

ସେ ଦୁର୍ଗନ୍ଧ ଆଘ୍ରାଣରେ ଅନ୍ନପ୍ରାଶନର

ଅନ୍ନ ସୁଦ୍ଧା ହୋଇଯିବ ଖରେ ଉଦ୍ଗାରିତ

ପ୍ରସ୍ରାବ ପୁରୀଷ କୁଣ୍ଡେ କାହିଁ ବା ପାପୀଏ

 

ରହିଛନ୍ତି ବୁଡ଼ି, ଥରେ ଟେକିଲେ ମସ୍ତକ,

ଝାମ୍ପି ଉର୍ଦ୍ଧ୍ୱୁ ଶ୍ୟେନପକ୍ଷୀ, ଲୌହ ସଣ୍ଡୁଆଶୀ-

ସମଥଣ୍ଟେ, ଟାଣିନିଏ ତାହାଙ୍କର ଆଖି,

କାହିଁ ମିଳି ଶିବାଶ୍ୱାନେ ପାପିଦେହୁଁ ଆହା !

 

ବିକଟେ ଓଟାରି ମାଂସ ଭୁଞ୍ଜନ୍ତି ହରଷେ

ନାହାନ୍ତି ସେ ନଭେ ଚନ୍ଦ୍ର କିମ୍ୱା ଦିବାକର,

ଧୂମକେତୁ ଭୀମପୁଚ୍ଛ ଆନ୍ଦୋଳି ସଘନେ

ବୁଣେ ସଦା ଅଗ୍ନିକଣା, ଅଗ୍ନିବୃଷ୍ଟି କରେ

 

ସଘନେ ନିନାଦି ଘନ ପାତକୀ ମସ୍ତକେ,

କାହିଁ ଭୀମ ଯମଦୁତେ ଉପଯମ ସମ

ରତ ଅବିରତ ପ୍ରେତ ପାପୀ ନିର୍ଯ୍ୟାତନେ,

ମହାଉଗ୍ର କେହୁ, ଧରି ଜ୍ୱଳନ୍ତ ସଣ୍ଡାଶୀ

 

ଟାଣେ ମିଥ୍ୟାବାଦୀ ଜିହ୍ୱା, କେଉଁ ଦୂତ ଅବା

ବିଟପୀ ବିଟପେ ଘେନି, ଶୁଆଉଛି ନେଇ

ଅଗ୍ନିତପ୍ତ ତାମ୍ରପତ୍ରେ, ଅଧୋମୁଖେ, ହାୟ !

ପୋଡ଼େ ଚର୍ମ ଚଡ଼ଚଡ଼େ, ପୁଣି ତା ଉପରେ

 

ଢଳାହୁଏ ଘଡ଼ା ଘଡ଼ା ତୈଳ, ବାହାରିଣ

ତହୁଁ ତୀବ୍ର ଗନ୍ଧ, ରୁନ୍ଧିଦିଏ ନାସାପଥ,

ଯେହୁ ଦେଶଦ୍ରୋହୀ ପାପୀ, ଶୋଷିଣ ଦେଶର

ଅସ୍ଥିମଜ୍ଜା, ଦେଇଅଛି ମହାକ୍ଳେଶ, ପୁଣି

 

ମହାଭାର, ଯମଦୂତେ ଶୁଆଇ ତାହାକୁ

ଉତ୍ତାନେ, ଦିଅନ୍ତି ଚାପି ସେ ପାପୀ ଉପରେ

ସୁବିଶାଳ ଲୌହଶୈଳ, ସେ ଗୁରୁ ଚାପନେ

ପରିତ୍ରାହି ଡ଼ାକେ ପାପୀ କରୁଣ ଚିତ୍କାରେ,

 

ପରସ୍ୱାପହାରୀ ଦୁଷ୍ଟ ଆତତାୟୀ ଜନେ

ଅର୍ପନ୍ତି ଦାରୁଣ ଦଣ୍ଡ ଚଣ୍ଡ ଯମଦୂତେ,

ତାହାଙ୍କର ହସ୍ତ ପଦ ଚକ୍ଷୁ କର୍ଣ୍ଣ ଆଦି

ଉପାଡ଼ନ୍ତି ଚାଣ୍ଡେ, ମୁଣ୍ଡେ ପ୍ରହାରି ମୁଦ୍ଗର;

 

ଯେହୁ ରାଜଦ୍ରୋହୀ ମୂଢ଼, ଗୁଡ଼ାଇ ତା ଦେହେଁ

ତୂଳା, ଝୋଟ ଆଦି ଯେତେ ଦାହ୍ୟ ଦ୍ରବ୍ୟେ,- ଦୂତେ,

ଲଗାନ୍ତି ତହିଁରେ ଅଗ୍ନି, ପିତୃମାତୃ ଆଦି

ଗୁରୁଦ୍ରୋହୀ ଜନେ ଦୂତେ କଚାଡ଼ନ୍ତି ନେଇ

 

ବିଶାଳ ପାଷାଣେ, ଯଥା କଚଡ଼ା ଭାଡ଼ିରେ

କଚାଡ଼ନ୍ତି କୃଷୀବଳେ କଚଡ଼ା ବିଡ଼ାକୁ,

କିମ୍ୱା ଯଥା ଧୋବା ଲୁଗା ପିଟଇ ଗଣ୍ଡିରେ,

ଅବର୍ଣ୍ଣେୟ, ଧର୍ମଦ୍ରୋହୀ ପାତକୀ କଷଣ,

 

ସୁତୀକ୍ଷ୍ଣ କରତେ ଦୂତେ ଚିରି ଫାଳ ଫାଳ

ଦେହ ତାର, ଦେଉଛନ୍ତି ତହିଁ ମଡ଼ାଇଣ

କଟୁ ଦ୍ରବ୍ୟ-ଚୂନ, ଲୁଣ ବେଶରାଦି କରି,

ଜୀବହିଂସାପରାୟଣ ଯେଉଁ ନରପଶୁ,

 

ଘେରି ତାକୁ ଚଉପାଶୁଁ, ସିଂହ ବ୍ୟାଘ୍ର ଶ୍ୱାନେ

ଖାଉଛନ୍ତି ଦେହୁଁ ତାର କଳ କଳ ପଳ,

କାହିଁ ଦୂତେ ଢାଳୁଛନ୍ତି ସୁରାପାୟୀ ମୁଖେ,

ଆଉଟା ପିତ୍ତଳ ଧାରା, ଢୋକି ନ ପାରିଣ

 

ହୁଅଇ ଆକଚା ଦୁଷ୍ଟ, ସେହି ଦ୍ରବ ଧାତୁ

ବାହାରି ପଡ଼ଇ ନାସା କର୍ଣ୍ଣ ଚକ୍ଷୁପଥେ,

ଦ୍ୱିତୀୟ ମରଣ ଯେଣୁ ନାହିଁ ମରଣରୁ

ତେଣୁ ତହିଁ ଭୁଞ୍ଜେ ପାପୀ କେବଳ କଷଣ

 

ଅସ୍ୱାଭବୀ ମୂର୍ତ୍ତିଧରି, ଉପଯମ ସମ

ବୁଲୁଛନ୍ତି ଦୂତେ, କାର ଦେହ ନରାକୃତି,

କିନ୍ତୁ ମୁଣ୍ଡ ଘୋଡ଼ାମୁଣ୍ଡ ଭଳି, କାହାର ବା

ମର୍କଟ ମସ୍ତକ, ଦେହ ଗର୍ଦ୍ଦଭ ସମାନ,

 

କାହାର ବା ଦେହ ସିଂହ ପରି, କିନ୍ତୁ ମଥା

ବଜ୍ରଚଞ୍ଚୁ ଶ୍ୟେନ ମୁଣ୍ଡ ପ୍ରାୟ, ସେ ମଧ୍ୟରୁ

ଦୁଇଟାକୁ ଆଦେଶିଲା ଦଣ୍ଡଧର, (ମୋତେ

ଦେଖାଇ ଅଙ୍ଗୁଳି ଦ୍ୱାରା) ଯାଅ ରେ ! ଏହାକୁ

ଘେନି, ଭାଜ ତପ୍ତ ତୈଳେ, ପ୍ରହାରି ମୁଦ୍ଗରେ

 

ଆଜ୍ଞାମାତ୍ରେ ବାନ୍ଧି ମୋତେ ଚର୍ମ୍ମରଜ୍ଜୁ ଯୋଗେ,

ଘେନିଗଲେ ଯଥାସ୍ଥାନେ ଯମଦୂତେ, ତହିଁ

ଦେଖିଲି ମୁଁ ଅଗ୍ନିମୟ ପୁର ଏକ, ତାର

କାନ୍ଥ, ବାଡ଼, ଚାଳ, ସବୁ ଅଗ୍ନି ଉପାଦାନେ

 

ବିନିର୍ମିତ, ତହିଁ ମଧ୍ୟେ ଅଛି ପୁଣି ଏକ

ଅଗ୍ନିମୟ ହ୍ରଦ, ଜଳେ ଜଳ ସଦା ତାର

ଦୀପ୍ତ ହୁତାଶନ ସମ ହୋଇ ଊର୍ଦ୍ଧ୍ୱଶିଖ,

ସନ୍ତରନ୍ତି ତହିଁ କେତେ କେତେ ମହାପାପୀ

 

ପରିତ୍ରାହି ନାଦେ, ମୋତେ ନେଇ ଦୂତେ, ତହିଁ

ନିକ୍ଷେପିବାବେଳେ ଭାଙ୍ଗିଗଲା ମୋ ସ୍ୱପନ

ଦେଖିଲି ସକାଳୁ ଉଠି କାନ୍ଦୁଛି ପଡ଼ିଶା,-

ମରିଅଛି ସ୍ତ୍ରୀ ତାହାର, ଅତଏବ ରାଣି !

 

ନିଶ୍ଚୟ ସ୍ୱପ୍ନର ଅଟେ ବିପରୀତ ଫଳ

ବୋଇଲା କମଳା, ଶୁଣ ସଙ୍ଗିନୀ ପ୍ରମୀଳେ !

ବର୍ଣ୍ଣିଲୁ ଯେତେକ, ତାହା ପାତକୀର କଥା,

କହିଲୁ ତ ନାହିଁ କିଛି ଧାର୍ମିକ ବୃତ୍ତାନ୍ତ

 

କିପରି ସୁଖରେ ତହିଁ ଧାର୍ମିକ ମାନବେ

ନିବସନ୍ତି, କହ ସଖି ! ଦେଖିଛୁ ଯଦ୍ୟପି

ଖଞ୍ଜନଗଞ୍ଜନନେତ୍ରୀ ପ୍ରମୀଳା ଯୁବତୀ

ଉତ୍ତରିଲା ମୃଦୁସ୍ୱରେ- ରେ ପ୍ରାଣମିତଣି

 

କମଳେ ! ମୁଁ ଯାଇଥିଲି ପାତକୀ ସ୍ୱରୂପେ

ପାତକୀ ପୁରକୁ, ତେଣୁ ଦେଖିଛି ନୟନେ

ପାପୀର ଦୁର୍ଗତି, ଯହିଁ ପୁଣ୍ୟବନ୍ତ ନରେ

ଭୁଞ୍ଜନ୍ତି ପରମ ସୁଖ, ସେ ଦେଶକୁ ମୁହିଁ,

 

ଯାଆନ୍ତି କିପରି ? ତେଣୁ ସେ ମୋର ଅଜ୍ଞାତେ

ଚେଦି-ପାଟମହାଦେଈ ଭଦ୍ରା ମହାସତୀ,

ସର୍ବଶାସ୍ତ୍ରବିଚକ୍ଷଣା, ଜାଣନ୍ତି ସକଳ,

କମଳାକୁ ଦୁଃଖସ୍ୱରେ କହିଲେ ସମ୍ୱୋଧି-

 

କମଳେ ! କମଳମୁଖି, ସ୍ୱପନ ଅସାର,

ସଂସାର ଅସାର - ଏହା ସତ୍ୟ, କିନ୍ତୁ ସହି !

ଜାଣି ଶୁଣି ସୁଦ୍ଧା ତାହା, ନ ମାନେ ପ୍ରବୋଧ

ଏ ଅବୋଧ ପ୍ରାର, କାନ୍ଦେ ସ୍ମରି ନାନାବିଧ

 

କାଳ୍ପନିକ ଦୁଃଖ, ତାହା ମାୟାର ଛଳନା,

ହେଲାଣି ସମୟ ଏବେ ଯାଅ ତୁମ୍ଭେମାନେ

କରିବ ଆହାର ପାନ, ଯିବି ମୁଁ ଭିତରେ

ମେଲାଣି ପାଇଣ ତହୁଁ ଗଲେ ସର୍ବ ସଖୀ,

 

ବିଜେ କଲେ ରାଣୀ ଏକା ବିଜନ କୁଟୀରେ

ଚାହୁଁ ଚାହୁଁ ଉପସ୍ଥିତ ମଧ୍ୟାହ୍ନ ସମୟ,

ପ୍ରତାପୀ ପ୍ରତାପ ଯଥା ଯୌବନ ସମୟେ

ହୁଏ ଅନିବାର୍ଯ୍ୟ, ତଥା ଚଣ୍ଡ ରବିକର

 

ହେଲା ଦୂର୍ବିଷହ ଅତି, ମାଧ୍ୟନ୍ଦିନ ରବି,

ଦିବସ-ହୃଦୟ ମଣି ପ୍ରାୟ ବିରାଜିଲେ

ମଧ୍ୟାକାଶେ, ବିଛୁନିଳେ ଅନଳ-କଣିକା

ମେଦିନୀ-ମଣ୍ଡଳେ, ଅଗ୍ନିଗୁଣ୍ଡି ବାୟୁସହ

 

ଉଡ଼ିଲା ଚୌଦିଗେ, ଝାଁ ଝାଁ ଡ଼ାକିଲା ଆକାଶ,

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲା ଯେସନ

ଲୁଚିଲେ ପକ୍ଷୀଏ ଭୟେ ରବି-ରଶ୍ମି-ରୋଧୀ-

ପତ୍ର ଅନ୍ତରାଳେ, ଆର୍ତ୍ତେ ରାବିଲେ ବା କେହି

 

ଛାୟାରେ ଆଶ୍ରୟ ଘେନି ପିପାସା ଆକୁଳେ

କୁକୁରେ ଧକାଇ ହେଲେ କାଢ଼ିଣ ରସନା

ଚୋରାଇ ସୁରୂପା ରମା ଅଧରୁ ରକ୍ତିମା

ଫୁଟିଲେ ବିଧୁଲୀ ଫୁଲେ, ସୁସାଧିକା ପରି,

 

ସୂର୍ଯ୍ୟାମୁଖୀ, ନେତ୍ର ନିହି ରବି-ବିମ୍ୱେ, ବସି

ଅଗ୍ନିସମ ରୌଦ୍ରେ କରେ ପଞ୍ଚାଗ୍ନି ସାଧନା

ଝାଉଁଳିଲେ ତରୁଲତା ପ୍ରତପ୍ତ ପବନେ,

ବାଳୁତ-କୋମଳ-ସ୍ୱରେ ପିଞ୍ଜରୁ ଶାରିକା,

 

ଡ଼ାକ ଦେଲା, ଜଳ ଦିଅ ଜଳ ଦିଅ ବୋଲି

ତୃଷାର୍ତ୍ତେ, ଯେସନ ଭବଯାତନ-ଅନଳେ

ସନ୍ତାପିତ ପ୍ରାଣ-ପକ୍ଷୀ ଖୋଜେ ଶାନ୍ତି-ଜଳ

ଲଭିଲା କମଳ ମନେ ବିମଳ ଆହ୍ଳାଦ,

 

କିନ୍ତୁ କଇଁ ମଥା ପୋତି ପଡ଼ିଲା ଝାଉଁଳି

ଦୁଃଖ-ଲଜ୍ଜା ଅତିରେକେ, ଝାଉଁଳଇ ଯଥା

ସତୀ ସାଧ୍ୱୀ ନାରୀ ପର-ପୁରୁଷ ପରଶେ,

କିମ୍ୱା ଯଥା କରସ୍ପର୍ଶେ ଲଜ୍ଜାବତୀ ଲତା

 

ଲଜ୍ଜାରେ ସଂକୋଚି ବପୁ ହୁଏ ନତମୁଖୀ

ବିଜନ କୁଟୀରେ ରାଣୀ ବସି ଏକାକିନୀ

ଭାବୁଛନ୍ତି ନାନାକଥା, ଜନଶୂନ୍ୟ ସ୍ଥାନ

ନାନା ଭାବ-ପ୍ରସ୍ରବଣ, କେତେ ଭାବ ତହିଁ

 

ମାନବ-ମାନସେ ଘେରେ, ଯଥା ଅଳିପାଳି

ଘେରନ୍ତି ଚୌଦୁଗୁଁ ଆସି ଫୁଲ୍ଲ ଶତଦଳେ

ଦେଖାଏ ସେ କେତେ ଚିତ୍ର ନେତ୍ର ଆଗେ ଆଣି,

ଭାବୀ, ଭୂତ, ବର୍ତ୍ତମାନ ତ୍ରିକାଳଯାକର

 

ଚିତ୍ରରାଶି, ଗୋଟି ଗୋଟି ତା ଦେହେ ଅଙ୍କିତ

ଭାବୁଛନ୍ତି ମହାଦେଈ ମାନସେ ଏସନ,-

ଫେରିଲେ ତ ନାହିଁ କାହିଁ ଆଜିଯାଏ ରାଜା,

ଘଟିଲା କି ପଥମଧ୍ୟେ ଅମଙ୍ଗଳ କିଛି !

 

କହିଲା ଉଦନ୍ତ ଦୂତ-ଆଜି କିମ୍ବା କାଲି

ବିଜେ ହେବେ ନୃପମଣି, ହେଲା ଆସି ଦିନ

ଦ୍ୱିତୀୟ ପ୍ରହର, କାହିଁ ରାଜ ଆଗମର

ସୂଚନା ତ କିଛିମାତ୍ର ଯାଉ ନାହିଁ ଦେଖା

 

ହାୟ ! ପ୍ରଭୁ ଆଶୁତୋଷ ! କିପାଁ ଅସନ୍ତୋଷ

ଦାସୀ ପ୍ରୀତି ଦେବ ? ଦେବି ମୁହିଁ ଗଢ଼ାଇଣ

ଲକ୍ଷସ୍ୱର୍ଣ୍ଣଚମ୍ପା, ବହି ଅନିକମ୍ପା ଦେବ !

ଦିଅ ଏହି ବର, ଯେହ୍ନେ ଚେଦି-ନୃପବର,

 

ସର୍ବଶୁଭେ ପ୍ରତ୍ୟବୃତ୍ତ ହେଉନ୍ତୁ ଚଞ୍ଚଳେ

ଶୁଭଙ୍କରୀ ମା ଶଙ୍କର ! କିଙ୍କରୀ ମୁଁ ତବ,

ମାଗୁଛି ଶ୍ରୀପଦେ ସ୍ୱାମୀ-ଭିକ୍ଷା, ମାନସିକ

ରହିଲା ମୋହର, ନୃପ ବିଜେ ହେଲେ ପୁରେ

 

ପୂଜିବ ତୋ ପାଦ, ଦେବି ! ଷୋଡ଼ଶୋପଚାରେ,

ସଙ୍କଟତାରିଣି ! ତାର ଦୁର୍ଭାର ସଙ୍କଟୁ

ଅହୋ ! କିପାଁ ସ୍ପୁରୁ ପୁଣି ଦକ୍ଷିଣ ନୟନ !

ପୋଡ଼ିଯାରେ ପୋଡ଼ା ଆଖି ! ଆଉ କି କଷଣ

 

ଦେବୁ ତୁହି ? ଥିଲା ପରା ବାକୀ ତୋର ପାଳି ?

ଦୁଃଖବେଳେ ଘଟେ ହାୟ ! ସବୁ ଦୁଃଖ ଆସି,

ଭଙ୍ଗାଘର ଖଣ୍ଡ ସିନା ଭାଙ୍ଗନ୍ତି ସକଳେ

ଉପର୍ଯ୍ୟୁପରି ବିବିଧ ଅମଙ୍ଗଳାଘାତେ

 

ରାଣୀଙ୍କ ଆଶଙ୍କା କ୍ରମେ ଲଭିଲା ବର୍ଦ୍ଧନ,

ଅନିଳି ଆଘାତେ ଯଥା ମହୋଦଧି-ବୀଚି,

କ୍ରମେ ସ୍ଥୂଳ, ସ୍ଥୂଳତର, ସ୍ଥୂଳତମ ହୋଇ

ଶେଷେ କରେ ଉପକ୍ରମ ଦେବାକୁ ବୁଡ଼ାଇ

 

ତରଣୀ, ତେସନ ଏହି ଆଶଙ୍କା-ଲହରୀ,

ରାଣୀଙ୍କର ଚେତା-ତରୀ ବୁଡ଼ାଇଦେବାକୁ

ବସିଲାକ ପ୍ରତିକ୍ଷଣ, ଆହାରେ, ବିହାରେ,

ଶୟନେ, ଗମନେ, ସଦା ସକଳ ବିଷୟେ

 

ମଣିଲେ ଅରୁଚି ରାଣୀ, ହେଲେ ଖାଲି ଆହା !

ନବଧତ ପକ୍ଷୀ ପ୍ରାୟ ଇତସ୍ତତଃମନା

ଏ ସମୟେ ସଖୀମାନେ, ହୋଇ ଉପସ୍ଥିତ

ଅବଲୋକି ରାଣୀଙ୍କର ବିଲୁକିତ ଭାବ,

 

ଘେନିଗଲେ ସଙ୍ଗେ ତାଙ୍କୁ ରମ୍ୟ ଉପବନେ,

ପରିବର୍ତ୍ତନ ମାନସେ ମାନସ ତାଙ୍କର,

ଉପସ୍ଥିତ ହେଲେ ସର୍ବେ ପୁଷ୍ପବାଟିକାରେ

ରମ୍ୟ ଉପବନ ମଧ୍ୟେ ରତନ-ମଣ୍ଡପେ

 

ବିଜେ କଲେ ଚେଦୀଶ୍ୱରୀ ସଙ୍ଗିନୀ ଗହଣେ,

ହାୟ ! ଯଥା ରାମଚନ୍ଦ୍ର-ହୃଦୟ-ଚନ୍ଦ୍ରିକା

ସଶୋକା ଜାନକୀ ଦେବୀ, ଅଶୋକ କାନନେ

ସରମାଦି * ସଖୀସହ ହୋଇଛନ୍ତି ବିଜେ

*ବିଭୀଷଣର ସ୍ତ୍ରୀ

 

ଶୋଭାର ମନ୍ଦିର ସେହି ସୁରମ୍ୟ ଉଦ୍ୟାନ

ହସୁଅଛି ପୁଷ୍ପ-ହାସେ, ପୁଷ୍ପିତ ପାଦପେ

ଆନ୍ଦୋଳି ପବନେ, ନାନାଭୂଷଣେ ଭୂଷିତ-

ନାଟୁଆ ପ୍ରାୟ, ଦେଖାନ୍ତି ଅଙ୍ଗଭଙ୍ଗୀ ନାନା;

 

ଛୁରିଫଳା ସମାକଅତି ଘନ ପର୍ଣ୍ଣଦଳେ

ଧରି ଉଭା ଛୁରିଅନା, ବିରହୀ ହୃଦୟେ

ହାଣିଦିଏ ଛୁରି ସେହୁ, ବଡ଼ ନିର୍ମମ ସେ

କାହିଁ ବା ପୁନ୍ନାଗ ଉଭା ପୁଂ-ନାଗ ସମାନ

 

ରୂପେଶ୍ବରୀ-ହୃଦକମ୍ପା ଚମ୍ପା, ଶେଫାଳିକା;

ରସିକା-ରସିକ-କୁଳ-ଆକୁଳ ବକୁଳ,

ନାଗରୀ ନାଗର ବର-ଭୂଷା ନାଗେଶ୍ୱର,

(କେ ସରି କୋରେ ତାର ?) ଶରତ-ଡ଼ଗର-

ତଗର, କାନନ-ଆଳୀ ନିଆଳୀ ମାଧବୀ,

 

ଏ ଆଦି ତରୁ, କାନନ-ସୁନ୍ଦରୀ ଲତାଏ

ଉଭା, ଧରି ମୁନି-ମନ-ବିମୋହିନ ବେଶ

ପୁଷ୍ପ-ପରିମଳ ଘେନି ମଳୟ ଅନିଳ

ପ୍ରସରେ ମୃଦୁଳେ, ମହା ! ଋତୁପତି ମଧୁ,

 

ସର୍ବଋତୁ ସହ ତହିଁ କରିଛି କି ବାସ ?

ସୁରନ୍ଦ୍ର-ଲୋଚନ-କାରା ନନ୍ଦନକାନନ

କିମ୍ୱା ଚୈତ୍ରରଥ ୧ ନୁହେଁ ସେ ଉଦ୍ୟାନେ ସରି,

ମୁକୁଳେ ଆନତ ଆମ୍ରତରୁ, ଉଭା ଯଥା

ଅବଗୁଣ୍ଠନା କାମିନୀ, ଶିରେ ଦୋଳେ ତାର

୧-କୁବେରଙ୍କର ଉପବନ

 

କନକ-କିରୀଟ, ଯଥା ବିବାହ ସମୟେ

କନ୍ୟାଶିରେ, ବସନ୍ତକୁ ବରି ବରପଦେ

କରିଛି କି ବିଭା ତାକୁ ? ତେଣୁ ବିବାହର

ଲୋଳମୁକୁଟ ୨ କି ଶୋଭେ ତାର ଶିରୋଦେଶେ ?

୨- ବରକନ୍ୟାର ମୁକୁଟ ସର୍ବଦା ଲୋଳିତ ହୋଇଥିବାରୁ ତାହାକୁ ଲୋଳମୁକୁଟ କହନ୍ତି

 

ଆନନ୍ଦେ ନଣଦ ଯଥା ଚାଲଇ ପ୍ରଖରେ

ପାରିତୋଷିକସ୍ୱରୂପେ ପାଇ ହଳଦିମ-

ଦ୍ୱାରମଣ୍ଡା ଶାଢ଼ୀ ୩ ତଥା ଉଡ଼େ ଫରଫର

ହଳଦୀବସନ୍ତ ପକ୍ଷୀ, ବୃକ୍ଷୁ ବୃକ୍ଷାନ୍ତରେ

୩- ବିବାହ ସମୟରେ ବରର ଭଗିନୀ ଶାଢ଼ୀ ପାଇବାର ପ୍ରଥା ଏ ଦେଶରେ ପ୍ରଚଳିତ ଅଛି

 

ପଞ୍ଚମେ ସଙ୍ଗୀତତାଳାପ କରେ ପିକବଧୂ,

ଶିସାରଇ ପୁଲଚୁରୀ ୪ କାହିଁ ତାର ସ୍ୱରେ

କମଳ-କହ୍ଲାରଶୋଭୀ ବିମଳା-ସରସୀ,

ଶୋଭେ ଉପବନେ, ଯଥା ବିଶାଳ ଦର୍ପଣ;

୪- ମଧୁରକଣ୍ଠ ପକ୍ଷିବିଶେଷ ବସନ୍ତ କାଳରେ ଏହାର ସ୍ୱର ଅଧୀକ ଶୁଣାଯାଏ

 

ତାହାର ସୋପାନାବଳୀ ସ୍ଫଟିକେ ଗଠିତ

ତୀରସ୍ଥ ପାଦପଚ୍ଛାୟା ଜଳେ ପ୍ରତିଫଳି

ବିରାଜଇ, ଯଥା ସ୍ୱଚ୍ଛ ସ୍ଫଟିକ ବାଡ଼ରେ

ହରିଦ୍ରଙ୍ଗେ ଲେଖା ନାନା ତରୁଲତା ଛବି

 

ଫୁଟିଛି କମଳସହ କୁମୁଦ କହ୍ଲାର

ଜଳେ, ପୁଣି ବହୁବିଧ ସୁକାନ୍ତି-ସୁମନ,

ମାରକତି ଚାଙ୍ଗୁଡ଼ିରେ ହୋଇଛି କି ଥୁଆ

ବିବିଧ ରତନ-ମଣି ହୀରା, ନୀଳା ଆଦି ?

 

କମଳାଳଙ୍କୃତ ସେହି ଚାରୁ ସରୋବରୁ

ସଖୀଏ ତୋଳିବା ବେଳେ ପ୍ରଫୁଲ୍ଲ କମଳ,

କିଏ କର କେ କମଳ ହେଲା ନାହିଁ ବାରି,

ସ୍ୱଭାବେ ରମଣୀଜାତି ଅଟନ୍ତି ଅବଳା,

 

କୁସୁମଚୟନ ବେଳେ କିନ୍ତୁ ସେହିମାନେ

ହୁଅନ୍ତି ପ୍ରବଳା ଅତି, ହୁଡ଼ିଯାନ୍ତି ପୁଣି

ନିଜର ସ୍ୱଭାବସିଦ୍ଧ ଦୟା, ସ୍ନେହ, ପ୍ରୀତି,

ଡ଼ାଳ ଭାଙ୍ଗି ଛିଡ଼ାଇଣ ପତ୍ର, କଢ଼, ଆହା !

 

ତୋଳନ୍ତି ନିଷ୍ଠୁରଭାବେ ପାଦପୁ କୁସୁମ,

ନିଜ ସ୍ୱାର୍ଥ ପାଇଁ ପରେ ଦିଅନ୍ତି କଷଣ

ସରଳା ଅବଳାକୁଳ ମୁହୂର୍ତ୍ତ ମଧ୍ୟରେ

ଫୁଲ ତୋଳି ଉପବନେ ପକାଇଲେ ଦଳି,

 

ଦଳେ ଇକ୍ଷୁବନ ଯଥା ପ୍ରମତ୍ତା କରିଣୀ

କିନ୍ତୁ ଆଜି ରାଣୀଙ୍କର ମାନସ କାହିଁରେ

ନୁହଇ ସଂଲଗ୍ନ, ଧାଏଁ ଉର୍ଦ୍ଧ୍ୱଦିଗେ ତାହା,

ଦୁଃଖ ଚିନ୍ତା ମାନସକୁ କରେ ଊର୍ଦ୍ଧ୍ୱଗାମୀ

 

ପାର୍ଶ୍ୱଦେଶେ ଉପବିଷ୍ଟା କମଳାକୁ ରାଣୀ

ବୋଇଲେ ସମ୍ୱୋଧି, ସଖି, ଦେଖୁଛ ଯେ ଏହି

ଫୁଲ୍ଲ-ଫୁଲଦଳେ, ବସି ବୃନ୍ତାସନେ ଆଜି

ପ୍ରକାଶନ୍ତି ଚାରୁହାସ୍ୟ, କେତେ କ୍ଷଣ ସ୍ଥାୟୀ

 

ଏ ଆନନ୍ଦ ତାହାଙ୍କର ? ସ୍ଥାୟୀ କେତେ କ୍ଷଣ

ବିଜୁଳି ଚମକ ନଭେ ? ପ୍ରତ୍ୟହ ଏମାନେ,

ନଶ୍ୱରତା ପ୍ରତିଚବି ଦେଖାଇ ମାନବେ

ହୁଅନ୍ତି ନିକ୍ଷିପ୍ତ କାଳଗର୍ଭେ, ଅଳ୍ପକ୍ଷଣେ,

 

ହାୟ ! ମୂଢ଼ ମନ, ଜାଣି ଶୁଣି ସୁଦ୍ଧା ଏହା,

ବୁଝେ ନାହିଁ ସହଜରେ ଅସ୍ଥାୟୀ ଜଗତ,

ଅଛି ତହିଁ ଯାହା କିଛି ସମସ୍ତ ଅସ୍ଥାୟୀ,

ଅସ୍ଥାୟୀ ମଧ୍ୟରେ କାହିଁ ସତ୍ତା ସ୍ଥାୟିତ୍ୱର ?

 

ସମ୍ଭବେ କି ମିଥ୍ୟା ମଧ୍ୟେ ସତ୍ୟର ପ୍ରକାଶ ?

ମୋର ଏହି ଦୁଃଖ ସୁଦ୍ଧା ନୁହେଁ ଚିରସ୍ଥାୟୀ,

ତେବେ ବୃଥା କିପାଁ ମୁହିଁ ଝୁରୁଅଛି ଦୁଃଖେ ?

କ୍ଷତ୍ରିୟ ରମଣୀ ମୁହିଁ, ମହାକ୍ଷତ୍ରିକୁଳେ

 

ଜନ୍ମ ମୋର, ବୀରପତ୍ନୀ ପୁଣି ବୀରମାତା

ହୋଇ, କାଳ୍ପନିକ ଦୁଃଖେ ହେବା ଛନ୍ନମତି

ନୁହଇ ଉଚିତ ମୋର କେଭେ, ଗ୍ରହଦୋଷ,

ମସ୍ତକ ବିକାର ଆଦି ନାନା କାରଣରୁ

 

ହୁଏ ସ୍ୱପ୍ନ ଜାତ, କିପାଁ ମୁହିଁ ଏଡ଼େ ଭୀତ,

ଅହୋ ! ସେଥିଲାଗି ? କ୍ଷୁଦମନା ଲୋକ ପରି

ଏହିପରି କହି ରାଣୀ ପ୍ରବୋଧି ମାନସେ

ନିଜର, ବାନ୍ଧିଲେ କ୍ରମେ ଧଇର୍ଯ୍ୟ ହୃଦୟେ,

 

ରକ୍ଷା କରେ ଧୈର୍ଯ୍ୟ ସିନା ସକଳ ଆପଦୁ

ମାନବେ, ଉଦ୍ଧାରପଥ ଦେଖାଇ ବିବିଧ,

ଅଙ୍କୁଶ ସମାନ ଧୈର୍ଯ୍ୟ ବିପଦ-କରୀର

 

ବୁଡ଼ି ଆସୁଅଛି ବେଳ, ପଡ଼ିଲେଣି ଢଳି

ଲୋହିତବରଣ ରବି, ଦିଗ୍ବଳୟୋପରି

ପଶ୍ଚିମେ, ପ୍ରତୀଚୀ ନଭ ଦିଶେ ହିଙ୍ଗୁଳିତ,

ତହିଁ ମଧ୍ୟ ରକ୍ତରବି ଆହୋ କି ସୁନ୍ଦର !

 

ଫୁଟିଅଛି କି ରକ୍ତପଦ୍ମ ସରସ୍ୱତୀ ଜଳେ ?

ମଣ୍ଡପୁ ଉଠିଣ ରାଣୀ ସଖୀଗଣେ ରାଇ

ଭାଷିଲେ, ସଜନି ! ଚାଲ ଯିବା ଅନ୍ତଃପୁରେ,

ଆସିଲାଣି ସାୟଂ ସନ୍ଧ୍ୟା ଉପାସନା ବେଳ

 

ଏହା କହି ଗଲେ ରାଣୀ ସଖୀଦଳେ ଘେନି,

ତାରାପୁଞ୍ଜ ଗହଣରେ ରୋହିଣୀ ସମାନ

 

Unknown

ଷଷ୍ଠ ସର୍ଗ

 

ସ୍ୱାଗତ ହେ ବାଣୀପୁତ୍ର ସାହିତ୍ୟ-ବିନ୍ଧାଣୀ

କବିବର ରାଧାନାଥ ! ମହାଯାତ୍ରା-କବି,

ତ୍ରିଦିବ-ଦେବତା ତୁମ୍ଭେ, ମଞ୍ଚେ ଅବତରି

ଯେ ଅପୂର୍ବ କୀର୍ତ୍ତି-ଧ୍ୱଜା କରିଛି ଉଡ଼୍ଡୀନ,

ଅତୁଳିତ ତାହା, ବୀଣା କି ମଧୁର ତବ !

ରଚନା-କୌଶଳ ତବ ନବୀନ ସୁନ୍ଦର

ରତ୍ନାର୍ଥୀ ନୁଲିଆ ୧ ଯଥା ବୁଡ଼ି ରତ୍ନାକରେ

ବାଛି ବାଛି ସଂଗ୍ରହଇ ଶୌକ୍ତିକ ୨ ପ୍ରବାଳ,

୧- ରତ୍ନାସଂତ୍ୱାହକ ଜାତିବିଶେଷ ୨- ମୁକ୍ତା

ତେସନ ନିମଜ୍ଜି ତୁମ୍ଭେ ସାହିତ୍ୟ-ସାଗରେ

ସଂଗ୍ରହିଛ ଯେ ମୁକୁତା, ସୁରଙ୍ଗ ପ୍ରବାଳ

ଉଜ୍ଜ୍ୱଳାଉଅଛି ଆହା ! ତାର ଦିବ୍ୟ ପ୍ରଭା,

ମାତୃଭୂମି, ମାତୃଭାଷା-ସାହିତ୍ୟ-ମନ୍ଦିରେ

ଯେଉଁ ମହାଯାତ୍ରା, ଉଷା, ଯଯାତି-କେଶରୀ,

ପାର୍ବତୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା ଆଦି

ହୋଇଛି ନିର୍ଗତ ତବ ସୁଦା-ଲେଖନୀରୁ,

 

ମହାଦୀପ୍ତିଶୀଳ ତାହା, ପଦ୍ମରାଗ ସମ

ଉଜ୍ଜ୍ୱଳ ଜ୍ୟୋତିଷ୍କ ତୁମ୍ଭେ ଏ ଉତ୍କଳ-ଭୂମି-

ସାହିତ୍ୟ-ଗଗନେ, ସୁଧି ! ରଚନା ତୁମ୍ଭର

ମଣିମୟୀ, ସ୍ୱର୍ଣ୍ଣମୟୀ ପୁଣି ସୁଧାମୟୀ,

ହେ ଉତ୍କଳ କବିଗୁରୁ ! ବାଜୀକର ପରି

 

ଦଣ୍ଡକେ ଦେଖାଇପାର ତ୍ରିଦିବ-ବିଭବ

ନନ୍ଦନକାନନ ଆଦି, ଧନ୍ୟ ତୁମ୍ଭେ ରଥି !

କାବ୍ୟ-କୁଞ୍ଜବନଚାରି-ମତ୍ତ-ପିକବର !

ଯେ ଗୀତ ଗାଇଛ ଆହା ମଧୁରେ ପଞ୍ଚମେ,

 

କି ଅଛି ତୁଳନା ତାର, ଅଭୂତପୂର୍ବ ସେ

ବଦ୍ଧ ଜଳାଶୟ ପରି ଥିଲା ମାତୃଭାଷା,

ସଞ୍ଚାରିଣ ସ୍ରୋତ ତୁମ୍ଭେ ନେଲ ତାକୁ ଟାଣି

ବିଶ୍ୱର ଜନତା ମଧ୍ୟେ, ଦେଖିଲେ ସରବେ

 

ଦୀନା ମାତୃଭାଷା-କଣ୍ଠେ ଯେଉଁ ଚାରୁହାର

ପିନ୍ଧାଇଲ କବିବର ! ଯତନେ ସଜାଡ଼ି,

ଅପୂର୍ବ ଦୁର୍ଲଭ ସେହି ଜ୍ୟୋତିର୍ମୟ ଭୂଷା

କି ବର୍ଣ୍ଣିବି ତବ ଗୁଣ ? କବି-କୋହିନୁର !

 

ତୁମ୍ଭ କାବ୍ୟ-ଦର୍ପଣରେ ତବ ହୃଦୟର

ଦେବଭାବ, ହେଉଅଛି ସୁପ୍ରତିଫଳିତ,

ଅନ୍ତରେ ବାହାରେ ତୁମ୍ଭେ ଏକଭାବମୟ

ଶୁଣ ଆର୍ଯ୍ୟ ! ଏ ନୀରସ ଗୀତିକା ମୋହର

 

କୃପା ବହି, ଯେଣୁ ମୁହିଁ ପଦାଙ୍କାନୁସାରୀ

ତୁମ୍ଭର, ଉଚିତ ତେଣୁ ଶୁଣିବା ମୋ ଗୀତ,

କବିଗୁରୁ ! ଜାଣେ ମୁହିଁ, ଲାଗେ ନାହିଁ ଭଲ

ରସାବଳୀ-ପିଆ ତୁଣ୍ଡେ କାଞ୍ଜି-ଅମ୍ଳସ୍ୱାଦ,

 

କିନ୍ତୁ ଦେବ ! ଅବିରତ ସୁଧାପାନେ ଜନ୍ମେ

ମୁଖର ଅରୁଚି ଯେବେ, ହୁଏ ତେବେ ଲୋଡ଼ା

ଅତୀବ ଆମ୍ୱିଳା କାଞ୍ଜି, ହେ ଗୌରବମଣି !

ଶୁଣ ଏ ନଗଣ୍ୟ ଗୀତ ମୋର ଏହି ଭାବେ

 

ଏଥୁଅନ୍ତେ କୃଷ୍ଣଦ୍ରୋହୀ ରାଜନ୍ୟକଳାପ

ଶୁଣି ସତ୍ୟବ୍ରତ ମୁଖୁ ମର୍ମନ୍ତୁଦ କଥା,

ତରଙ୍ଗ ବିକ୍ଷୁବ୍ଧ ରୁଦ୍ରସାଗର ପରାଏ

ଉଠିଲେ ଗରଜି, କେହି ପ୍ରଚଣ୍ଡ କାର୍ମୁକେ

 

ଶିଞ୍ଜିନୀ ସଂଯୋଗ ପରେ ଆକର୍ଣ୍ଣ ଓଟାରି

ଟଙ୍କାରଇ ମୁହୁର୍ମୁହୁଃ, ଧରି ଅଷ୍ଟଶିରା

ଗୁରୁ ଗଦା କେହି, କରେ ବେଗେ ଆସ୍ପାଳନ

ମଣ୍ଡଳ ଆକାରେ, ଘୂରି ଗଦାବର କରେ

 

ସନ ସନ ସ୍ୱନେ ସୃଜେ ମହାଝଡ଼, ଯଥା

ଘୂର୍ଣ୍ଣିବାୟୁ, ସେ ଭୀଷଣ ଝଡ଼େ ଉଡ଼ିଗଲା

ଅନେକର ଶିରସ୍ତ୍ରାଣ ଉତ୍ତରୀୟ ଆଦି

ବିଘୂର୍ଣ୍ଣିନ କରେ କେହି କରାଳ କୃପାଣ,

 

ସୌରକର ସ୍ପର୍ଶେ ସେହି ଦୀପ୍ତା ଅସି-ଲତା

ବିନା ମେଘେ ବିସୃଜଇ ସୌଦାମିନୀ ଛଟା

ବଜ୍ରେ ବଜ୍ର ପ୍ରାୟ କେହି ଦଶନେ ଦଶନ

 

ସଂଘର୍ଷି, ସବେଗେ ଧାଏଁ ହୁହୁଙ୍କାର ନେଦେ,-

ଯଥା ଦଳପତି ହନୁ, ମାରି ମାଳକଛା

କାମୋଡ଼ି ଅଧୋର କେହି ମାରେ ବାହୁସ୍ଫୋଟ,

କେହି ବା ଉନ୍ମତ୍ତ ହୋଇ ରଣମଦେ ଅତି,

 

ଭୁଲାଯାଇ ବାହ୍ୟଜ୍ଞାନ ନିଜ ଛାୟାପରେ

ଶତ୍ରୁଜ୍ଞାନେ ବାରମ୍ବାର ହାଣେ ଅସି ଚୋଟ

କେହି ବା ନ ପାଇ ଭେଟ ଶତ୍ରୁର, ଦୁର୍ବାର-

କ୍ରୋଧେ ହୋଇ ଅସମ୍ଭାଳ, ନିଜର ବାହୁକୁ

 

ନିଜେ କାମୋଡ଼ିଣ ଦୃଢ଼େ ପକାଉଛି ଝୁଣି

ଏହିରୂପେ ରାଜଗଣେ ବିବିଧ ଆୟୁଧ

ଧରିଣ ଉଠିଲେ ଗର୍ଜି, ତହୁଁ ଶିଶୁପାଳ

ବୋଇଲା ସମସ୍ତଙ୍କର ହୋଇଣ ଅଗ୍ରଣୀ,

 

ଗୋପାନ୍ନ-ପ୍ରତିପାଳିତ ଆରେ ରେ ଗୋପାଳ

କୃଷ୍ଣ ! ଆଜି ତୋତେ ପେଷି ଶମନ ସଦନେ

କରିବି ଆକାଙ୍କ୍ଷା ପୂର୍ଣ୍ଣ, ଆବାଲ୍ୟ-ପୋଷିତ,

ଅର୍ପି ତୋତେ ଅଗ୍ରପୂଜା ଜାରଜ ପାଣ୍ଡବେ,

 

ପ୍ରଦର୍ଶିଲେ ରାଜଗଣେ ଅବଜ୍ଞା ଯେପରି,

ସେପରି ତୋତେ ରେ ତୋର ପୂଜକ ସହିତେ

ସଂହାରିଣ, ପରିଶୋଧ କରିବୁଁ ସେ ଋଣ

ଆଜି କଳନ୍ତର ସହ, ରେ ଭଣ୍ଡ ଲମ୍ପଟ !

 

ଏକାକୀ ତୁ କିପାଁ ଯିବୁ କୃତାନ୍ତ ଭବନେ ?

ବଡ଼ କଷ୍ଟ ହେବ ତହିଁ ପୂଜକ ଅଭାବେ

ତୋର, ତେଣୁ ଦୟା ବହି ଚିତ୍ତେ ତୋହପ୍ରତି,

କରିଦେବୁଁ ସହଚର ତୋ ପ୍ରିୟ ପୂଜକେ,

 

କରିବେ ସେ ପରଲୋକେ ତୋର ପଦସେବା

ରେ ଦୁଷ୍ଟ ! ନ କର ଆଉ ଧୂର୍ତ୍ତତ ପ୍ରକାଶ

ଶିଶୁପାଳଠାରେ କିମ୍ୱା ରାଜଗଣଠାରେ,

ରହିବ ନାହିଁ ଧୂର୍ତ୍ତିକା ଅପ୍ରକାଶ୍ୟ ତୋର,

 

ଅତଏବ ରେ ପାମର ! ନ କରିଣ ମଠ

ହୁଅ ରଣେ ଅଗ୍ରସର ଉଠି ଆସି ବେଗେ

ରୋଗଶେଷ, ଋଣଶେଷ ଆଉ ଶତ୍ରୁଶେଷ

ରଖିବା ଉଚିତ ନୁହେଁ, ଶାସ୍ତ୍ରାଦେଶ ଏହା,

 

ଏଣୁ ମୋର ନାହିଁ ଶାନ୍ତି ଥାଉଁ ତୁ ଜୀବିତ

ସୁଷୁପ୍ତ ହର୍ଯ୍ୟକ୍ଷ ହେଲା ଜାଗରିତ

କରି ଗାତ୍ରୋଥିନ କୃଷ୍ଣ, ଈଷଦ୍ଧାସ୍ୟ ମୁଖେ

ବୋଇଲେ-ରେ ଶିଶୁପାଳ ଶିଶୁମତି ମୂଢ଼ !

 

ହେଲାଣି ନିକଯ ମୃତ୍ୟୁ ତୋର, ଆଭାସଇ

ସୁସ୍ପଷ୍ଟ ଲକ୍ଷଣ ତାର, ହେଉଛୁ ପ୍ରଳାପୀ

ତେଣୁ, ପକ୍ଷଦୟ ସିନା ମୃତ୍ୟୁର ଲକ୍ଷଣ

ବଲ୍ମୀକର ? ଏ କୁବୁଦ୍ଧି ତେସନ ତୋହର

 

ଆସନ୍ନ ମୃତ୍ୟୁର ଏକା ଅଟଇ କାରଣ,

ଅଳ୍ପକ୍ଷଣେ ଯମ ତୋର ଦେବ ପାଞ୍ଜି ପୋଛି,

ନ ଆଚରୁ କିପାଁ ଦୁଷ୍ଟ ! ଯଥାସମୟରେ

ଯଥାକାର୍ଯ୍ୟ ? ଏ କାଳରେ ତୋର ଅତି ଲୋଡ଼ା

 

ଇଷ୍ଟଦେବ ସୁମରଣା, ଏତେ ଦିନେ ମୋର

ଘୁଞ୍ଚିଲା ପିଉସୀଙ୍କର କୁପୁତ୍ର ଜନନୀ-

ଅପବାଦ, ଏ ହେତୁ ମୁଁ ବଡ଼ ଆନନ୍ଦିତ,

ତୋପରି ପ୍ରତାପୀ ପୁଣି ସର୍ବଶାସ୍ତ୍ରଜ୍ଞାତା

 

ରାଜାଟିଏ, କୁବୁଦ୍ଧିରୁ ଲଭିବ ବିନାଶ,

ଏଣୁ ଦୁଃଖ ଜାତ ସୁଦ୍ଧା ହୁଅଇ ମାନସେ,

ଦୁଜେ ଭ୍ରାତୃ-ଶୋକ ନୁହେଁ ଅଳ୍ପ କଷ୍ଟପ୍ରଦ

ତୋହୋ କର୍ମଫଳ ତୁହି ଭୁଞ୍ଜିବୁ ରେ ଭାଇ,

 

ହେତୁମାତ୍ର ହେବି ମୁହିଁ ତାର, ମୃତ୍ୟୁପରେ

ପରଲୋକେ ଫଳେ ସିନା କୃତକାର୍ଯ୍ୟ ଫଳ,

ଏହା ସ୍ୱତଃସିଦ୍ଧ, ତୋହୋ କର୍ମ-ବୃକ୍ଷ-ଫଳ-

ସଂଖ୍ୟା ଲେଖି ଚିତ୍ରଗୁପ୍ତ ଖଡ଼ିଗୋଟାଳିରେ

 

ମିଶାଉଛି ପଙ୍କ୍ତିକ୍ରମେ, ଦେଖି ପାଞ୍ଜି ତାର,

ମିଶାର କଦାପି ତାର ହୁଏ ନାହିଁ ହୁଡ଼ି

ବିଶେଷ ପାର୍ଥକ୍ୟ ନାହିଁ ତୋହର ମୋହର,

ତୁ ମୁଁ ମଧ୍ୟେ ବ୍ୟବଧାନ କେବଳ ଅଜ୍ଞାନ,

 

ତୁ ତ ମୁଁ ର ରୂପାନ୍ତର ମାତ୍ର, ଜଗତର

ତୁ ଯାକ ହେଉଛି ମୁଁ ର ସତତ ନିକଟ

କ୍ରମେ କ୍ରମେ, ଯଥାକାଳେ ମିଶିଯାଇ ପୁଣି

ମୁଁ ରେ ଯାଉଛି ହୋଇ ମୁଁ, ନିୟତି ନିୟମ

 

ଏହା,- ଅଖଣ୍ଡ, ଅଲଙ୍ଘ୍ୟ, ନିୟତି କାହାର

ନୁହେଁ ଅନୁଗାମୀ, ବରଂ ସର୍ବେ ଅନୁଗାମୀ

ତାର, ତୋର ନିୟତିର ଫଳ ମୁହୂର୍ତ୍ତକେ

ଫଳିବ, ଅପେକ୍ଷା କର ଭୁଞ୍ଜିବୁ ସକଳ

 

ଏସନ ମଧୁରେ ଭର୍ତ୍ସି କୃଷ୍ଣ ଶିଶୁପାଳେ,

ବୋଇଲେ ସମ୍ୱୋଧି ସର୍ବ ଶିଷ୍ଟରାଜଗଣେ-

ହେ ଭଦ୍ର ରାଜନ୍ୟବର୍ଗ ! ଶୁଣନ୍ତୁ ମୋ କଥା,

ଏ ଦୁଷ୍ଟ ପିତୃସ୍ୱସ୍ରେୟ ସମ୍ୱନ୍ଧରେ ମୋର,

 

ଏହା ଜନ୍ମ ଆଉ ମୋର ପ୍ରତିଜ୍ଞା କାହାଣୀ,

ହୋଇଅଛି ଇତିପୂର୍ବ ଉକ୍ତ ଭୀଷ୍ମମୁଖେ,

ତାହା ଶୁଣିଛନ୍ତି ସର୍ବେ; ଏହି ଦୁର୍ମତିର

କ୍ଷମିବାକୁ ଅପରାଧ ଶତସଂଖ୍ୟ, ମୁହିଁ

 

ହୋଇଛି ପ୍ରତିଜ୍ଞାବଦ୍ଧ, କିନ୍ତୁ ପାପିଷ୍ଠର

ଅପରାଧ, ନିଦ୍ଦାରିତ ସଂଖ୍ୟାରୁ ଅନେକ

ପଡ଼ିଲାଣି ବଳି, ଯଥା ପାଦପର ଶାଖା

କୁଠାରେ ସଂଲଗ୍ନନ ହୋଇ ନାଶେ ସେ ପାଦପେ,

 

ତଥା ଏ ଦୁଷ୍ଟ, ଜନମି ଯାଦବୀ ଗର୍ଭରୁ

ଯାଦବଗଣର କଲା ବହୁ ଅପକାର,

ସହିଛି ମୁଁ ତାହା ସବୁ ପ୍ରତିଜ୍ଞା ସ୍ମରଣେ,

ନତୁ ଶିଶୁପାଳ ନାମ ଏ ମର୍ତ୍ତ୍ୟଧାମରୁ

 

ହୋଇଥାନ୍ତା ଅନ୍ତର୍ହିତ ନିଶ୍ଚେ ବହୁକାଳୁ

ଯାଇଥିଲି ଏକଦା ମୁଁ ପ୍ରାଗ୍ଜ୍ୟୋତିଷପୁରେ

କାର୍ଯ୍ୟ ଉପଲକ୍ଷେ, ଦୁଷ୍ଟ ଏହି ଅବସରେ

ଲୁଣ୍ଠି ଦ୍ୱାରାବତ ପୁରୀ ପଳାଇଲା ଭୟେ,

 

ଅଶ୍ୱମେଧ ଯଜ୍ଞାରମ୍ଭ କରି ମୋର ପିତା,

ଦେଇଥିଲେ ଛାଡ଼ି ମେଧ୍ୟ ତୁରଙ୍ଗେ, ତାହାକୁ

ରଖିଥିଲା ଏ ପାପାତ୍ମା ଧରିଣ ଲୁଚାଇ,

ଯଦୁ-ବଧୂ ବଭ୍ରୁପତ୍ନୀ ସୌବୀର ମଣ୍ଡଳେ

 

ଯାଇଥିଲେ ଦେଖିବାକୁ ମହୋତ୍ସବ, ତହୁଁ

ଏ ଦୁଷ୍ଟ ତାହାଙ୍କୁ ହରି ଯାଇଥିଲା ଘେନି,

ବସୁରାଜପତ୍ନୀ ଭଦ୍ରା ଯାଦବ-ଦୁହିତା,

ସମ୍ୱନ୍ଧରେ ଅଟଇ ସେ ଭଉଣୀ ଏହାର,

(ସ୍ମରଣେ ଯେ କଥା ହାୟ, ଘୋଟେ ମହାପାପ

ମରେ, ଯେ ପାପର ନାହିଁ ପ୍ରାୟଶ୍ଚିତ୍ତ ବିଧି)

 

ଏ ନାରକୀ ହରି ତାକୁ ଘେନିଗଲା ବଳେ,

ବର୍ଣ୍ଣୁଥିଲେ ଦିବାନିଶି, ନ ସରିବ ଏହି

 

ଉପହାସ୍ୟ ରସିକର ରସ, ପୁଣି ଥରେ

ପୋଷି ଦୁରାକାଙ୍କ୍ଷା ଦୁଷ୍ଟ, (ଚନ୍ଦ୍ର ଧରଷଣେ

ବାମନ ପରାଏ) ଯାଇଥିଲା ଲକ୍ଷ୍ମୀସମା-

 

ମହାସତୀ ରୁକ୍ମିଣୀକୁ ବିବାହ ମାନସେ

ଭୀଷକ-ପୁରକୁ, କିନ୍ତୁ ତହିଁ ଅପାତ୍ରର

ବେଦାର୍ଥବୋଧିନୀ ଆଶାପ୍ରାୟ ତାର ଆଶା

ହୋଇଥିଲା ପଣ୍ଡ, ଆଉ କେତେ ବା କହିବି

 

ବିଜ୍ଞବର ଗୁଣଦର ପୁରୁଷଙ୍କ ଗୁଣ,

ଏତିକି କହିଲି ମାତ୍ର, ଆଉ ଶୁଣିଛି ତ

ସାକ୍ଷାତ ଦୋଷର କଥା ସର୍ବେ, ଏ ନଷ୍ଟର

ଅପରାଧ ଯାଇଅଛି ସୀମା ଲଙ୍ଘି, ଦୈବେ

 

ପାଇଛି ସାକ୍ଷାତ ଆଜି ଯେଣୁ, ତେଣୁ ତାକୁ

ବଧିବ ନିଶ୍ଚୟ, ନୁହେଁ କ୍ଷମାପାତ୍ର ସେହୁ

ଶୁଣି କୃଷ୍ଣବାଣୀ ସର୍ବ ଧାର୍ମିକ ନୃପତି,

ନିନ୍ଦିଲେ ବିସ୍ତର ମୂଢ଼ବୁଦ୍ଧି ଶିଶୁପାଳେ,

କିନ୍ତୁ ଧର୍ମଦ୍ରୋହୀ, ପାପୀ, ଈର୍ଷୀ ନରବରେ

 

ଆଖି ଠାରି ଶିଶୁପାଳେ ଦେଉଥାନ୍ତି ଟେଇ *

କୃଷ୍ଣଙ୍କ ବିରୁଦ୍ଧେ, ବୃଦ୍ଧ ସୁବିବେକ ନୃପେ,

ବୁଝାଇଲେ ଶିଶୁପାଳେ ବିବିଧ ବିଧାନେ

*ଟେଇ-ଉସ୍କେଇ, ପ୍ରବର୍ତ୍ତାଇ

 

ସାର ଉପଦେଶ ବାକ୍ୟେ, କିନ୍ତୁ ଯଥା ରୋଗୀ

ପ୍ରକାଶେ ବିଷମ ଘୃଣା ଔଷଦ ସେବନେ

ମୃତ୍ୟୁପୂର୍ବେ, ତଥା ଦୁଷ୍ଟ ତହିଁ ନ କରିଣ

କର୍ଣ୍ଣପାତ, ଅଟ୍ଟହାସ୍ୟେ ବୋଇଲା ଏସନ,-

 

ଧିକ୍ରେ ନିର୍ଲଜ୍ଜ ଚୋର ବୃଷ୍ଣିକୁଳାଧମ !

କେଉଁ ମୁଖେ ଭଲା ତୁହି ନିଜର ଭାର୍ଯ୍ୟକୁ

ବରପୂର୍ବା ଅଭିଧାନେ କରୁ ଅଭିହିତ ?

ପୂର୍ଣ୍ଣବ୍ରହ୍ମ ପରା ତୁହି ଏହି ବୁଦ୍ଧି ଘେନି !

 

କାହୁଁ ବା ଆସିବ ନୀଚମୁଖେ ଉଚ୍ଚ କଥା ?

ଦୟା ବହି ସେ ସମୟେ ଦେଇଥିଲି ଛାଡ଼ି

ରୁକ୍ମିଣୀକୁ, କିନ୍ତୁ ଆଜି ସଂହାରିଣ ତୋତେ,

 

କରିବି ନିଯୁକ୍ତ ତାକୁ କରଙ୍କଧାରିଣୀ ୧-

କାର୍ଯ୍ୟେ, ରେ ଦୁରତ୍ମା ! ଆଉ କଥାରେ କି ଫଳ ?

୧- କରଙ୍କ-ପାନଡିବା

 

କର ବୀର କାର୍ଯ୍ୟ, ହୁଅ ପ୍ରବୃତ୍ତ ସମରେ

ଅନନ୍ତର ଦୁଷ୍ଟ ନୃପେ ବେଢ଼ିଣ ଚୌପାଶୁ

ଦାମୋଦରେ, ନିକ୍ଷେପିଲେ ଅସ୍ତ୍ର କ୍ଷୁରଧାର

ବହୁ, ଦେଖୁ ଦେଖୁ ହେଲା ମାଧବଙ୍କ ଦେହେ

 

ଘନ ଘନ ଅସ୍ତ୍ରବୃଷ୍ଟି, ଶ୍ରବଣେ ଯେସନ

ଗିରି ଅଙ୍ଗେ ପଡ଼େ ବୃଷ୍ଟି ମୂଷଳଧାରାରେ

ତଦ୍ଦର୍ଶନେ ଭୀମ ବୀର ଭୀମପରାକ୍ରମ,

(ସମର ପାଇଲେ ଯେହୁ ଲଭେ ମହାହ୍ଲାଦ,

ଆହାରେ, ସମରେ ପୁଣି ପ୍ରତିଜ୍ଞା ପାଳନେ

ତିନି କାର୍ଯ୍ୟେ ନାହିଁ ଯାର ଭବେ ପରାଜୟ)

ରୋଷେ ଜଳି ବୈଶ୍ୱାନର ପ୍ରାୟ, ଭୀମଗଦା

 

ପକାଇଣ କାନ୍ଧେ, ହେଲେ ଖରେ ପ୍ରଧାବିତ

ରାଜଗଣ ପ୍ରତି କପିବର ଆଞ୍ଜନେୟ,

 

ଉତ୍ପାଟି ପୃଥୁଳ ବୃକ୍ଷେ, ଘେନି ସ୍କନ୍ଧେ ତାହା

ଧାଏଁ କି ସରୋଷେ ବେଗେ ରକ୍ଷଃସେନା ପ୍ରତି,

 

ସ୍ୱର୍ଣ୍ଣଲଙ୍କାପୁରେ, ରାମ ରାବଣ ସମରେ ?

କିମ୍ୱା ଦେବ ଶକ୍ତିଧର ୨ ଶକ୍ତି ଧରି କରେ

ଧାଆନ୍ତି କି ବାୟୁବେଗେ ତାରକା ଆହବେ ?

ଏ ସମୟେ ଧରି ଭୀଷ୍ମ ବଜ୍ରମୁଷ୍ଟି ଚାପେ

୨- କାର୍ତ୍ତିକେୟ ୩- ତାରକାସୁର ଯୁଦ୍ଧରେ

 

ଭୀମହସ୍ତ, ବୋଇଲେ, ହେ ବତ୍ସ ! ହୁଅ ସ୍ଥିର,

ଆଣିଛି ଆମନ୍ତ୍ରି ତୁମ୍ଭେ ଏହି ରାଜଗଣେ,

ସେମାନଙ୍କ ଅଙ୍ଗେ ଅସ୍ତ୍ର ପ୍ରହାରିବ ଯେବେ,

ହେବ ବାବୁ ! ଧର୍ମ ନଷ୍ଟ ତୁମ୍ଭର ପାବନି

 

ଆରକ୍ତ ନୟନେ ତହୁଁ ଭାଷିଲେ ମାରୁତି-

ପିତାମହ ! ପ୍ରାଣପ୍ରିୟ ଗୋବିନ୍ଦେ ହରାଇ

କି କରିବୁଁ ଧର୍ମ ଘେନି ଆମ୍ଭେମାନେ ଭଲା ?

ଲୋଡ଼ା ନାହିଁ ଧର୍ମେ, ଯେବେ ଗୋବିନ୍ଦ ଯେ ପଥେ

 

ଯିବି ମୁହିଁ ସେହି ପଥେ, ଧର୍ମ ସୁଦ୍ଧା ମୋର

ଯିବ ସେହି ପଥେ, ଏହି ଦେଖ ପିତାମହ !

ଏତେ ରଥୀ ମହାରଥୀ ହୋଇ ଏକତ୍ରିତ,

ଏକେଶ୍ୱର ଶ୍ରୀହରିଙ୍କ ଉପରେ ବିବିଧ

 

ଅସ୍ତ୍ରଶସ୍ତ୍ର କରୁଛନ୍ତି ବୃଷ୍ଟି, କ୍ଷତ୍ର ହୋଇ

କ୍ଷତ୍ରିୟ ଧର୍ମର ଏହି ଘୋର ବ୍ୟଭିଚାର

କେ ଦେଖିବ ନେତ୍ରେ ? ଭୁଲି ଜାତୀୟ ମହତ୍ତ୍ୱ

ଅତ୍ୟାଚାର, ଉପଦ୍ରବ ଦମନେ ଯେ ବାହୁ

 

ନୁହଇ ସମର୍ଥ, ବାହୁ ନୁହେଁ ତାହା, ଅଟେ

ରନ୍ଧନ-ଇନ୍ଧନ, ଶୁଷ୍କ, ନିର୍ଜ୍ଜୀବ, ଆସାଢ଼

ଛାଡ଼ ଦେବ ! ହସ୍ତ, ଏହି ମୁଷ୍ଟିମେୟ ନୃପେ,

ବାମପାଦେ ମର୍ଦ୍ଦିବି ମୁଁ ହୀରାପନ୍ତି ୪ ପରି

୪- ହୀରାପନ୍ତି- ପିମ୍ପୁଡ଼ିଯୁଥ

 

ଧରାରେ, ଯାବତ ଥିବ ଭୀମ ଧମନୀରେ

ଶୋଣିତ ବିନ୍ଦୁଏ ମାତ୍ର ସଞ୍ଚିତ, ତାବତ

କରିପାରେ କିଏ କୃଷ୍ଣ ଅଙ୍ଗେ ଅସ୍ତ୍ରାଘାତ ?

ଗଦାଘାତେ ବିଚୂର୍ଣ୍ଣିତ ମସ୍ତକ ତାହାର,

 

ଏହା ମୋର ଦୃଢ଼ପଣ ନିଶ୍ଚେ ପିତାମହ !

ଭାଷିଲେ ଗାଙ୍ଗେୟ ତହୁଁ ମଧୁରେ ଏସନ-

ଯା କହିଲି ସତ ବତ୍ସ ! ସମ୍ଭବେ ସକଳ

ତୁମ୍ଭଙ୍କୁ, ତଥାଚ କ୍ଷାନ୍ତ ହେବାର ଉଚିତ,

 

ହୀନବୀର୍ଯ୍ୟ ଚକ୍ରଧର ନୁହନ୍ତି କଦାଚ

ଏହି ରାଜଗଣଠାରୁ, ସନ୍ଦେହ ପୋଷଣ

ନୁହଇ ଉଚିତ ତାଙ୍କ ପକ୍ଷେ, ଜାଣି ଶୁଣି

ତୁମ୍ଭେ, କହ କିପାଁ କଥା ନିର୍ବୋଧ ପରାୟେ ?

 

ସ୍ରଷ୍ଟା, ପାତା, ନିୟନ୍ତା ଯେ ଅଖିଳ ବିଶ୍ୱର,

କି କରିପାରନ୍ତି ଏହି ନଗଣ୍ୟ ଭୂପାଳେ

ତାହାଙ୍କର, କି କରନ୍ତି ପ୍ଳବଙ୍ଗମଯୂଥ

କାଳଭୁଜଙ୍ଗର ? ତୀବ୍ରକାଳକୂଟୋଦ୍ଗାରୀ

 

ତଥାପି ଅଶକ୍ତ ଯଦି ହୁଅନ୍ତି ସମରେ

ଦୈତ୍ୟାରି, ତେବେ ମୁଁ ଅଛି, ତୁମ୍ଭେ ଅଛ ପୁଣି,

ଯାର ବାଣେ ତ୍ରିଭୁବନ ହୁଏ ପ୍ରକମ୍ପିତ,

ଖାଣ୍ଡବେ ଦହିଣ ଯେହୁ ସନ୍ତୋଷି ଅନଳେ

 

ଲଭିଲେ ଗାଣ୍ଡବୀ ଧନୁ, ମହା ଆଭାମୟ,

ବିଶ୍ୱ-ବିଧ୍ୱଂସନ-ଦକ୍ଷ, ଯହୁ କୃଷ୍ଣସଖା,

ଅଛନ୍ତି ସେ ମରାମର ଅଜେୟ ଅର୍ଜୁନ,

ଅତଏବ ତେଜ ବର୍ତ୍ସ ! ମନୁ ବୃଥା ଭୀତି

 

ଏହି ଦେଖ ବୃକୋଦର ! ଶିଶୁପାଳ ସହ

ହୋଇଛନ୍ତି ଯୁଦ୍ଧାରମ୍ଭ ବନମାଳୀଙ୍କର,

ଦିଶୁଛନ୍ତି କ୍ରୋଧେ ଦୁହେଁ କାଳାନଳ ପ୍ରାୟ

ମହାତେଜସ୍କର, ଯଥା ମୂର୍ତ୍ତିମାନ ରବି,

 

ପୁଣି ମୂର୍ତ୍ତିମାନ ଅଗି ଉଭା ପରସ୍ପରେ

ମୁଖାମୁଖିଭାବେ ଦେଖ ଦୁହିଁଙ୍କର ରଣ

ବଢ଼ୁଛି ଉତ୍ତରୋତ୍ତର କିରୂପ ଭୀଷଣେ,

ମୁହୁର୍ମୁହୁଃ ଆକର୍ଷଣେ ଦୁହିଙ୍କର ଧନୁ

 

ମଣ୍ଡଳ ଆକାର ଦିଶେ ସଦା, କେତେବେଳେ

କିଏ ନିଏ ଶଣାଧାରୁ ଶର, କେତେବେଳେ

ଯୋଖେ ଗୁଣେ, କିଛି ମାତ୍ର ହେଉ ନାହିଁ ଜାଣି,

ଦୁହେଁ ଅତି ଶୀଘ୍ରହସ୍ତ, ବିନ୍ଧୁଛନ୍ତି ବାଣେ

 

ପରସ୍ପରେ, ଦୁହିଙ୍କର ବାଣେ ଘୋଟେ ନଭଃ,

ମେଘଆନ୍ଧି ୧ ଦିନେ ଯଥା କଲେ ଶରପୀଡ଼ା

ମେଘ, ଦୁହେଁ ମଧ୍ୟ ଗଲେ ଢାଙ୍କି ଦୁହିଁଙ୍କର

ଶରଜାଲେ, କୁଜ୍ଝଟୀରେ ଯେସନ ଶିଖରୀ

୧- ମେଘାବରଣ ଦିନ

 

ଶଙ୍ଖନାଦ, ବୀରନାଦ, ଧନୁକ ଟଙ୍କାର,

ତିନି ଶବ୍ଦ ମିଶି ହୋଇ ଅତୀବ ପଅଥୁଳ

ପୁରିଲା ବ୍ରହ୍ମାଣ୍ଡ, ସେହି ମହାଶବ୍ଦ ଶୁଣି

ହେଲେ ବିତ୍ରାସିତ ସର୍ବ ମରାମର ଜୀବେ,

 

ଅକାଳେ ପ୍ରଳୟାଶଙ୍କା କଲେ ଅବା କେହି

ଛେଲ, ଗଦା, ଚକ୍ର, କୁନ୍ତ, ପରିଘ, ଶକତି

ନାନାଅସ୍ତ୍ରେ ନାନାରଙ୍ଗେ ଲାଗିଛି ସମର,

ଅସ୍ତ୍ରେ ଅସ୍ତ୍ର ବାଜି ସୃଜେ ସ୍ପୁଲିଙ୍ଗ ଆକାଶେ,

 

ଲୌହଦଣ୍ଡ ମଘାତରେ ଅଗ୍ନିଶିଳା ଯଥା ୨

ଝାଡ଼ିଦିଏ ଅଗ୍ନିକଣା, ଖଦ୍ୟୋତ ୩ ସମାନ

ଲାଗିଲା ବିଷମ ଯୁଦ୍ଧ ମହାଭୟଙ୍କର,

 

ଯୁଝୁଛନ୍ତି ନାରାୟଣ ଶିଶୁପାଳ ସହ,

୨- ଚକମକି ପଥର ୩- ଜୁଳୁଜୁଳିଆ ପୋକ

 

ଦେବବୈରୀ ବୃତ୍ର ୪ ସହ ଯଥା ସୁନାସୀର,

କିମ୍ୱା ଦଶାନନ ସଙ୍ଗେ ଦାଶରଥି ଯଥା,

ଅତସୀ-କୁସୁମ-ଶ୍ୟାମ ଅଙ୍ଗୁ, ବାଣାଘାତେ

ବହିଯାଏ ରକ୍ତଧାରା କେରା କେରା ହୋଇ,

୪- ଅସୁରବିଶେଷ

 

ହିମାଳୟ ଦେହୁଁ ଯଥା ଗୈରିକ ପ୍ରବାହ

ବହିଆସେ ବର୍ଷାକାଳେ ହୋଇ ଶତଧାର

ଏହି ଶୁଣ ଭୀମସେନ ! ସମରେ ମୁରାରି

ହେବାରୁ ପ୍ରବୃତ୍ତ, ସ୍ୱର୍ଗେ ବାଜଇ ଦୁନ୍ଦୁଭି

 

ଦେଖ ଦେଖ ବତ୍ସ ! ଏହି ଦେବସଭା ନଭେ,

ବିଜେ; ତହିଁ ଦେବଗଣ ଦେଖିବାକୁ ରଣ

ମେଘ-ମଞ୍ଚେ ଦେବସଭା ଆହା କି ସୁନ୍ଦର !

କନକ-କିଙ୍କିଣୀଯୁକ୍ତ ରାଜହଂସ-ରଥେ

 

ଦେଖ ବତ୍ସ, ଚତୁର୍ମୁଖ ବ୍ରହ୍ମା; ଅଷ୍ଟକର

ଯୋଡ଼ି କୃଷ୍ଣେ କରୁଛନ୍ତି ସ୍ତବ, ତାଙ୍କ ପାଶେ

ଅମର-ଗୌରବ ଇନ୍ଦ୍ର, ତ୍ରିଦିବ-ସୁନ୍ଦରୀ

ପୌଲାମୀ ୫ ସହିତେ ବିଜେ ଐରାବତ ପୃଷ୍ଠେ,

୫- ଶଚୀ

 

ବକ୍ଷେ ଶୋଭେ ପାରିଜାତ ହାର, ହସ୍ତେ ପବି,

ଋଷି ଅସ୍ଥି-ବିନିର୍ମିତ ଅମୋଘ ଆୟୁଧ

ବୃଷାସନେ ବିରାଜିତ ଦେଖ ଶୂଳପାଣି,

ବିଭୂତି-ଭୂଷଣ ତନୁ, ଶିରେ ଦୀର୍ଘଜଟା,

 

ଟେକିଛନ୍ତି ଫଣା ତହିଁ କାଳ-ବ୍ୟାଳ-କାଳେ,

ଅର୍ଦ୍ଧନିମୀଳିତ ନେତ୍ର ହୋଇ ସିଦ୍ଧିପାନେ,

କରନ୍ତି ଡ଼ମ୍ୱରୁ ଧ୍ୱନି ଡ଼ିବି ଡ଼ିବି ସ୍ୱରେ

ତାଙ୍କ ବାମେ ଉପବିଷ୍ଟା କେଶର-ବାହନେ

 

ମହିଷ-ମର୍ଦ୍ଦିନୀ ଦେବୀ ଦୁର୍ଗତି-ନାଶିନୀ

ଦୁର୍ଗା ଦଶଭୁଜା, ମହାପ୍ରକୃତିସ୍ୱରୂପା,

ସଙ୍କଟ ସମୟେ ଦେବୀ ଟେକି ଦଶଭୁଜ

କରନ୍ତି ସନ୍ତାନେ ରକ୍ଷା, ସନ୍ତାନବତ୍ସଳା

 

ବସି ମାତୃ ଅଙ୍କେ ଗଜ-ବଦନ ଗଣେଶ

ସ୍ଥୂଳୋଦର, ଥୋଡ଼େ ଧରି ଭୁଞ୍ଜୁଛନ୍ତି ଲଡ଼ୁ

ବର୍ହଶୋଭୀ ନୃତ୍ୟଶୀଳ ବର୍ହିପୃଷ୍ଠେ ବିଜେ

ତାରକିର ଦେବ, ଶିରେ ଦୋଦୁଲ୍ୟ-କିରୀଟ

 

ବସିଛନ୍ତି ଦିବାକର ଗ୍ରହଗଣ ମେଳେ,

ବାହାରଇ ଅଙ୍ଗୁ ତାଙ୍କ ଦୀପ୍ତ ଜ୍ୟୋତିଃରେଖା

ଅଗ୍ନିଶିଖା ପ୍ରାୟ, ତେଣୁ ହେଉ ନାହିଁ ଚାହିଁ

ଗଳିତ-କାଞ୍ଚନ-କାନ୍ତ ଗୁରୁ ବୃହସ୍ପତି,

 

ଉପବିଷ୍ଟ ଦେଖ ଯାକି ଦେବ ପୋଥି କାଖେ,

ସ୍କନ୍ଧେ ଶୁଭ୍ର ଉପବୀତ ହୋଇ ବିଳମ୍ୱିତ,

ଶୋହେ ଯଥା ମନ୍ଦାକିନୀ ମେରୁ ହେମକୂଟେ

କୁମୁଦ-ଧବଳକାନ୍ତି ଦେବ ସୁଧାଧାର,

 

ବିରାଜିତ ଦେକ ପ୍ରିୟା ରୋହିଣୀ ସହିତେ,

ଯେହ୍ନେ ବସୁନ୍ଧରା ସହ ଋତୁ ପୁଷ୍ପାକର

ଅତୀବ ଶୀତଳ ଯେଣୁ ସିତକର ବେର,

(ସନ୍ନିପାତେ ରୋଗୀ ଦେହ ଯଥା) ତେଣୁ ଦେବେ

 

ନ ବସନ୍ତି ତାଙ୍କ ପାଶେ, ଘୋର ଶୀତେ ଦେହ

୧- ପୁଷ୍ପାକର- ବସନ୍ତ

 

କୁଙ୍କୁରିବା ୨ ଭୟେ, ଯଥା ଶୀତ-ଭୀତ ଜନେ,

କରନ୍ତି ଉପେକ୍ଷା, ନେତ୍ର-ସୁଶୀତଳକାରୀ

ପଦ୍ମପତ୍ର-ସମ୍ପାଚ୍ଛନ୍ନ ଶୀତଳ ସରସୀ,

ଶ୍ୱେତହଂସ ପୃଷ୍ଠେ ବିଜେ ଦେଖ ବୀଣାପାଣି,

୨- କୁଙ୍କୁରିବା- କୁଞ୍ଚନ ଶବ୍ଦଜ, ସଙ୍କୁଚିତ ହେବା

 

ବେଦ, ଶାସ୍ତ୍ର-ପ୍ରସବିନୀ ବିଶଦବସନା,

ନିରତେ ମୁଖରା ଦେବୀ ସାହିତ୍ୟସଙ୍ଗୀତ-

ପାଠେ, ବଜାଇଣ ମୃତ୍ୟୁସଞ୍ଜୀବନୀ ବୀଣା

କନକ-କମଳାସନେ କମଳା ସୁନ୍ଦରୀ

 

ବସି, ବୁଣୁଛନ୍ତି ଦେଖ ଏକହସ୍ତେ ନାନା-

ଶସ୍ୟବୀଜ, ପୁଣି ଆନେ ବିବିଧ ରତନ

ବସୁଧା ଉପରେ ସଦା, ଚିତ୍ତେ ଦୟା ବହି

କୁବେର, ବରୁଣ, ଯମ, ବାୟୁ ଆଦି ଯେତେ

 

ତ୍ରିଦିବନିବାସୀ, ସର୍ବେ ଠୁଳ ହୋଇ ନଭେ,

କୃଷ୍ଣ-ଶିଶୁପାଳ ରଣ ଦେଖନ୍ତି କୌତୁକେ

ଏହିପରି ଦେଖାଇଣ ଭୀମେ ଭୀଷ୍ମଦେବ

ଦେବସଭା, ଯୋଗବଳେ, ହେବାକୁ ନୀରବ

 

କ୍ଷଣେ ଦେଇ ଉପଦେଶ, ନୀରବିଲେ ନିଜେ

ପଟ୍ଟବାସନିବାସିନୀ ପୁରନାରୀ-ବ୍ରାତ

ଦେଖି କୃଷ୍ଣ-ଶିଶୁପାଳ ରଣ, ହେଲେ କେହି

ଭୀତା, କେହି ଆନନ୍ଦିତା, ରୁଚିଲା ରୁକ୍ମିଣୀ

 

ବୋଇଲେ କୃଷ୍ଣାଙ୍କୁ ଚାହିଁ ସଭୟେ ବିସ୍ମୟେ-

ସହସା କିପାଇଁ ସଖି ଧରିଲା ଆକାଶ

ପିଙ୍ଗଳ ବର୍ଣ୍ଣ ? ଚପଳା ଚମକେ ଚୌଦିଗେ

ଘନ ଘନ, ବିନା ମେଘେ, ଏ କି ଦୁର୍ଲ୍ଲକ୍ଷଣ ?

 

ବ୍ୟାକୁଳ ଏ ପ୍ରାଣ ସଖି ! ପ୍ରାଣସଖା ପାଇଁ,

ଏକେଶ୍ୱର ସମ୍ପ୍ରତି ଯେ ପ୍ରାଣନାଥ ମୋର

ବୋଇଲେ ଦ୍ରୋପଦୀ, ଦେବୀ ! ଆତତ୍ମବିସ୍ମୃତିର

ଗୂଢ଼ ଆବରଣେ ତୁମ୍ଭେ ହୋଇ ଆଚ୍ଛାଦିତା,

 

ସାର୍ଥକିଲ ସିନା ଆହୋ ଭୀରୁମଣି ନାମେ,

ଏକର ମହିମା ତୁମ୍ଭେ ନ ଜାଣ କି ଦେବି ?

ଏକଚନ୍ଦ୍ର ଆଭାମୟ କରନ୍ତି ଜଗତେ

ନଭେ ଉଇଁ, ମୁଣ୍ଡାଇଛି ଏକା ଶେଷ ଅହି

ଏ ନିଖିଳ ମହୀ, ପୁଣି ଏକା ହନୁମାନ

ବିଧ୍ୱଂସିଲା ସ୍ୱର୍ଣ୍ଣଲାଙ୍କା ଉଲ୍ଲଙ୍ଘି ସାଗର

ଏକ ସୂର୍ଯ୍ୟ ଯଥା ବହୁ ସ୍ଫଟିକ ପାଷାଣେ

ହୁଅନ୍ତି ବିମ୍ୱିତ, ତଥା ଦେବସ୍ୱାମୀ ତବ,

ସର୍ବଜୀବେ ବିଦ୍ୟମାନ ଏ ନିଖିଳ ଭବେ;

ଅତଏବ ବିରାରୋହେ ! ନୁହନ୍ତି ଏକାକୀ

ସ୍ୱାମୀ ତବ, ତେଜ ମନୁ ଅକାରଣ ଭୟ

ଦାମଘୋଷିର ଶ୍ରୀହରି ଜିଗୀଷା-କେବଳ

ଧୃଷ୍ଟତା ମାତ୍ର, ଯେସନ ବେଣାଫୁଟକରି ୧

ଆକାଶ ଧାରଣ ଆଶା ଦୂର୍ବଳ ଚରଣେ,

ବେଣାଫୁଟକି ନାମରେ ବିହଙ୍ଗମ ଏକ

କ୍ଷୁଦ୍ରଦପି ଅତିକ୍ଷୁଦ୍ର, ନିବସଇ ସଦା

ବେଣାପାଟେ, ରଜନୀରେ ଶୁଅଇ ସେ ଖଗ

୧- କ୍ଷୁଦ୍ର ପକ୍ଷିବିଶେଷ

 

ଉତ୍ତାନଭାବରେ, ଟେକି ସୂକ୍ଷ୍ମସୂତ୍ରସମ

ଅତି କ୍ଷୀଣ ପାଦଦ୍ୱୟ ଊର୍ଦ୍ଧ୍ୱେ, ଯେ ହେତୁରୁ

ଦୈବେ ଯଦି କେବେ ଭାଙ୍ଗିପଡ଼ିବ ଆକାଶ,

ତେବେ ସେ ଧରିବ ତାକୁ ଦୁଇ ଗୋଡ଼େ ଟେକି,

 

ନଗଣ୍ୟ ପକ୍ଷୀର ଏହି ଦୁରୂହ କଳ୍ପନା

ଯଥା ବିଡ଼ମ୍ୱନା, ତଥା ବ୍ରହ୍ମାଣ୍ଡ-ଧର୍ଷଣ

ଶ୍ରୀକୃଷ୍ଣେ, ଶିଶୁପାଳର ବିଜୟାଭିଳାଷ

ଅଟେ ସିନା ଦେବି ! ଖାଲି ଉପହସନୀୟ

 

ଆକାଶର କଥା ଯାହା ପଚାରିଲ ଦେବି !

ପାରୁ ନାହିଁ ବୁଝି ମୁହିଁ କିଛି ତାହା, ଓହୋ !

ଉନ୍ମୀଳିଲେ କପାଳସ୍ଥ ନେତ୍ର କି କପାଳୀ,

ପୁଣି ଅବା କାମ ପରି ଦହିବେ କାହାକୁ,

 

କେଉଁ ଅଭାଗ୍ୟର ହାୟ ଫାଟିଲା କପାଳ !

ଶୁଣିଛି ମୁଁ ବିଶ୍ୱକର୍ମ୍ମା-ଅମର ବିନ୍ଧାଣୀ,

ସୂର୍ଯ୍ୟଙ୍କୁ ଘର୍ଷଣ ଶାଣେ କରିବା ସମୟେ

ସୃଷ୍ଟି ଆଦ୍ୟେ, ହୋଇଥିଲା ଚଣ୍ଡାଂଶୁ କିରଣ

 

ଏଭଳି ପ୍ରଚଣ୍ଡ ଅତି, ଦୃଷ୍ଟିରୋଧିକାରୀ

ନାହିଁ ନାହିଁ ବୁଝିଅଛି, ଦୁରାତ୍ମା ଚେଦିପ,

ନିକ୍ଷେପିଛି ଆଗ୍ନେୟାସ୍ତ୍ର ଏକ, ଏ ତାହାରି

ପ୍ରଭା କେତେ କ୍ଷଣ ଅନ୍ତେ ପୁନଶ୍ଚ ରୁକ୍ମିଣୀ,

 

ପଚାରିଲେ ନଭେ ଚାହିଁ ଦ୍ରୌପଦୀଙ୍କୁ ଏହା,-

ଏହି ଦେଖ ସଖି ! କେକିକଣ୍ଠ ବର୍ଣ୍ଣ ଶୋଭୀ

ମେଘମାଳେ, କାହୁଁ ଆସି ଛାଇଲେ ସହସା

ବିଷ୍ଣୁପଦେ, ସ୍ଫୁରେ ତହିଁ ଚପଳା ଚପଳେ,

 

ଇତସ୍ତତଃ ଧାବମାନ ହେଉଛନ୍ତି ମେଘେ

ଖରବେଗେ ନଭସ୍ତଳେ, ଯଥା ନବଧୃତ

ସଭୀତ କୁଞ୍ଜରପୁଞ୍ଜ ଖୁଆଡ଼ ୨ ମଧ୍ୟରେ

ତୀର ବେଗେ ଦଉଡ଼ନ୍ତି ଗଭୀରେ ଚିତ୍କାରି

୨- ହାତୀଖେଦା- ହାତୀ ଧରିବା ନିମିତ୍ତ ବାଡ଼

ଆବୃତ ସୁବିସ୍ତୀର୍ଣ୍ଣ ସ୍ଥାନ

 

ଦେଖି ବିଭୀଷିକାମୟୀ ଅଦ୍ଭୁତ ଘଟନା,

କ୍ଷଣେ କ୍ଷଣେ ପଶୁଅଛି ଛନକା ଛାତିରେ

ମୋର, ସଖି ! ଏ ଯାତନା ଅସହ୍ୟ ଅତୀବ

 

ସସ୍ମିତେ ସଧୀରେ ତହୁଁ ଭାଷିଲେ ପାଞ୍ଚାଳୀ,-

ଶ୍ରୀନାଥ-ବଲ୍ଲଭେ ! ତୁମ୍ଭ ସ୍ୱାମିକୃତ ଏହା,

ପ୍ରତିସଂହାରିବା ପାଇଁ ଶିଶୁପାଳ ବାଣ,

କରିଛନ୍ତି ବରୁଣାସ୍ତ୍ର ଶ୍ରୀହରି ନିକ୍ଷେପ,

ତାହାରି ଏ ମହାପ୍ରଭା ବ୍ୟାପିଛି ଆକାଶେ,

 

ଏହି ଦେଖ ମହାଦେବି ! ବାରି ବରଷଣେ

ହୋଇଗଲା ଦୁରାତ୍ମାର ଅଗ୍ନିବାଣ ବୃଥା

ପୁଚ୍ଛିଲେ ରୁକ୍ମିଣୀ ପୁଣି ଭବେଶ-ଭାମିନୀ,-

ଏ ପୁଣି କି ହେଲା ସଖି ! ବୃଷ୍ଟିବାରିଧାରା

- ଶ୍ରୀକୃଷ୍ଣଙ୍କ ସ୍ତ୍ରୀ

 

କିପାଁ ହୁଏ ଆଲୋକିତ ଅକଥିତରୂପେ ?

ଉତ୍ତରିଲେ କୃଷ୍ଣା- ସତି ! ଚନ୍ଦୋଳାଧିପତି

ନୁହଇ ସାମାନ୍ୟ ବୀର, -ସାମାନ୍ୟ ପ୍ରତାପୀ,

 

ମହାବଳବନ୍ତ ସେହୁ ମହାବିଷ୍ଣୁ ତେଜେ,

ତ୍ୟାଗ କରି ବାୟବ୍ୟାସ୍ତ୍ର,ବୀର, ନିବାରିଲା

ସଖାଙ୍କର ବରୁଣାସ୍ତ୍ର-ପ୍ରସତ ବାରିଦେ

 

ସପ୍ତମ ସର୍ଗ

 

ଭୀଷଣ-ଶାର୍ଦ୍ଦୂଳ-ମର୍ଦ୍ଦୀ ହେ ନୃପ-ଶାର୍ଦ୍ଦୂଳ

ଧରାକୋଟ-ଧରାଧିପ ମଦନମୋହନ,

ଧାର୍ମିକପ୍ରବର ତୁମ୍ଭେ, ନବୀନ ବୟସେ

ଆଚରୁଛି ତେଣୁ କେତେ ବ୍ରତ ଉପବାସ !

ଦୁଜ୍ଜ ନଦଳନ ପୁଣି ସଜ୍ଜନପାଳନ,

ନ୍ୟାୟେ କୋଷେ ସମ୍ପ୍ରବୃଦ୍ଧି, ଅପକ୍ଷପାତିତା,

ମନେ ପ୍ରାଣେ ଧର୍ମରକ୍ଷା, ଏ ପଞ୍ଚଯଜ୍ଞର

ଅଟ ତୁମ୍ଭେ ସୁଯାଜ୍ଞିକ, ନୃପ ବ୍ରତ-ପୂତ,

ଶ୍ରୀଅଙ୍ଗ ତୁମ୍ଭର ଗଢ଼ା ଭକ୍ତି-ଉପାଦାନେ,

ବୀରତ୍ୱ, ଐଶ୍ୱର୍ଯ୍ୟ ପୁଣି ପ୍ରାଧାନ୍ୟ ଏ ତିନି,

ପୋତନ୍ତି ପତାକା ଅଜ୍ଞ ନୃପତି ହୃଦୟେ,

ମାତ୍ର ଦେବ ! ବାନ୍ଧି ତୁମ୍ଭେ ସେ ତିନିଙ୍କୁ ଦୃଢ଼େ

ସମୟ ନିର୍ଘଣ୍ଟ, କରିଅଛ ଆତ୍ମବଶ,

ଅନ୍ୟ ପକ୍ଷେ କାକୋଦର ସିନା ଊର୍ଦ୍ଧ୍ୱଫଣ,

ମାତ୍ର ନତଶିର ସେହୁ ବୈନତେୟ ପଦେ

ବୈଷ୍ଣବପ୍ରବର ତୁମ୍ଭେ, ବିଷ୍ଣୁ ପ୍ରେମରସେ

 

ଅଛି ପ୍ରୀତି ଅଭିରୁଚି ସତତ ତୁମ୍ଭର,

ଯେଣୁ ଆହ୍ୱାନିଲି ନୃପ ଛାମୁଙ୍କୁ ସାହସେ,

ବସ ଆସି କଳ୍ପନାର ସ୍ୱର୍ଣ୍ଣ-ସିଂହାସନେ

ନାହିଁ ଏଥି କାବ୍ୟରସ-ଅଛି ହରିରସ,

 

ଏଣୁ ନୁହେଁ ଦୂଷିତ ଏ ଗୀତ, ହୁଏ ଯଦି

ପଙ୍କିଳ ଆବି ତୀର୍ଥଜଳ, ହୁଏ ନାହିଁ-

ତେବେ ତାହା ଅପବିତ୍ର କେବେ, ନୃପବର !

ଶୁଣ ଏବେ ବଖାଣୁଛି ପ୍ରସଙ୍ଗ ବର୍ଣ୍ଣନା

 

ବେଳୁ ବେଳ ହେଲା ବୃଦ୍ଧି ବିଷମ ସମର,

ଦିନକର ତେଜ ଯଥା ବଢ଼ଇ ପ୍ରଭାତୁ,

ପ୍ରତାପୀ କ୍ଷତ୍ରୀୟ ବୀର ରାଜା ଶିଶୁପାଳ

ବହୁଯୁଦ୍ଧେ ସୁପ୍ରବୀଣ, ପରିଜ୍ଞାତ ପୁଣି

 

ନାନା ଅସ୍ତ୍ରସନ୍ଧି, ବହେ ଅୟୁତ ସିଂହର

ବଳ ଦେହେଁ, ଯୁଝିଲା ସେ ବହୁ ବେଳଯାଏଁ

ନିର୍ଭୟେ ଶ୍ରୀକୃଷ୍ଣ ସଙ୍ଗେ, ଧରି ଦୃଢ଼ଚାପେ

ଚାପେ, ଯେହ୍ନେ ରାମାନୁଜ ସହିତେ ଲଙ୍କାରେ

 

ଯୁଝିଲା ରାବଣାତ୍ମାଜ ମେଘନାଦ ରଥୀ

ଦେବବରେ ଦାମୋଦର, ଦେଖି ଶିଶୁପାଳେ

ଅଟଳ ଅଥର ରଣେ ଯଥା ମହୀଧର,

ଭବିଲେ ଏସନ ମନେ ମନେ- ଏ ଦୁର୍ଜ୍ଜନେ

 

ହେବ ନାହିଁ ପରାଜୟି ସମାନ୍ୟରେ କେବେ,

ଯାବତ ଅଛି ମୋ ଅଂଶ ତୋ ଦେହେ, ତାବତ

ଅବଧ୍ୟ ମୋହର ସେହୁ, ବ୍ୟଷ୍ଟି ବଳ ସିନା

ପ୍ରବଳ ସମଷ୍ଟି ବଳୁ, ରାମ ଅବତାରେ

 

ତେଣୁ ମୁଁ ପରାସ୍ତ ହେଲି କୁଶଲବଠାରେ,

ଇତରାସ୍ତ୍ରେ ନ ମରିବ ପାମର କଦାପି

ଏହା ଭାବି ଅନ୍ତର୍ଯ୍ୟାମୀ, ଅନ୍ତରେ ଅନ୍ତରେ

ସୁମରିଲେ ଅସ୍ତ୍ରବର ଚକ୍ର ସୁଦର୍ଶନେ

 

ଘୋରନାଦେ ଆସେ ଚକ୍ର ଗଗନ ଉଦ୍ଭାସି

ବାୟୁବେଗେ, କୋଯି ସୂର୍ଯ୍ୟ ଜିଣି ତେଜ ତାର,

ସେ ତେଜରେ ବିଶ୍ୱଚକ୍ଷୁ ଦେବ ଦିନମଣି

ହେଲେ ହୀନପ୍ରଭ, ଚାରୁ ଚାନ୍ଦିନୀ ରାତିରେ

 

ଯଥା ଜ୍ୟୋତିର୍ପୂଚ୍ଛଧାରୀ ଜ୍ୟୋତିରିଙ୍ଗ କୀଟ

ବ୍ରହ୍ମାଣ୍ଡ ଦହନକ୍ଷମ ସେ ମହାଚକ୍ରର

ମହାପ୍ରଭାପୁରେ, ଗଲା ବୁଜି ହୋଇ ଆଖି

ସକଳ ଜୀବର, ଆଉ ନ ଫିଟିଲା ତାହା

 

ଫିଟାଇଲେ ବଳେ, କିନ୍ତୁ ତଥାପି ସେ ପ୍ରଭା,

ଅକ୍ଷିରକ୍ଷୀ ଚର୍ମଭେଦି ପୀଡ଼ିଲା ନୟନେ

ଅତିରେକେ ଅଗ୍ନି ଜାଳି, ଜଣାଗଲା ଯଥା

ଚକ୍ରାଙ୍ଗୁ କିରଣ-ରେଖା ସ୍ଫୁରି, ତପ୍ତଲୌହ-

 

ଚିମୁଟା ପରାଏ, ଟାଣି ଘେନିଗଲା ଅବା

ସମସ୍ତଙ୍କ ଡୋଳା, ଅକ୍ଷିକୋଟର ମଧ୍ୟରୁ

ଯୁଦ୍ଧର୍ଥେ ଯେ ମୂଢ଼ ନୃପେ ହୋଇଥିଲେ ଉଭା

ସଭାମଧ୍ୟ, ସେ ଦୁର୍ଜ୍ଜନେ, ଭୟେ ଦୃଷ୍ଟିରୋଧୀ-

 

ଚକ୍ରର ଆଲୋକେ ନେତ୍ର ବୁଜି, ସ୍ତବ୍ଧଭାବେ

ବସିଗଲେ ତଳେ ଯଥା ଯୋଗମଗ୍ନ ଯୋଗୀ,

ତରଛରେ କେହି କଲେ ବସନେ ଅକର୍ମ

ଏହିପରି ଚରାଚରେ ତ୍ରାସି ଚକ୍ରବର

 

ସୁଦର୍ଶନ, ତ୍ରିଭୁଦନ-ବିନାଶ-ସକ୍ଷମ,

ଉପସ୍ଥିତ ହେଲା ଆସି ଶ୍ରୀକୃଷ୍ଣ ସମୀପେ

ସୁଦର୍ଶନଧାରୀଙ୍କର ସୁ-ଦର୍ଶନ କରେ

 

ବିରାଜିଲା ମହାଚକ୍ର, ବିରାଜୁଥିଲା ସେ

ପୂର୍ବେ ଯଥା ବିଷ୍ଣୁ କରେ ବୈକୁଣ୍ଠ ଭୁବନେ

ପାଞ୍ଚଜନ୍ୟ ଶଙ୍ଖନାଦ କଲେ ତହୁଁ ହରି,

ଘୋଷିଲା ସେ କମ୍ୱୁବର ଅମ୍ୱଧର ରବେ

 

ମୁହୁର୍ମୁହୁଃ, ପ୍ରତି ଶଙ୍ଖ ଶବ୍ଦେ ଉତ୍ତରିଲା

ଶିଶୁପାଳ ବିକଟାଳ ଚିତ୍କାର ସହିତେ,

ବେନିଙ୍କର ଶଙ୍ଖଶବ୍ଦେ ଥରିଲା ଧରଣୀ,

(ରୁଦ୍ର ଭୀମ ଶିଙ୍ଗା ଶବ୍ଦେ ପ୍ରଳୟେ ଯେସନ)

 

ତ୍ରସ୍ତ ହେଲେ ମରାମରେ, ବ୍ରହ୍ମାଣ୍ଡ-ଭାଣ୍ଡକି

ଗଲା ଖଣ୍ଡ ଖଣ୍ଡ ହୋଇ, ପରତେ ଏସନ,

ଜଣାଗଲା ପିଣ୍ଡୁ ଆତ୍ମା ଉଡ଼ିଗଲା ପ୍ରାୟେ

ଶୁଣି ସେ ଭୀଷଣ ଶବ୍ଦ ଚିର ବଧିରର

 

ତୁଟିଗଲା ସେହିକ୍ଷଣି କର୍ଣ୍ଣର ଜଡ଼ତା,

ଚିରମୂକ ଜନେ ଭୟେ ଉଠିଲେ ଚିତ୍କାରି,

ଘୁଞ୍ଚିଲା ତାଙ୍କର ସୁଦ୍ଧା କଣ୍ଠ-ସଂରୁଦ୍ଧତା,

ନବଜାତ ସୁପ୍ତ ବାଳେ ଉଠିଣ ଚମକି

 

କାନ୍ଦିଲେ ଚିହିଡ଼ା ୧ ଛାଡ଼ି କୁଆଁ କୁଆଁ ରବେ

ପକ୍ଷୀଏ କୁଲାୟ ତେଜି ଉଡ଼ିଲେ ଆକାଶେ

ପ୍ରାଣାତଙ୍କେ, ପୂରି ନଭେ ଭୟ କୋଳାହଳେ,

ମହାଭୟେ ଶିଶୁଗଣ ଛାଡ଼ି ଧୂଳିଖେଳ,

ପଡ଼ି ଉଠି ଧାଇଁ ଯାଇ ଜନନୀକୋଳରେ

ଲୁଚିଲେ ଆଚ୍ଛାଦି ଦେହେ ପଣତ ତାହାର

ବିଷ୍ଣୁମନ୍ତ୍ରେ ଅଭିଷେକି ଚକ୍ରେ ଚକ୍ରଧର,

ବିଘୂର୍ଣ୍ଣି କରାଳେ, ଘୋର ହୁହୁଙ୍କାର ନାଦେ

 

ନିକ୍ଷେପିଲେ ଲକ୍ଷ୍ୟ କରି ଶିଶୁପାଳ ଗଳା,

ଗଲା ଚକ୍ରବର ଖରେ, ଘୂରି ଘୂରି ଘୋର

ଘର୍ଘର ନିନାଦେ, (ଯଥା ଆବର୍ତ୍ତ ମାରୁତ)

ପକାଇଲା ଯାଇ ଛେଦି ଚେଦୀଶ୍ୱର ଶିର,

 

ସ୍କନ୍ଧୁ ଝଡ଼ି ମୁଣ୍ଡ ତାର ଲୋଟିଲା ଭୂତଳେ,

ବଜ୍ରାଘାତେ ଗିରିଶୃଙ୍ଗ ପଡ଼େ ଯଥା ଝଡ଼ି,

କିମ୍ୱା ଯଥା ବିବେକର ଜ୍ଞାନାସ୍ତ୍ର ଆଘାତେ

ଛିଡ଼ିଯାଏ ସଂସାରର ଦୁର୍ବିଳୟ ମୋହ

 

ଶିଶୁପାଳ ଗଳୁ, ଉଠେ ଶୋଣିତ ପିଚିକା

ସବେଗେ, ତିନ୍ତିଲେ ତହିଁ ପାର୍ଶ୍ୱବର୍ତ୍ତୀ ନୃପେ,

ଯଥା ଦୋଳଯାତ୍ରା କାଳେ ଫଗୁରଙ୍ଗ ଜଳେ

ତିନ୍ତନ୍ତି ଯାତ୍ରୀଏ ପାଗ-ପରିଚ୍ଛେଦ ସହ

 

କବନ୍ଧ ୨ ମୂରତି ତାର ନାଚିଲା ବିକଟେ,

ମହାବିଦ୍ୟା ଛିନ୍ନାମସ୍ତା ମହାଦେବୀ ଯଥା

କରନ୍ତି ଶ୍ମଶାନବକ୍ଷେ ବିକଟ ତାଣ୍ଡବ,

ନାଚି ନାଚି ସେ କବନ୍ଧ କେତେ କ୍ଷଣ ପରେ

୨- ମସ୍ତକଶୂନ୍ୟ ଦେହ

 

ପଡ଼ିଗଲା ପାର୍ଶ୍ୱବର୍ତ୍ତୀ ଜନସଙ୍ଘେ ଚାପି,

ଓହୋ ! ସେ ପ୍ରବଳ ଚାପେ ଗଲା କେତେକର

ହସ୍ତପଦ ଭାଙ୍ଗି, କାର ଅବା ମଚକିଲା

ବେକଷଣ୍ଢା, ଭାଙ୍ଗିଗଲା କଙ୍କାଳ କାହାର,

 

ଛିନ୍ନମୂଳ ତରୁ ଯଥା ନାଶେ ମାଡ଼ିପଡ଼ି

ଅଗ୍ରବର୍ତ୍ତୀ ପାଦପର ଡ଼ାଳପତ୍ର ଆଦି

ବାହାରିଲା ଶିଶୁପାଳ ଦେହୁଁ ବିଷ୍ଣୁତେଜ

ମହା ଆଭାମୟ, ମିଶି ଚକ୍ରତେଜେ ତାହା

 

ଧରିଲା ପ୍ରକାଣ୍ଡ ରୁଦ୍ର ସର୍ବଗ୍ରାସୀ ରୂପ,

ସର୍ବଗ୍ରାସୀ ଯଥା ଅଗ୍ନି, ସତେ ବା ଦହିବ

ଚରାଚରେ ସେହୁ, ଉଠି ପଲକେ ସେ ତେଜ

ନଭେ, ଆସି ତହୁଁ ଲୀନ ହେଲା କୃଷ୍ଣପଦେ,

 

ଯଥା ମାୟାମୃଗରୂପୀ ମାରୀଚ ଶରୀରୁ

ବାହାରିଣ ଦିବ୍ୟଜ୍ୟୋତିଃ, ଉଜ୍ଜ୍ୱଳି ଦିଙ୍ମୁଖେ

ମିଶିଗଲା ରାମଅଙ୍ଗେ ଦଣ୍ଡକ କାନନେ

ସମ୍ମୁଖ ସମରେ ମଲା ବୀରଧର୍ମାଚରୀ

 

ଶିଶୁପାଳ ଯେଣୁ, ତେଣୁ ସ୍ୱର୍ଗୁ ତାହା ପାଇଁ

ଆସିଲା ବିମାନ ଏକ, ବିମାନେ ଆଲୋକି,

ଚଢ଼ି ପ୍ରେତଆତ୍ମା ତାର ସେ ଦିବ୍ୟ ବିମାନେ,

ଗଲା ସୁଖେ ଅନାମୟ ନିତ୍ୟଧାମେ ଚଳି,

 

ଶିଶୁପାଳ ନିଧନରେ ସଙ୍ଗୀ ରାଜଗଣେ

ତାର, ହେଲେ ନତଶିର, ତୁଟିଲେ ଯୌବନ

ନିଜେ ନିଜେ ଦମିଯାନ୍ତି ଯେସନ ଇନ୍ଦ୍ରିୟେ

ଦ୍ୱେଷ ତେଜି ଦୁଷ୍ଟ ନୃପେ କଲେ କୃଷ୍ଣେ ସ୍ତୁତି

 

ବହୁବିଧ, ଯୁକ୍ତିକରେ ପ୍ରଣମି ପୟରେ,

ଶକ୍ତି ଦେଖି ସିନା ହୁଅଇ ସକଳେ

ଏ ଭବେ, ଅଟଇ ଏହା ସ୍ୱତସିଦ୍ଧ କଥା,

ନୁହେଁ ଭକ୍ତିରସସିକ୍ତ ଏହି ପଣ୍ଡ-ସ୍ତବ

 

ଭଣ୍ଡଙ୍କର, ଅଟେ ତାହା ଭୟରେ ଛଟାଣ, *

ଜାଣି ପ୍ରାଣରଙ୍କ ତାଙ୍କୁ ପ୍ରଭୁ ଅନ୍ତର୍ଯ୍ୟାମୀ,

ବିହିଲେ ତାହାଙ୍କ ପ୍ରତି କ୍ଷମା କୃପା ବହି

ଏକା ଗଲା ଶିଶୁପାଳ, ରହିଲେ ସକଳ

*ଛଟଣା-ଛଳଣା

 

ପରୋଚକ ବନ୍ଧୁ ତାର, ସମ୍ପଦିରେ ସିନା

ହୁଅନ୍ତି ସକଳେ ସଖା, କିନ୍ତୁ ହାୟ ! ଯେବେ

ଗ୍ରାସଇ ବିପଦ, ତେବେ ହୁଅନ୍ତି ଅଲଗା

ଅନନ୍ତର ଯୁଧିଷ୍ଠିର ଭ୍ରାତୃଗଣେ ରାଇ

 

ଆଦେଶିଲେ ଦହିବାକୁ ଶିଶୁପାଳ ଦେହ

ରାଜ-ବ୍ୟବହାରେ, ଲଭି ରାଜାନୁଜ୍ଞା ତହୁଁ

ପଣ୍ଡୁ ସୁତେ, ସଜାଡ଼ିଣ କୁସୁମ-ଚୌଦୋଳ,

ଶୁଆଇଲେ ଶବେ ତହିଁ ଉତ୍ତର ଶିରରେ

 

ଏକା ଭୀମ ଦୁଇ ହାତେ ଟେକିଲେ ଦ୍ୱିଖୁରା

ସେହି ଶବ- ଶିବିକାର, ଆନ ଖୁରାଦ୍ୱୟ

ଧରିଲେ ଛ ଜଣ ବୀର ମାଦ୍ରି-ସୁତ ଆଦି,

ଅବିଳମ୍ୱେ ପ୍ରବଶିଲେ ଭୀଷଣ ଶ୍ମଶାନେ

 

ଶାନ୍ତିର ଆଶ୍ରମ ତାହା, ଚିରଶାନ୍ତି ତହିଁ

ମିଳେ ଭବ-ଦାବାନଳ ଦଗ୍ଧ ଜୀବକୁଳେ,

କର୍ମକ୍ଳାନ୍ତ ଜୀବ ସାରି କର୍ତ୍ତବ୍ୟ ନିଜର

ଭବ- କର୍ମକ୍ଷେତ୍ରେ, ଲଭେ ଅନ୍ତିମ ବିଶ୍ରାମ

 

ଏଥି, ପଞ୍ଚମହାଭୂତ-ଗଠିତ ଶରୀର

ମିଶେ ଏଥି ପଞ୍ଚଭୂତେ ପ୍ରପଞ୍ଚନିୟମେ

ମହାତତ୍ତ୍ୱ-ଦୀକ୍ଷାଦାୟୀ ସ୍ଥଳୀ ସେ ଶ୍ମଶାନ,

ତଦ୍ଦର୍ଶନେ ଜ୍ଞାନିଜନେ ଲଭନ୍ତି ବିଶେଷେ

 

ମହାତତ୍ତ୍ୱ ଦୀକ୍ଷା, ଭବ-ଭଙ୍ଗୁରତାମୟୀ,

ଅଜ୍ଞାନ-ଚକ୍ଷୁରେ ତାହା ଭୟର ଆଗାର

ଶ୍ମଶାନ-ଶଙ୍କରୀଙ୍କର ଦୌବାରିକ ପ୍ରାୟ

ବୁଲୁଛନ୍ତି ଶିବା ଶ୍ୱାନେ ଦେଇଣ ପହରା,

 

ପଡ଼ିଅଛି ସଦ୍ୟ ଶବ ଏକ ସେ ଶ୍ମଶାନେ,

ବେଢ଼ି ତାର ଚଉପାଶେ ମାଂସାଶୀ ଜନ୍ତୁଏ

ଟାଣି ଆଣି ଖାଉଛନ୍ତି ଖଣ୍ଡ ଖଣ୍ଡ ମାଂସ,

ବଳବନ୍ତ ଶ୍ୱାନେ, ଦେଇ ଦୁର୍ବଳେ ଘଉଡ଼ି

 

ଖାଉଛନ୍ତି ତରତରେ ଈର୍ଷା ଗରଗରେ,

କେହି ବା ଶାଗୁଣାଗଣେ ନେଇଯାଏ ଖେଦି

ଭୁକି ଭୁକି ଭୋ ଭୋ ରବେ, ତହୁଁ ସେ ପକ୍ଷୀଏ

ଡ଼େଣା ମେଲି ଡ଼େଇଁ ଡ଼େଇଁ ଯାଆନ୍ତି ପଳାଇ

 

ଖଣ୍ଡେ ଦୂରେ, ରୋଷଭୟମିଶା ଚେଁ ଚେଁ ସ୍ୱରେ

କାହିଁ ଅବା ଆଠ ଦଶ ମାଂସାଶୀ ପ୍ରାଣୀଏ

ଘେନି ଖଣ୍ଡେ ମାଂସପିଣ୍ଡ, କରି ଘୋର ନାଦ

ହେଉଛନ୍ତି ଟଣାଟଣି, ଲାଗିଅଛି କାହିଁ

 

ଶିବା ଶ୍ୱାନ ଶକୁନର ବିଷମ ସମର

ଏହିପରି ସ୍ୱାର୍ଥଦ୍ୱେଷ ଘୋର ସଂଘର୍ଷଣ,

ପ୍ରବଳ ପ୍ରତାପ ପୁଣି ଦୁର୍ବଳ ଦୁର୍ଗତି

ଲାଗିଅଛି ନିରନ୍ତର ବିଶ୍ୱଚରାଚରେ,

 

ଯହିଁ ଦେଖ ତହିଁ ଏକା ସ୍ୱାର୍ଥ ପାଇଁ କଳି

ପଡ଼ିଅଛି ଶବ ଯେଣୁ, ତେଣୁ ପାନ୍ଥକୁଳେ

ସେ ବାଟେ ଯିବାକୁ ଭୟ ମାନସେ ମନାସି

ବାଟ ଭାଙ୍ଗି ଯାଉଛନ୍ତି ଅନ୍ୟ ଦିଗ ଦେଇ

 

ଧରିବାକୁ ଶବରୂପ ହେବ ନିଶ୍ଚେ ଦିନେ

ଶରୀରୀକୁ, ଜାଣି ସୁଦ୍ଧା ଦୃଢ଼େ ଏହା ନରେ

କି ଆଶ୍ଚର୍ଯ୍ୟ ! ଶବ ଦେଖି ଡରନ୍ତି ତଥାପି ! !

ଆଜି ଯେହୁ ମହାଭୀତ ଗତାୟୁ ଦର୍ଶନେ,

 

କାଲି ସେ ହୋଇବ ଶବ, ଡ଼ରିବେ ଅପରେ

ତାକୁ, ଅହୋ ! ମାନବର କି ବିଷମ ଭ୍ରମ !

ମାୟା-ମୋହେ ପଡ଼ି ନର ଭୁଲିଯାଏ ସବୁ,

ଧନ୍ୟ ସଂସାରର ମାୟା ! ପଡ଼ିଲେ କୁହୁକେ

 

ତାର, ରକ୍ଷା ନାହିଁ ଆଉ, ବାନ୍ଧିଅଛି ସେହୁ

ଅଦୃଶ୍ୟ, ଆଚ୍ଛେଦ୍ୟ ଫାଶ ସମସ୍ତଙ୍କ ଗୋଡ଼େ,

ମୁହୂର୍ତ୍ତେ ତୋ ପାଶୁଁ ହେଲେ ଦୂରବର୍ତ୍ତୀ ଜୀବ,

ଓଟାରି ସେ ଫାଶ ତାକୁ ଆଣଇ କତିକି

 

ପଦ-ରଜ୍ଜୁ ଧରି ଦୃଢ଼େ, ମଧ୍ୟେ ବସି ମାୟା,

ଘୂରାଉଛି ଜୀବଗଣେ ଆପଣା ଚୌପାଶେ,

ଧ୍ରୁବ ଯଥା ସପ୍ତର୍ଷିଙ୍କୁ, ଅବା ବେଙ୍ଗଳାର

ମଇଦାଣ୍ଡି, ନିଜ ପାଶେ ବୁଲାଏ ଯେସନ

 

ବଳଦେ ଦେଉଣୀ ୧ ବନ୍ଧ, ମଣ୍ଡଳ ଆକାରେ

ପାରେ ନାହିଁ ବାନ୍ଧି ଦୁଷ୍ଟା ନିଷ୍କାମ ମାନବେ,

ବାନ୍ଧିଲେ କଦାପି ଦୈବେ ଜ୍ଞାନାସ୍ତ୍ରେ ସେମାନେ

କାଟି ସେ ଅମୋଘ ଫାଶ, ହୁଅନ୍ତି ମୁକତ

୧- ଅନେକ ବଳଦର ଏକତ୍ର ବନ୍ଧନରଜ୍ଜୁ

 

ଭୀମ ଆଜ୍ଞା ପାଇ ସର୍ବ ରାଜ-ଅନୁଚରେ

ଜାଳିଲେ ଶ୍ମଶାନେ ଚିତା, ଚନ୍ଦନ-ଇନ୍ଧନେ,

କରାଇଣ ସ୍ନାନ ତହୁଁ ପବିତ୍ର ସୁବାସ-

ଜଳେ ଶବେ, ମଣ୍ଡି ଅଙ୍ଗ ରାଜ-ଆଭିରଣେ

 

ଶୁଆଇଲେ ନେଇ ଦୀପ୍ତ ଚିତା-ଶେଯ ବକ୍ଷେ,

ଘନ ଘନ ହରିଧ୍ୱନି ଉଚ୍ଚାରି ତୁଣ୍ଡରେ

ସ୍ଥାପି ସଙ୍ଗାଡ଼ିଏ କାଠ ଶବଦେହ ପରେ,

ଢାଳିଦେଲେ ଗବ୍ୟଘୃତ ତହିଁ ଘଡ଼ା ଘଡ଼ା,

 

ଘୃତ ପାଇ ଖରବେଗେ ଜଳିଲା ଦ୍ୱିଗୁଣେ

ରଇ ୨, ହୋଇ ଊର୍ଦ୍ଧ୍ୱଶିଖ, ନିକ୍ଷେପିଲେ ତହିଁ

କର୍ପୂର, କସ୍ତୁରୀ, ପୁଷ୍ପ, ଝୁଣା, ଗୁଗ୍ଗୁଳାଦି

ଗନ୍ଧଦ୍ରବ୍ୟ ନାନା, ଯଥା ମାଘ ପୂର୍ଣ୍ଣିମାରେ

୨- ରଇ-ଚିତାନଳ ଏ ଶବ୍ଦ ଗଞ୍ଜମାରେ ଅଧିକ ପ୍ରଚଳିତ

 

ନିକ୍ଷେପନ୍ତି ନାଗରିକେ ଅଗିରାଗଦାକୁ ୩

ବାର୍ତ୍ତାକୁ, ସର୍ଷପ, ରବି, ପକ୍ୱରମ୍ଭା ଆଦି

ଶ୍ମଶାନ ଶାନ୍ତିର ସ୍ଥାନ- ଏହି ବିନଶ୍ୱର

ଚିର ହାହାକାରମୟ ଭବେ, ତେଣୁ ତହିଁ

ସ୍ଥାନ ପ୍ରଭାବରେ, ହେଲା ଭୀମସେନ ମନ

ଔଦାସ୍ୟ ଆଳୟ, ଯଥା ଉଦାସୀ ମାନସ,

ତେଜି ସ୍ୱାର୍ଥଦ୍ୱେଷ, କ୍ରୋଧ-କଳୁଷିତ ଭାବ

 

ବୋଇଲେ ଏସନ ବୀର, ଚାହିଁ ଚିତାବସୀ-

ଶିଶୁପାଳେ- ବୀରବର ! ଶତ ସାଧୁବାଦ

ସାଧୁକାର୍ଯ୍ୟେ ତବ ! ପାଳି କ୍ଷତ୍ରଧର୍ମ ନୃପ !

 

କ୍ଷତ୍ରିୟ-ବାଞ୍ଚିତ ବୀରବେଶେ, ବାହାରିଲ

ଚିର ନିଜ ଧାମେ, ତେଜି ଭବ-ପାନ୍ଥଶାଳେ,

ଭୁଞ୍ଜିବ ସେଠାରେ ତୁମ୍ଭେ ସୁଖଶାନ୍ତି-ସୁଧା

 

କବଚ, ତୁଣୀର, ଅସି, ଧନୁ, ଗଦା, ଶର,

ଗୋଧା ୪, ଅଙ୍ଗୁଳିତ୍ର ୫ ଆଦି ବୀରପ୍ରହରଣ

ଶୋଭଇ ଶରୀରେ, ଥିଲ ପ୍ରଚଣ୍ଡ ପ୍ରତାପୀ

ବୀର ତୁମ୍ଭେ, ଧରାଧାମେ, ଯାଉଛ କି ନୃପ !

 

ଏବେ ଜିଣିବାକୁ ସ୍ୱର୍ଗ ? -ମହାବୀର ବେଶେ

ଚଢ଼ି ଏହି ଚିତାସ୍ତୂପ-ରଥେ, କିନ୍ତୁ ରାଏ !

ସୈନ୍ୟ ସେନାପତି କିପାଁ ନାହାନ୍ତି ସଙ୍ଗରେ ?

ବୁଝିଅଛି ଏବେ, ତୁମ୍ଭେ ଯାଉଛ ଯେ ଦେଶେ,

 

ସେ ଦେଶକୁ ଯିବାବେଳେ ନ ହୁଅନ୍ତି କେହି

ସଙ୍ଗୀ, ପ୍ରଦାନିଲେ ସୁଦ୍ଧା ଅତୁଳ ସମ୍ପଦ,

ସେ ଦେଶୁଁ ଆସିବା ବେଳେ ଆସେ ଏକୁଟିଆ

ଜୀବ, ଯିବାବେଳେ ପୁଣି ଗମଇ ଏକାକୀ,

 

କେବଳ ପ୍ରବାସ ଭବେ ରହେ ଯେତେ ଦିନ,

ତେତେ ଦିନ ମାତ୍ର ଲଭେ ଅକୃତଜ୍ଞ ସାଥୀ

ସରିଲା ନୃପତି ! ତବ ଭବ-ଅଭିନୟ,

ଲୁଚିଯିବ ଖରେ ମାୟା-ଯବନିକା ପାରେ

 

ଚିରଦିନ ପାଇଁ, ଆହା ଯଥା ବାଲ୍ୟସୁଖ

ମଣୁଥିଲ ଯାକୁ ତୁମ୍ଭେ ଜୀବନ-ଦୋସର

ପ୍ରିୟାଦପି ଅତିପ୍ରୟ, ସଙ୍କଟେ ପ୍ରମାଦେ-

ରଖୁଥିଲ ଯାକୁ ତାର ପୃଷ୍ଠେ ଢାଲ ହୋଇ,

 

ଯାହା ସୁଖ ବର୍ଦ୍ଧନରେ ଥିଲ ରତ ସଦା

ନ ଖାଇ ନ ପିଇ, ସେହି ଅକୃତଜ୍ଞ ଏବେ

ତୁମ୍ଭ ଆକ୍ରମଣୁ ରକ୍ଷା ପାଇବା ସକାଶେ,

କିଳି ହେବ ଦେହ ତାର ଗୁଣିଆ ଅଣାଇ !

 

ତୁମ୍ଭର ପରଶେ ପୁଣି ମଣିବ ଅଶୁଚି

ଆପଣାକୁ ! ନୃପ ! ଭବେ ସଙ୍ଗୀ ଏହିପରି

ଏକମାତ୍ର ସଙ୍ଗୀ ଧର୍ମ ଜୀବନେ ମରଣେ,

ଯାଏ ସଙ୍ଗେ ସେହୁ, ଆନ ଭଣ୍ଡ ସଙ୍ଗିଦଳ,

 

ବନ୍ଧୁତାର ପ୍ରତିଦାନସ୍ୱରୂପ, ଦେହରୁ

କାଢ଼ି ନେଇ ଭଲ ବସ୍ତ୍ର ଅଳଙ୍କାର ଆଦି,

ବନ୍ଧୁତାରେ ଜଳାଞ୍ଜଳି ଅର୍ପନ୍ତି ଏ ସ୍ଥାନେ

ଅର୍ଜ୍ଜିଛି ଯେ ଧର୍ମ ତୁମ୍ଭେ ବୀରଧର୍ମ ପାଳି,

 

ଦେଖାଇବ ସ୍ୱଗମାର୍ଗ ସେହି, ବୀରମଣି !

ଘେନି ସେହି ଚିରସଖା ଧର୍ମ ସଙ୍ଗେ, ଗମ

ମହାସୁଖେ ବୀରକୁଳ-ବାଞ୍ଚିତ ପ୍ରଦେଶେ

ଧୁ ଧୁ ହୋଇ ଚିତାନଳ ଉଠିଲା ପ୍ରଜ୍ୱଳି

 

ପ୍ରଚଣ୍ଡେ, ଅସଂଖ୍ୟ ଜିହ୍ୱା କରି ଲହଲହ

ଚାଟିଲା ଆକାଶେ, ଯଥା ଦ୍ୱିଜହ୍ୱ ଭୁଜଗ

ବିସ୍ତାରି ରସନାଦ୍ୱୟ ଚାଟଇ ମହୀକି

ହିଲ୍ଲୋଳି ଅନିଳେ ସେହି ଅନଳର ଶିଖା

 

ଛାଡ଼ିଲା ସ୍ଫୁଲିଙ୍ଗ ରାଶି ରାଶି, ଚଡ଼ଚଡ଼ି,

କ୍ରମେ ଗାଡ଼ି ହିଙ୍ଗୁଳିତ ହେଲା ଚିତାନଳ,

ଶିଖାଚୂଳେ ମୃଗତୃଷ୍ଣା ଖେଳାଇ କୁଞ୍ଚିତେ,

ଖୋଳାଏ ତଟନୀ ଯଥା ସୃଜି ଜଳବେଣୀ,

 

ମାରୁତ ଆଘାତେ ଯେବେ ପ୍ରାବୃଟ ସମୟେ

ଚାଲୁଥାଏ ଗର୍ବଭରେ ପୂର୍ଣ୍ଣଗର୍ଭା ହୋଇ,

ମୁହୂର୍ତ୍ତକେ ଶିଶୁପାଳ ହେଲା ଭସ୍ମୀଭୂତ

 

ତହୁଁ ସର୍ବ ଶବଦାହିଜନେ, ପୁତଜଳେ

ନିଭାଇଣ ଯାଇ, *ଗଲେ ଫେରି ନିଜାବାସେ

ମହାଦମ୍ଭୀ, ଅଭିମାନୀ ଶିଶୁପାଳ ଦେହ,

ପରିଣତ ହେଲା ଆହା ! ମୁଠାଏ ପାଉଁଶେ !

*ଚିତାନଳ

 

କିଛି ଦିନେ ତାହା ସୁଦ୍ଧା ମିଶିଲା ମାଟିରେ !

ଶିଶୁପାଳ ପୁତ୍ରେ ତହୁଁ ରାଇ ଯୁଧିଷ୍ଠିର,

ଯଥାବିଧାନରେ ବାନ୍ଧି ମୁଣ୍ଡେ ତାର ଶାଢ଼ୀ,

ନିୟୋଜିଲେ ତାକୁ ଚେଦି-ମହୀପାଳ-ପଦେ